ପୁଣି କଡ଼ ଲେଉଟେଇବ କି କରୋନା ସଂକ୍ରମଣ । ଗତ ୨୪ ଘଂଟା ଭିତରେ ୧୧ ହଜାର ୮ ଶହ ଟପିଲା ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ।

981

କନକ ବ୍ୟୁରୋ : ଗୋଟିଏ ପଟେ ଦେଶରେ କରୋନା ଟିକାକରଣ ଦ୍ରୁତ ଗତିରେ ଚାଲିଛି । ମାସକ ଭିତରେ ପ୍ରାୟ ୯୦ ଲକ୍ଷ ସ୍ୱାସ୍ଥ୍ୟକର୍ମୀ ଓ କରୋନା ଯୋଦ୍ଧା ଟିକା ନେଇ ସାରିଲେଣି । ଜନଜୀବନ ସ୍ୱାଭାଭିକ ହୋଇ ଆସୁଥିବା ବେଳେ ପୁଣି ଚିନ୍ତା ବଢ଼ାଉଛି ସଂକ୍ରମଣ । କିଛି ଦିନ ଧରି ଦେଶରେ ୧୦ ହଜାର ତଳକୁ ନୂଆ ପଜିଟିଭ୍ ଚିହ୍ନଟ ହେଉଥିଲେ । ଆଶା କରାଯାଉଥିଲା, ଦିନ ଗଡ଼ିବା ସହ ୫ ହଜାର ତଳକୁ ଖସିଯିବ ଦୈନିକ ସଂକ୍ରମଣ । ହେଲେ ଏହି ସଂଖ୍ୟା ଧିରେ ଧିରେ ବଢ଼ିବାରେ ଲାଗିଛି । ଗତ ୨୪ ଘଂଟାରେ ୧୧ ହଜାର ୮୩୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଦେଶରେ ଦୈନିକ କରୋନା ମୃତ୍ୟୁ
ଫେବ୍ରୁଆରୀ ୧୩ – ୮୫
ଫେବ୍ରୁଆରୀ ୧୪ – ୯୧
ଫେବ୍ରୁଆରୀ ୧୫ – ୭୬
ଫେବ୍ରୁଆରୀ ୧୬ – ୧୦୯

ସେହିପରି କରୋନାଜନିତ ମୃତ୍ୟୁ ସଂଖ୍ୟା ଦେଶରେ ଗତ ତିନି ଦିନ ଧରି ୧୦୦ ତଳକୁ ରହୁଥିଲା । ଏହା କେବେ ଶୂନ ହେବ, ସମସ୍ତଙ୍କ ନଜର ରହିଥିଲା । ତେବେ ଏହି ସଂଖ୍ୟା ମଧ୍ୟ ବଢ଼ିଛି । ଗତ ୨୪ ଘଂଟର ମଧ୍ୟରେ କରୋନାରେ ୧୦୯ ଜଣ ଲୋକଙ୍କର ମୃତ୍ୟୁ ହୋଇଛି ।
ସବୁଠୁ ଚିନ୍ତାଜନକ ହୋଇଛି ମହାରାଷ୍ଟ୍ର ଓ କେରଳର ସ୍ଥିତି । ଦେଶରେ ଯେତିକି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ସେଥିମଧ୍ୟରୁ ୭୫ ପ୍ରତିଶତ ମାମଲା ଆସିଛି ଏହି ଦୁଇ ରାଜ୍ୟରୁ । ସ୍ଥିତି ନିୟନ୍ତ୍ରଣକୁ ନଆସିେଲେ ପୁଣିଥରେ ଲକ୍ଡାଉନ୍ ଭଳି ସ୍ଥିତି ଉପୁଜିବ ବୋଲି ସତର୍କ କରାଇଛନ୍ତି ମହାରାଷ୍ଟ୍ର ସରକାର ।

ଜାନୁଆରୀ ମଧ୍ୟଭାଗରୁ ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ୩ ହଜାର ଉପରେ ରହୁଛି । ତେବେ ଫେବ୍ରୁଆରୀ ମାସର ଦ୍ୱିତୀୟ ସପ୍ତାହରେ କରୋନା ଆକ୍ରାନ୍ତ ହାର ପୂର୍ବ ସପ୍ତାହ ତୁଳନାରେ ୧୪ ପ୍ରତିଶତ ବୃଦ୍ଧି ପାଇଛି । ଏପଟେ ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍ ଭାରତକୁ ଆସିଥିବା ନେଇ ସୂଚନା ମିଳିବା ପରେ ଚିନ୍ତା ଆହୁରି ବଢ଼ିଯାଇଛି ।

ଏବେ ନଜର ପକାନ୍ତୁ ଓଡ଼ିଶାର ସ୍ଥିତି ଉପରେ –
ଫେବ୍ରୁଆରୀ ୧୩ – ୭୩
ଫେବ୍ରୁଆରୀ ୧୪ – ୮୮
ଫେବ୍ରୁଆରୀ ୧୫ – ୬୦
ଫେବ୍ରୁଆରୀ ୧୬ – ୭୫
ଦେଶରେ ମୋଟ ୧ଲକ୍ଷ ୩୪ ହଜାର ୨୮ ଜଣ ସକ୍ରିୟ ସଂକ୍ରମିତ ଥିବା ବେଳେ ରାଜ୍ୟରେ ସକ୍ରିୟ ଆକାନ୍ତଙ୍କ ସଂଖ୍ୟା ରହିଛି ୭୩୨ ।