ଦ୍ରୁତ ଗତିରେ କରୋନା ବଢୁଥିବା ରାଜ୍ୟ ତାଲିକାରେ ଓଡ଼ିଶା: ମୋଟ ସଂକ୍ରମଣରେ ଦେଶରେ ଓଡ଼ିଶା ୮ ନମ୍ବର; ସେପଟେ ୱାଶିଂଟନ୍ ବିଶ୍ୱବିଦ୍ୟାଳୟର ଚିନ୍ତାଜନକ ତଥ୍ୟ, ଜାନୁୟାରୀ ପହିଲାରେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ଟପିପାରେ ୧୨ ହଜାର

ବିଶେଷଜ୍ଞ କହିଲେ ସମ୍ଭାବନା କମ୍

400

କନକ ବ୍ୟୁରୋ: ଓଡିଶାରେ ଦ୍ରୁତ ଗତିରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ବିଶେଷ କରି ସେପ୍ଟେମ୍ବର ମାସରେ ସଂକ୍ରମଣ ହାର ଉପର ମୁହାଁ ରହିଛି । ଏପରିକି ସକ୍ରିୟ ସଂକ୍ରମିତ ସଂଖ୍ୟାରେ ଦେଶର ୬ ନଂବର ସ୍ଥାନରେ ରହିଛି ଓଡିଶା । ଦିଲ୍ଲୀ ଓ ପଶ୍ଚିମବଙ୍ଗରୁ ଆମ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଛି । ଅନ୍ୟପଟେ ଆଗକୁ ସ୍ଥିତି ବିଗିଡିବ ବୋଲି ଆଇଏଚ୍ଏମ୍ଇ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ ଚିନ୍ତା ବଢାଇ ଦେଇଛି ।

ଦ୍ରୁତ ଗତିରେ କରୋନା ବଢୁଥିବା ରାଜ୍ୟ ତାଲିକାରେ ଓଡ଼ିଶା

ଓଡ଼ିଶାରେ ପ୍ରତିଦିନ ପ୍ରାୟ ୪ ହଜାର ନୂଆ ଆକ୍ରାନ୍ତ ଯୋଡ଼ି ହେଉଛନ୍ତି । ରାଜ୍ୟର କରୋନା ମିଟର ଦ୍ରୁତଗତିରେ ଉପରକୁ ଉଠିବାରେ ଲାଗିଛି ।

• ମାର୍ଚ୍ଚ ୧୫ – ପ୍ରଥମ ମାମଲା

• ଅଗଷ୍ଟ ୧୨ – ୫୦ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

• ଅଗଷ୍ଟ ୩୦ – ୧ ଲକ୍ଷ ଟପିଲା ସଂକ୍ରମଣ

• ସେପ୍ଟେମ୍ବର ୧୩ – ୧ ଲକ୍ଷ ୫୦ ହଜାର

• ସେପ୍ଟେମ୍ବର ୧୯ – ୧ ଲକ୍ଷ ୭୫ ହଜାରରୁ ଅଧିକ ହେଲା ଆକ୍ରାନ୍ତଙ୍କ ସଂଖ୍ୟା

ଏହି ପରିସଂଖ୍ୟାନକୁ ଦେଖିଲେ ବୁଝାପଡ଼ୁଛି ରାଜ୍ୟରେ କିପରି ଧିରେ ଧିରେ ବଢ଼ୁଥିବା ସଂକ୍ରମଣ, ସେପ୍ଟେମ୍ବର ମାସ ଆରମ୍ଭରୁ ଦ୍ରୁତ ଗତିରେ ବଢିଚାଲିଛି । ଓଡ଼ିଶାରେ ସକ୍ରିୟ ଆକ୍ରାନ୍ତ ଦିଲ୍ଲୀ ଓ ପଶ୍ଚିମବଙ୍ଗ ଠାରୁ ଅଧିକ ରହିଛନ୍ତି ।

• ଓଡ଼ିଶାରେ ସକ୍ରିୟ ଆକ୍ରାନ୍ତ ୩୭,୨୩୯

• ଦିଲ୍ଲୀରେ ସକ୍ରିୟ ଆକ୍ରାନ୍ତ ୩୨,୨୫୦

• ପଶ୍ଚିମବଙ୍ଗରେ ସକ୍ରିୟ ଆକ୍ରାନ୍ତ ୨୪,୫୦୯

ଏପଟେ ଓଡ଼ିଶାର କରୋନା ସଂକ୍ରମଣ ନେଇ ୱାଶିଙ୍ଗଟନ୍ ବିଶ୍ୱବିଦ୍ୟାଳୟର ଇନଷ୍ଟିଚ୍ୟୁଟ ଅଫ୍ ହେଲ୍ଥ ମେଟ୍ରିକ୍ସ ଆଣ୍ଡ ଇଭାଲୁଏସନ୍ ବା ଆଇଏଚ୍ଏମ୍ଇ ଯେଉଁ ଆକଳନ କରିଛି, ତାହା ଆହୁରି ସାଂଘାତିକ ।

ଆଇଏଚଏମଇ ଆକଳନ କହୁଛି

• ୧ ଜାନୁୟାରୀ ୨୦୨୧ରେ କରୋନାଜନିତ ମୃତ୍ୟୁ ଟପିଯାଇପାରେ ୧୨ ହଜାର

• ଜାନୁୟାରୀ ମାସରେ ପ୍ରତିଦିନ କରୋନାରେ ୪୯୩ ଜଣଙ୍କ ମୃତ୍ୟୁ ହୋଇପାରେ

• ଯଦି ସମସ୍ତେ ମାସ୍କ ପିନ୍ଧନ୍ତି ତେବେ ଦିନକୁ ଏହା ୧୪୩କୁ ହ୍ରାସପାଇବ

କେବଳ ମୃତ୍ୟୁ ନୁହେଁ, ସଂକ୍ରମଣ ସଂଖ୍ୟା ମଧ୍ୟ ବହୁ ଗୁଣ ବଢ଼ିଯିବ ବୋଲି କହିଛି ୱାଶିଙ୍ଗଟନ୍ ବିଶ୍ୱବିଦ୍ୟାଳୟର ଇନଷ୍ଟିଚ୍ୟୁଟ ଅଫ୍ ହେଲ୍ଥ ମେଟ୍ରିକ୍ସ ଆଣ୍ଡ ଇଭାଲୁଏସନ୍ । ତେବେ ବରିଷ୍ଠ ଭେଷଜ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର କହିଛନ୍ତି, ଓଡ଼ିଶାରେ ସଂକ୍ରମଣ ଏତେ ବଢ଼ିବା ସମ୍ଭାବନା କମ ।  ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ଓ ଉତ୍ତରପ୍ରଦେଶ ଭଳି ରାଜ୍ୟରେ ସଂକ୍ରମଣ ଓଡ଼ିଶା ଠାରୁ ଯଥେଷ୍ଟ ଆଗରେ ରହିଛି । ତେବେ ଓଡ଼ିଶା, କେରଳ, ଛତିଶଗଡ଼, ପଂଜାବ ଓ ହରିୟାଣାରେ ଏବେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲିଛି ।