ମହାମାରୀ ଲକ୍ଷ ଲକ୍ଷ ଜୀବନ ନେଉଥିବା ବେଳେ ବିବାଦ ବଢାଇଲା ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବୟାନ । କହିଲେ, ‘କରୋନା ଏକ ଜୀବିତ ଜୀବ, କରୋନାର ବି ରହିଛି ବଞ୍ଚିବାର ଅଧିକାର’ ।

270

କନକ ବ୍ୟୁରୋ : ‘କରୋନା ଏକ ଜୀବିତ ଜୀବ’ । ‘କରୋନାର ବି ରହିଛି ବଞ୍ଚିବାର ଅଧିକାର’ । କରୋନା ଏକ ଜୀବ, ତାକୁ ବି ଏ ଦୁନିଆରେ ବଞ୍ଚିବାର ଅଧିକାର ଅଛି । କିଛି ଏପରି ବୟାନ ଦେଇ ଏବେ ବିବାଦ ଘେରକୁ ଆସିଛନ୍ତି ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ସିଂହ ରାୱତ । ଗୁରୁବାର ଦେବେନ୍ଦ୍ର ସିଂହ ରାୱତ କହିଛନ୍ତି, କରୋନା ଭାଇରସ ଏକ ଜୀବିତ ଜୀବ ଅଟେ, ଯାହାକୁ ବଞ୍ଚିବାର ଅଧିକାର ରହିଛି । ସୋସିଆଲ ମିଡିଆରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନ ଏବେ ଭାଇରାଲ ହେବାରେ ଲାଗିଛି ।

ଗତକାଲି ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ସିଂହ ରାୱତ କହିଥିଲେ, ଦାର୍ଶନିକ ଦୃଷ୍ଟକୋଣରୁ ଯଦି ଦେଖାଯାଏ, ତେବେ କରୋନା ଭାଇରସ ମଧ୍ୟ ଏକ ଜୀବିତ ଜୀବ ଅଟେ । ଅନ୍ୟ ଲୋକମାନଙ୍କ ଭଳି ତାକୁ ମଧ୍ୟ ବଞ୍ଚିବାର ଅଧିକାର ରହିଛି । କିନ୍ତୁ ଆମେ ମଣିଷମାନେ ନିଜକୁ ସବୁଠୁ ବୁଦ୍ଧିମାନ ଭାବୁଛୁ, ଆଉ ତାକୁ ମାରିଦବାକୁ ପ୍ରସ୍ତୁତ ଅଛୁ । ଆଉ ଏଥିପାଇଁ ସେ କ୍ରମାଗତ ଭାବେ ନିଜକୁ ବଦଳାଉଛି । ସମସ୍ତେ କରୋନା ଭାଇରସ ପଛରେ ଲାଗିଛନ୍ତି, ଯେଉଁଥିପାଇଁ ସେ ବଞ୍ଚିବାକୁ ନିଜ ରୂପ ବଦଳାଉଛି, ଆଉ ଏବେ ବହୁରୂପିଆ ହୋଇଯାଇଛି ।

ଯେତେବେଳେ ସାରା ଦେଶ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ସହ ସଂଘର୍ଷ କରୁଛି, ଦିନକୁ ଦିନ ହଜାର ହଜାର ଲୋକ କରୋନାରେ ପ୍ରାଣ ହରାଉଛନ୍ତି, ସେତେବେଳେ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଏପରି ବୟାନ ଅନେକ ଚର୍ଚ୍ଚା ସୃଷ୍ଟି କରିଛି । ତେବେ ଦେବେନ୍ଦ୍ର ସିଂହ ରାୱତଙ୍କ ଏପରି ବୟାନ ପରେ ଏବେ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ୍ କରୁଛନ୍ତି ଲୋକେ ।

କରୋନା ମହାମାରୀ ଦିନକୁ ଦିନ ଅଧିକ ସକ୍ରିୟ ହେଉଥିବା ବେଳେ, ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି । ଅକ୍ସିଜେନ୍ ଅଭାବରୁ ଛଟପଟ ହୋଇ କାହାର ଜୀବନ ଯାଉଛି, ତ ହସ୍ପିଟାଲରେ ବେଡ୍ ଖଣ୍ଡିଏ ନପାଇ କିଏ ପ୍ରାଣ ହରାଉଛି । ସାରା ଦେଶ ସଙ୍କଟ ଭିତରେ ଗତି କରୁଥିବା ବେଳେ, ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଏପରି ବୟାନ, ଅନେକ ପ୍ରଶ୍ନ ସୃଷ୍ଟି କରୁଛି ।