କରୋନାର ଦ୍ୱିତୀୟ ଲହରରେ ଛତିଶଗଡ ସରକାର ଘୋଷଣା କଲେ ପ୍ରଥମ ଲକଡାଉନ୍ । ରାୟପୁରରେ ୧୧ ଦିନିଆ ଲକଡାଉନ୍ ଘୋଷଣା । ସିଲ୍ ହେବ ସବୁ ସୀମା

230

କନକ ବ୍ୟୁରୋ : ଛତିଶଗଡ ସରକାର ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟର ସବୁଠାରୁ ବଡ ସହର କୁହାଯାଉଥିବା ରାୟପୁରରେ ୧୦ ଦିନିଆ ପୂର୍ଣ୍ଣ ଲକଡାଉନ୍ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ସୂଚନା ମୁତାବକ ଏହି ଲକଡାଉନ୍ ଏପ୍ରିଲ ୯ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଲାଗୁ କରାଯିବ । ରାୟପୁର ଜିଲ୍ଲାପାଳ ଏ ବାବଦରେ ନିର୍ଦ୍ଦେଶନାମା ଜାରି କରିଦେଇଛନ୍ତି । ପୂର୍ଣ୍ଣ ଲକଡାଉନ ସମୟରେ ଜିଲ୍ଲାର ସମସ୍ତ ସୀମା ସିଲ୍ କରାଯିବ ବୋଲି କୁହାଯାଇଛି ।

ରାୟପୁର ଜିଲ୍ଲାପାଳଙ୍କ ସୂଚନା ମୁତାବକ ଲକଡାଉନ୍ ସମୟରେ ସହରର ସମସ୍ତ ମଦ ଦୋକାନ ବନ୍ଦ ରହିବ । ଏହାସହ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବି ବନ୍ଦ ରହିବା ବା ସହ ବ୍ୟାଙ୍କ ବନ୍ଦ ରହିବ । ଅନ୍ୟପଟେ ଶିଳ୍ପ ପ୍ରତିଷ୍ଠାନ ମାନଙ୍କରେ ଯେଉଁ ଶ୍ରମିକ ମାନେ ପ୍ରତିଷ୍ଠାନ ଭିତରେ କାମ କରୁଛନ୍ତି ସେମାନେ କାର୍ଯ୍ୟ କରିପାରିବେ । ଏହାସହ ସମସ୍ତ ଧାର୍ମିକ ପୀଠ, ପର୍ଯ୍ୟଟନସ୍ଥଳୀ ବି ବନ୍ଦ ରହିବ ବୋଲି କୁହାଯାଇଛି    । ଅନ୍ୟପଟେ କୋଭିଡ କଟକଣା ଉଲଙ୍ଘନ କଲେ ପ୍ରଶାସନ ତରଫରୁ କଠୋର କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ।

କହିରଖୁ କି ମଙ୍ଗଳବାର ଦିନ ଛତିଶଗଡରେ ରେକର୍ଡ ସଂଖ୍ୟକ ୯୯୨୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ୫୩ ଜଣ ଲୋକ ସଂକ୍ରମଣରେ ମୃତ୍ୟୁବରଣ କରିଛନ୍ତି । ମଙ୍ଗଳବାର ଦିନ କେବଳ ରାୟପୁରରୁ ୨୮୨୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ ।  ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ଦେଶର ପ୍ରଥମ ରାଜ୍ୟ ଭାବେ ଛତିଶଗଡ ରାୟପୁର ସହରରେ ପୂର୍ଣ୍ଣ ଲକଡାଉନ୍ ଘୋଷଣା କରିଛି ।