ଦେଶରେ ଏଯାଏଁ ଆସି ନାହିଁ କରୋନାର ସେକେଣ୍ଡ ୱେଭ୍ । ଦ୍ୱିତୀୟ ସଂକ୍ରମଣରୁ ବର୍ତ୍ତିବାରେ ଆର୍ଜେଣ୍ଟିନା ପରେ ପାଲଟିଛି ଦ୍ୱିତୀୟ ଦେଶ

399

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ କମୁଥିବା ବେଳେ ଆଉ ଏକ ଖବର ସାମ୍ନାକୁ ଆସିଛି । ଭାରତରେ ଏଯାଏଁ କରୋନାର ସେକେଣ୍ଡ ୱେଭ୍ ବା ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆସି ନାହିଁ । କରୋନାରେ ସବୁଠୁ ପ୍ରଭାବିତ ୧୦ଟି ଦେଶ ମଧ୍ୟରେ ସେକେଣ୍ଡ ୱେଭ୍ ନଆସିବାରେ ଭାରତ ହିଁ କେବଳ ଦ୍ୱିତୀୟ ଦେଶ । ଏଯାଏଁ ଆର୍ଜେଣ୍ଟିନାରେ ମଧ୍ୟ କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆସି ନାହିଁ । ଏହି ଦୁଇ ଦେଶରେ ପ୍ରଥମ ସଂକ୍ରମଣ ଖୁବ୍ ବିଳମ୍ବରେ ଏହାର ଶୀର୍ଷରେ ପହଂଚିଥିଲା ।

ଭାରତରେ ସେପ୍ଟେମ୍ବର ମଝି ବେଳକୁ ପ୍ରଥମ ପର୍ଯ୍ୟାୟ ସଂକ୍ରମଣ ଶୀର୍ଷରେ ପହଂଚିଥିଲା । ଏହାପରେ ସଂକ୍ରମଣ କମି କମି ଚାଲିଛି । ସେପଟେ ଆର୍ଜେଂଟିନାରେ ପ୍ରଥମ ସଂକ୍ରମଣ ଅକ୍ଟୋବର ଶେଷ ବେଳକୁ ଶୀର୍ଷରେ ପହଂଚିଥିଲା ।

ଅନ୍ୟ ସବୁ ଦେଶରେ ସଂକ୍ରମଣର ଦ୍ୱିତୀୟ ପର୍ଯ୍ୟାୟ କିମ୍ବା ତୃତୀୟ ପର୍ଯ୍ୟାୟ ଦେଖାଦେଇଛି । କରୋନାରେ ସବୁଠୁ ଅଧିକ ପ୍ରଭାବିତ ଦେଶ ଆମେରିକାରେ ଏବେ ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଦେଖାଦେଇଛି । ଆମେରିକାରେ ପ୍ରଥମ ପର୍ଯ୍ୟାୟ ସଂକ୍ରମଣ ଏପ୍ରିଲରେ ଦେଖାଦେଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଜୁଲାଇରେ ଦେଖାଦେଥିଲା । ପରେ ସେପ୍ଟେମ୍ବରରୁ ସେଠାରେ ପୁଣି ସଂକ୍ରମଣ ସଂଖ୍ୟା ବଢ଼ିଛି ।

ବିଭିନ୍ନ ଦେଶରୁ ମିଳିଥିବା ତଥ୍ୟରୁ ଜଣାପଡ଼ୁଛି ଯେ, କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ହିଁ ସବୁଠୁ କ୍ଷତିକାରକ । କେବଳ ବ୍ରାଜିଲରେ ହିଁ ଏହାର ବ୍ୟତିକ୍ରମ ଦେଖାଦେଇଛି ।

ଦେଶରେ ଏଯାଏଁ କରୋନାର ସେକେଣ୍ଡ ୱେଭ୍ ଆସିନଥିବା ଖବର ଉଭୟ ଖୁସି ଓ ଚିନ୍ତାର କାରଣ ପାଲଟିପାରେ । କମିଚାଲିଥିବା ସଂକ୍ରମଣ ସଂଖ୍ୟା କିଛିଟା ଆଶ୍ୱସ୍ଥ କରୁଛି । ହେଲେ ଆଗକୁ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆସିବ କି, ଯଦି ଆସିବ କେବେ, କେତେ କ୍ଷତିକାରକ ହେବ, ଏଭଳି କିଛି ପ୍ରଶ୍ନକୁ ନେଇ ଚିନ୍ତିତ ହେବା କିଛି ଅସ୍ୱାଭାବିକ ନୁହେଁ ।