ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଲା କରୋନାର କରୁଣ ଚିତ୍ର । ଘରେ ଜାଗା ନଥିବାରୁ ଗଛ ମୂଳେ ସଂଗରୋଧରେ ରହିଲେ ଯୁବକ । କରୋନା ସନ୍ଦେହରେ ମୃତ୍ୟୁ ପାଇଁ ପାଖ ମାଡିଲେନି ସାହିପଡିଶା ।

301

କନକ ବ୍ୟୁରୋ: ମହାମାରୀର ଭୟ ଭିକରେ ମଣିଷ କେମିତି କଲବଲ ହେଉଛି, ଏ କଥା କହିବାର ଆବଶ୍ୟକତା ନାହିଁ । କାରଣ ପ୍ରତିଦିନ କୁଢକୁଢ ଶବ ମଶାଣିକୁ ଯାଉଛି, ଶିଶୁ-ଯୁବକ-ବୟସ୍କ ପ୍ରାୟ ସମସ୍ତେ କରୋନା ଆକ୍ରାନ୍ତ ହେଉଛନ୍ତି । ଆଉ ଟିଭି ପରଦାରେ ଆପଣମାନେ ଦେଖୁଥିବା ଏହି ତିନୋଟି ଚିତ୍ର, ଆତଙ୍କସୃଷ୍ଟି କରିଥିବା କରୋନାର କରୁଣ କାହାଣୀ କହୁଛି ।

ଗଛ ତଳେ ସଂଗରୋଧ
କଳାହାଣ୍ଡି କୋକସରା ବ୍ଲକ ଛିଲପାମାଲ ଗାଁର କ୍ଷୀରୋଦ ନାୟକ କରୋନା ସଂକ୍ରମିତ ହେବା ପରେ ୩ ଦିନ ଧରି ଏହି ଗଛମୂଳେ ରହିଛନ୍ତି । ଘରେ ସଂଗରୋଧରେ ରହିବାର ସୁବିଧା ନାହିଁ, ତେଣୁ, ପରିବାର ଲୋକଙ୍କୁ ସଂକ୍ରମଣରୁ ସୁରକ୍ଷା ଦେବା ପାଇଁ ଗଛମୂଳେ ଆଶ୍ରୟ ନେଇଥିଲେ ଆକ୍ରାନ୍ତ । ଏ ଖବର ଜଣାପଡିବାର ପରେ ସ୍ଥାନୀୟ ପ୍ରଶାସନ କ୍ଷୀରୋଦଙ୍କୁ ଉଦ୍ଧାର କରି ପର୍ଲା କୋଭିଡ ହସ୍ପିଟାଲକୁ ନେଇଛି ।

ପଦ୍ମପୁର
ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଖୁର୍ସାପାଲି ଗାଁରୁ ଆସିଥିବା ଏହି ଚିତ୍ର, ଭୂତାଣୁକୁ ନେଇ ଲୋକଙ୍କ ମନରେ ଥିବା ଭୟକୁ ଦର୍ଶାଉଛି । ମୃତ ପୁନଉ ମାଝୀଙ୍କୁ କରୋନା ହୋଇଥିଲା କି ନାହିଁ ସେ କଥା କାହାକୁ ଜଣାନାହିଁ, କିନ୍ତୁ କରୋନା ସଂକ୍ରମଣ ଭୟରେ ଶବର ପାଖର ମାଡିଲେ ନାହିଁ ସାହିପଡିଶା । ପ୍ରାୟ ୫ ଘଂଟା ଧରି ଶବ ପଡିରହିବା ପରେ କାନ୍ଧରେ ବୋହି ଶ୍ମଶାନକୁ ନେଲେ ସଂପର୍କୀୟ ।

ହିଞ୍ଜିଳିକାଟୁ
କରୋନା କାଳରେ ମାନବିକତା ମରି ଯାଉଥିବା ବେଳେ, ଗଞ୍ଜାମ ହିଞ୍ଜିଳିକାଟୁରେ ଅଫିସରଙ୍କ ମହାନତା ଦେଖିବାକୁ ମିଳିଛି । ବିଡିଓ, ପୌର ନିର୍ବାହୀ ଅଧିକାରୀ ଓ ତହସିଲଦାର ପିପିଇ କିଟ ପିନ୍ଧି କରୋନା ଆକ୍ରାନ୍ତଙ୍କ ମୃତଦେହ ସକ୍ରାର କରିଛନ୍ତି । ଡି. ଗୋବିନ୍ଦା ନାମକ ଯୁବକଙ୍କ କରୋନା ସଂକ୍ରମିତ ହୋଇ ପ୍ରାଣ ହରାଇବା ପରେ ଶବକୁ ସଂପର୍କୀୟ ଓ ସାଇପଡିଶା ଛୁଇଁନଥିଲେ । ପ୍ରାୟ ୧୦ ଘଂଟା ପରେ ଏହି ୩ ପ୍ରଶାସନିକ ଅଧିକାରୀ, କିଛି ସ୍ୱେଚ୍ଛାସେବୀଙ୍କ ସହାୟତାରେ ଶବ ସକ୍ରାର କରାଇଛନ୍ତି ।