ଅମିତାଭ ଓ ଅଭିଷେକ ବଚ୍ଚନଙ୍କୁ କରୋନା: ନିଜେ ଟୁଇଟ୍ କରି ସୂଚନା ଦେଲେ ଅମିତାଭ ବଚ୍ଚନ; ଉଭୟ ମୁମ୍ବାଇ ନାନାବତୀ ହସ୍ପିଟାଲରେ ଭର୍ତି

ଦୁହିଁଙ୍କ ଠାରେ ସାମାନ୍ୟ ଲକ୍ଷଣ ପ୍ରକାଶ ପାଉଛି; ଆରୋଗ୍ୟ କାମନା କରି କଳାକାରଙ୍କ ଠୁ ଖେଳାଳିଙ୍କ ପର୍ଯ୍ୟନ୍ତ ଟୁଇଟ୍

553

କନକ ବ୍ୟୁରୋ: ବଲିଉଡ୍ ସେହେନସା ଅମିତାଭ ବଚନ ଓ ପୁଅ ଅଭିଷେକ ବଚ୍ଚନଙ୍କୁ କରୋନା । ନିଜେ ବିଗ୍ ବି ପଜିଟିଭ୍ ଚିହ୍ନଟ ହୋଇଥିବା ଟ୍ୱିଟ୍ କରି ଜଣାଇଥିଲେ । ଅଭିଷେକ ମଧ୍ୟ ନିଜ ଟୁଇଟରେ ସେ ଓ ବାପା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାଇଥିଲେ । ଉଭୟଙ୍କୁ ନାନାବତୀ ହସ୍ପିଟାଲରେ ଭର୍ତି କରାଯାଇଛି । ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଅଛି । ଉଭୟଙ୍କ ନିକଟରେ କୋଭିଡର ସାମାନ୍ୟ ଲକ୍ଷଣ ଥିବା ଜଣାପଡ଼ିଛି । ଦୁଇ ଜଣଙ୍କ ପାଖରେ ଅଳ୍ପ ଜ୍ୱରର ଲକ୍ଷଣ ପକାଶ ପାଇଥିବା ସୂଚନା ମିଳିଛି । ଦୁଇ ଜଣଯାଙ୍କର ଆଂଟିଜେନ ଟେଷ୍ଟ କରାଯିବା ପରେ କୋଭିଡ୍ ଥିବା ଜଣାପଡ଼ିଥିଲା । ଅମିତାଭ ପ୍ରଥମେ କିଛି ଜ୍ୱର ଅନୁଭବନ କରିବା ପରେ ସେ ଟେଷ୍ଟ କରାଇଥିଲେ ।

ଏଥିରେ ତାଂକର ରିପୋର୍ଟ ପଜିଟିଭ୍ ଆସିଥିଲା । ପରେ ପରିବାରର ଅନ୍ୟ ସଦସ୍ୟଙ୍କର ଟେଷ୍ଟ କରାଯାଇଥିଲା । ଏଥିରୁ ଅଭିଷେକ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଥିଲେ । ତେବେ ପରିବାରର ଅନ୍ୟ ତିନି ସଦସ୍ୟ ଜୟା ବଚ୍ଚନ, ଐଶ୍ୱର୍୍ୱଯ୍ୟା ବଚ୍ଚନ ଓ ଆରାଧ୍ୟ ବଚ୍ଚନଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି ଯେ, ଅମିତାଭ ଓ ଅଭିଷେକଙ୍କ ସ୍ୱାସ୍ଥ୍ୟ ବସ୍ଥା ଠିକ୍ ରହିଛି । ଉଭୟଙ୍କ ପାଖରେ ସାମାନ୍ୟ ଲକ୍ଷଣ ଦେଖାଦେଇଛି, ତେଣୁ ଦୁହେଁ ଖୁବ୍ଶୀଘ୍ର ସୁସ୍ଥ ହୋଇଯିବେ ବୋଲି ଆଶାବ୍ୟକ୍ତ କରିଛନ୍ତି ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ।

ବିଗ୍ ବି କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଖବର ପରେ ତାଙ୍କୁ ଶୀଘ୍ର ଆରୋଗ୍ୟ କାମନା କରି ଅନେକ ଟୁଇଟ୍ କରିଛନ୍ତି । ରାଜନେତାଙ୍କ ଠାରୁ ଆରମ୍ଭ କରି କଳାକାର, ଖେଳାଳି ବିଗ୍ ବି ଶୀଘ୍ର ଭଲ ହୋଇଯିବା ପାଇଁ କାମନା କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ଶୀଘ୍ର ଆରୋଗ୍ୟ ପାଇଁ କାମନା କରିବା ସହ ଲେଖିଛନ୍ତି ଯେ, ପ୍ରିୟ ଅମିତ ଆପଣଙ୍କ ଶୀଘ୍ର ଆରୋଗ୍ୟ ପାଇଁ ସାରା ଦେଶ କାମନା କରୁଛି । ଏଦେଶର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଆପଣ ଆଦର୍ଶ । ଆପଣ ଶୀଘ୍ର ସୁସ୍ଥ ହୋଇଯିବେ ବୋଲି ଆମର ବିଶ୍ୱାସ । ସେପଟେ ବିଗ୍ ବିଙ୍କୁ ସୁସ୍ଥ ଭଲ ହେବା ପାଇଁ କାମନା କରିଛନ୍ତି ଲିଟିଲ ମାଷ୍ଟର ସଚିନ ତେନ୍ଦୁଲକର । ସଚିନ୍ ଲେଖିଛନ୍ତି, ଆପଣ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଆପଣଙ୍କ ସ୍ୱୁସ୍ଥତା ଓ ଶୀଘ୍ର ଆରୋଗ୍ୟ ହେବା ପାଇଁ ମୁଁ ପ୍ରାର୍ଥନା କରୁଛି ।

ଏହାଛଡ଼ା ବଲିଉଡର ଅନ୍ୟ ବହୁ କଳାକାର ଅମିତାଭ ଓ ଅଭିଷେକଙ୍କ ଶୀଘ୍ର ଆରୋଗ୍ୟ ପାଇଁ କାମନା କରିଛନ୍ତି । ଅନୁପମ ଖେର, ରବିନା ଟଣ୍ଡନ, ମାଧୁରୀ ଦିକ୍ଷିତ, ଇଶା ଗୁପ୍ତା, କିର୍ତି ସାନୋନ, ରାହୁଲ ବୋଷ ଆଦି ଟୁଇଟ୍ କରି ଉଭୟଙ୍କ ଆରୋଗ୍ୟ କାମନା କରିଛନ୍ତି ।
ନାନାବତୀ ହସ୍ପିଟାଲରେ ଅମିତାଭ ଓ ଅଭିଷେକ ଭର୍ତିହୋଇଛନ୍ତି । ବିଗ୍ ବି ଡାକ୍ତରଙ୍କ ଉଦେଶ୍ୟରେ ସେଠାରୁ ଏକ ଭାବପୂର୍ଣ୍ଣ ସନ୍ଦେଶ ଦେଇଛନ୍ତି । କରୋନା ଭଳି ପରିସ୍ଥିତିରେ କିଭଳି ସ୍ୱାସ୍ଥ୍ୟକର୍ମୀମାନେ କାମରେ ଲାଗିଛନ୍ତି, ତାହା କହିଛନ୍ତି ଅମିତାଭ । ଡାକ୍ତର ଭଗବାନଙ୍କ ଅନ୍ୟ ରୂପ ବୋଲି ସେ କହିଛନ୍ତି ।

ସୋସିଆଲ ମିଡିଆ ବିଶେଷ କରି ଟୁଇଟରରେ ବେଶ୍ ସକ୍ରିୟ ବିଗ୍ ବି । ବିଭିନ୍ନ ପ୍ରସଙ୍ଗରେ ନିଜର ମତ ରଖିଥାନ୍ତି ସେ । ବିଭିନ୍ନ ଗୁରତ୍ୱପୂର୍ଣ୍ଣ ପରାମର୍ଶ ହେଉ କି ମଜାଦାର ଶୈଳୀରେ ନିଜର ମତ ରଖିଥାନ୍ତି । କରୋନାକୁ ନେଇ ମଧ୍ୟ ଅମିତାଭ ନିଜର ମତ ରଖିଛନ୍ତି । କରୋନା ଭଳି ପରିସ୍ଥିତିରେ ଦେଶବାସୀଙ୍କୁ କିପରି ସତର୍କ ଓ ସାହସୀ ରହିବାକୁ ହେବ, ସେକଥା କହିଛନ୍ତି ସେ । ଶୁଣନ୍ତୁ ନିକଟରେ ଏହି ସନ୍ଦେଶରେ ସେ କ’ଣ କହିଥିଲେ ।