ସ୍ୱାମୀ-ସ୍ତ୍ରୀଙ୍କ ମଝିରେ କାଚର କାନ୍ଥ ଠିଆ କରାଇଦେଲା କରୋନା : ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଭାବୁକ କରିଦେଲା ଭଳି ଫଟୋ

359

ବୈବାହିକ ଜୀବନରେ ପାହାଡ଼ ହୋଇ ଠିଆ ହୋଇଛି କରୋନା । ମୃତ୍ୟୁର ଭୟ ନେଇ ଆସିଥିବା ଏହି ଭାଇରସ୍ ଅନେକଙ୍କ ଘର ଉଜାଡି ଦେଇଛି । ନିଜର ପ୍ରିୟଜନଠାରୁ ହରେଇବାର ଦୁଃଖ ଅନେକଙ୍କୁ ଖୁବ୍ ଭାଙ୍ଗି ଦେଇଛି । ସୋସିଆଲ ମିଡିଆରେ ଏବେ ଏକ ବୃଦ୍ଧ ଦମ୍ପତ୍ତିଙ୍କର ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଫଟୋଟି ଆମେରିକାର ଓ୍ବାଶିଂଟନରେ ରହୁଥିବା ୮୮ ବର୍ଷୀୟ ଡୋରେଥି କ୍ୟାମ୍ପବେଲ ଓ ତାଙ୍କ ସ୍ବାମୀ ୮୯ ବର୍ଷୀୟ ଜିନ୍ କ୍ୟାମ୍ପବେଲଙ୍କର । ଦୁହିଁଙ୍କର ବିବାହକୁ ୬୦ ବର୍ଷ ବିତିସାରିଛି ।

ଦୀର୍ଘ ବର୍ଷର ପ୍ରେମ ଓ ବୈବାହିକ ଜୀବନରେ କେବେ ବି ପରସ୍ପରଠାରୁ ଅଲଗା ହୋଇନଥିବା ଏହି ଦମ୍ପତ୍ତିଙ୍କୁ ଅଲଗା କରିଦେଇଛି ‘କରୋନା’ ଭାଇରସ । ସ୍ବାମୀ-ସ୍ତ୍ରୀଙ୍କ ଭିତରେ ଏବେ କାଚର କାନ୍ଥ, କାରଣ ଡୋରେଥିଙ୍କ ସ୍ବାମୀ ଜିନ୍ ଏବେ କରୋନା ଭାଇରସରେ ପୀଡିତ ହୋଇ ଓ୍ବାଶିଂଟନର ‘ଲାଇଫ୍ କେୟାର ସେଣ୍ଟର’ରେ ଚିକିତ୍ସିତ ହେଉଛନ୍ତି । ସେଠାରେ Covid-19 ରେ ପୀଡିତ ପ୍ରାୟ ୧୦ ଜଣ ଲୋକଙ୍କର ମୃତ୍ୟୁ ହୋଇ ସାରିଛି । ଯେତେବେଳେ ଡୋରେଥି, ସ୍ବାମୀଙ୍କୁ ଦେଖା କରିବାକୁ ପହଁଞ୍ଚିଥିଲେ ତାଙ୍କ ଭିତରେ କାଚର ଏକ କାନ୍ଥ ଥିଲା । ସେ ଫୋନରେ ପରସ୍ପର ସହିତ କଥା ହୋଇଥିଲେ । ଏହି ମୁହୂର୍ତ୍ତର ଫଟୋ ସୋସିଆଲ ମିଡିଆରେ ଦେଖିବା ପରେ ଲୋକଙ୍କର ଆଖିରେ ଲୁହ ଆସିଯାଇଥିଲା ।

ସୂଚନା ଅନୁସାରେ, ଜିନ୍ ଓ୍ବାଶିଂଟନର କିର୍କଲ୍ୟାଣ୍ଡ ସହରରେ ଥିବା ‘ଲାଇଫ୍ କେୟାର ସେଣ୍ଟର’ରେ ଚିକିତ୍ସିତ ହେଉଛନ୍ତି । ଯେଉଁଥିପାଇଁ ତାଙ୍କୁ ଏକ ସ୍ଵତନ୍ତ୍ର କୋଠରୀରେ ରଖାଯାଇଛି । ସେଠାରେ ଚିକିତ୍ସିତ ରୋଗୀଙ୍କ ପରିବାର ଓ ବନ୍ଧୁମାନଙ୍କୁ ଭିତରକୁ ଯିବା ପାଇଁ ଅନୁମତି ମିଳିନଥାଏ । ଏଭଳି ସ୍ଥିତିରେ ଡୋରେଥି ନିଜ ସ୍ବାମୀଙ୍କୁ ଦେଖା କରିବାକୁ ତାଙ୍କ କୋଠରୀର ଝରକା ପାଖରେ ପହଁଞ୍ଚିଥିଲେ । ଦୁହେଁ ପରସ୍ପରକୁ ଦେଖିବା ପରେ ଫୋନ୍ ଜରିଆରେ କଥା ହୋଇଥିଲେ । କିନ୍ତୁ ସେମାନେ ପରସ୍ପରଠାରୁ ଖୁବ୍ ଦୂରରେ ଅଛନ୍ତି । କେନ୍ଦ୍ରରେ ଭର୍ତ୍ତି ହୋଇଥିବା କରୋନା ରୋଗୀଙ୍କର ପରିବାର ଲୋକ ଏଭଳି ଭାବରେ କଥା ହୋଇଥାନ୍ତି । ଡୋରେଥି ନିଜର ପୁଅ ଚାର୍ଲି କ୍ୟାମ୍ପବେଲଙ୍କ ସହିତ ସେଠାକୁ ଯାଇଥିଲେ ।