ମହାମାରୀ କରୋନାର ମହାପ୍ରଭାବ : ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ସଙ୍କୁଚିତ ହେଲା ଦେଶର ଅର୍ଥନୀତି, ୨୩ ଦଶମିକ ୯ପ୍ରତିଶତ ହ୍ରାସ ପାଇଲା ଜିଡିପି; ୪୦ବର୍ଷ ପରେ ସବୁଠାରୁ ଖରାପ ଦେଶର ଆର୍ଥିକ ସ୍ଥିତି

133

କନକ ବ୍ୟୁରୋ : ଦେଶର ଜିଡିପି ଉପରେ ପଡ଼ିଛି କରୋନା ମାଡ଼ । ଭାରତର ଅର୍ଥନୀତି ୨୩.୯ ପ୍ରତିଶତ ସଂକୁଚିତ ହୋଇଯାଇଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ଅର୍ଥାତ୍ ଏପ୍ରିଲ-ଜୁନ ମାସରେ ଦୋହଲି ଯାଇଛି ଦେଶର ଆର୍ଥିକ ସ୍ଥିତି । ଆକଳନ ଅନୁସାରେ ବହୁ ବର୍ଷ ପରେ ଦେଶରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । କରୋନା ମହାମାରୀ ଯୋଗୁଁ ବ୍ୟବସାୟ ଓ ବାଣିଜ୍ୟ ଉପରେ କୁପ୍ରଭାବ ପଡିବା ସହ ସାରା ଦେଶରେ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି । ଯାହାର ପ୍ରଭାବ ପଡ଼ିଛି ଦେଶର ଅର୍ଥନୀତିରେ । କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟାନ୍ୱୟନ ମନ୍ତ୍ରାଳୟ ଦ୍ୱାରା ଦେଶର ତ୍ରୈମାସିକ ଆର୍ଥିକ ରିପୋର୍ଟ ପ୍ରକାଶ ପାଇଛି ।

ଏଥିରେ କୁହାଯାଇଛି ମୋଟ ଘରୋଇ ଉତ୍ପାଦରେ ୨୩.୯ ପ୍ରତିଶତ ହ୍ରାସ ପାଇଛି । ମାର୍ଚ୍ଚ ୨୫ ତାରିଖରୁ ସାରା ଦେଶରେ ୬୮ ଦିନିଆ କଡ଼ା ଲକଡାଉନ କଟକଣା ଜାରି ହେବା ପରେ ଦେଶର ଅର୍ଥନୀତି ଗଭୀର ଭାବେ ପ୍ରଭାବିତ ହୋଇଛି । ଗତ ଆର୍ଥିକ ବର୍ଷର ଶେଷ ତ୍ରୈମାସିକ ରିପୋର୍ଟରେ ଦେଶରେ ଆର୍ଥିକ ଅଭିବୃଦ୍ଧି ୩.୧ ପ୍ରତିଶତକୁ ଖସି ଆସିଥିଲା । ଯାହା ଗତ ୮ ବର୍ଷ ମଧ୍ୟରେ ସବୁଠୁ କମ ରହିଥିଲା ।