ସୁସ୍ଥ ହେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ । ସପ୍ତାହ ପରେ ଡାକ୍ତରଖାନାରୁ ଘରକୁ ଫେରିଲେ ବୋରିସ ଜନସନ

749

କନକ ବ୍ୟୁରୋ :  ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କୁ ଲଣ୍ଡନ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ସପ୍ତାହେ ହେଲାଣି ସେ ଲଣ୍ଡନର ସେଣ୍ଟ ଥୋମାସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହେବାର ୧୦ଦିନ ପରେ ତାଙ୍କ ଅବସ୍ଥା ବିଗିଡ଼ିବାରୁ ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ଏପ୍ରିଲ ୬ରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ବେଳେ ଏପ୍ରିଲ ୯ରେ ତାଙ୍କୁ ଆଇସିୟୁରୁ ବାହାର କରାଯାଇଥିଲା । ତେବେ ସେ ଧୀରେ ଧୀରେ ସୁସ୍ଥ ହେଉଥିବାରୁ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ଏବେ ସେ ଘରେ ରହି ବିଶ୍ରାମ କରିବା ସହ କୌଣସି କାମ କରିବେ ନାହିଁ ବୋଲି ଜଣା ପଡିଛି ।

ସୂଚନା ମୁତାବକ, ମାର୍ଚ୍ଚ ୨୭ରେ ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ କରୋନା ଭାଇରସର ଦ୍ୱାରା ଆକ୍ରାନ୍ତ ହୋଇଥିବା କହିଥିଲେ । ଏ ନେଇ ସେ ନିଜେ ନିଜ ଟୁଇଟ ଆକାଉଣ୍ଟ ଜରିଆରେ ସୂଚନା ଦେଇଥିଲେ। ଟୁଇଟରେ, “ଗତ ୨୪ଘଣ୍ଟା ମଧ୍ୟରେ ମୁଁ କରୋନାର ସାମାନ୍ୟ ଲକ୍ଷଣ ଅନୁଭବ କରିବା ପରେ ନିଶ୍ଚିତ ହେବା ପାଇଁ ସ୍ବାବ୍‌ ନମୁନା ପରୀକ୍ଷା କରାଇଥିଲି । ଏବେ ରିପୋର୍ଟ ପଜିଟିଭ ଆସିଛି ଜ୍ଝ ମୁଁ ବର୍ତ୍ତମାନ ନିଜକୁ ସଙ୍ଗରୋଧରେ ରଖିଛି। କିନ୍ତୁ ଏହି ଭାଇରସ୍ ସହିତ ମୁକାବିଲା କରିବା ସହ ମୁଁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୋର କାର୍ୟ୍ୟ ନିର୍ବାହ କରିବି । ସାଥୀ ହୋଇ ଆମେ ଏହାକୁ ହରାଇବା’’ ବୋଲି କହିଥିଲେ। କିନ୍ତୁ ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଲଣ୍ଡନର ସେଣ୍ଟ ଥୋମାସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।