ବାୟୁରେ ବ୍ୟାପୁଛି କରୋନାର ନୂଆ ଷ୍ଟ୍ରେନ୍ । ବିଶେଷଜ୍ଞ କହିଲେ ପବନରେ ଭାଇରସ ଭାସି ରହୁଥିବାରୁ ଅଧିକ ହେଉଛନ୍ତି ଆକ୍ରାନ୍ତ

322

କନକ ବ୍ୟୁରୋ: ପ୍ରାୟ ବର୍ଷେ ହେବ ଜଣେ ସଂକ୍ରମିତଙ୍କ କାଶ ଓ ଛିଙ୍କ ଦ୍ୱାରା ସୃଷ୍ଟି ହେଉଥିବା ଡ୍ରପଲେଟରୁ କରୋନା ଭୂତାଣୁ ଅନ୍ୟକୁ ଆକ୍ରାନ୍ତ କରୁଥିବା କୁହାଯାଉଥିଲା । ଏହାକୁ ଆଧାର କରି ଗବେଷଣା ବି ଚାଲିଥିଲା । କିନ୍ତୁ ଦ୍ୱିତୀୟ ଲହରରେ କରୋନା ଭୂତାଣୁ ବାୟୁଦ୍ୱାରା ସଂକ୍ରମିତ ହେଉଥିବା ଜଣାପଡିଛି । ବିଶେଷଜ୍ଞଙ୍କ କହିବା ଅନୁସାରେ ଦ୍ୱିତୀୟ ଲହରରେ କରୋନା ଭୂତାଣୁର ନୂଆ ରୂପ ଯୋଗୁଁ ଏହା ବାୟୁରେ ସଂକ୍ରମିତ କରିବାକୁ ସକ୍ଷମ ହୋଇଛି ।

କୁହାଯାଉଥିଲା କୌଣସି କରୋନା ସଂକ୍ରମିତ କାଶିବା ଓ ଛିଙ୍କିବା ଦ୍ୱାରା ବାହାରୁ ଥିବା ଡ୍ରପଲେଟରୁ କରୋନା ଅନ୍ୟମାନଙ୍କୁ ଆକ୍ରାନ୍ତ କରୁଛି । କରୋନାର ଏହି ତଥ୍ୟକୁ ଆଧାର କରି ଏହାର ମୁକାବିଲା ପାଇଁ ବର୍ଷେ ହେଲା ଗବେଷଣା ଚାଲିବା ସହ ନିୟନ୍ତ୍ରଣ ପାଇଁ ପଦକ୍ଷେପ ବି ନିଆଯାଉଛି । ଏଭଳି ସମୟରେ କରୋନା ଭୂତାଣୁ ତାର ନିଜର ଅସ୍ତିତ୍ୱ ବଜାୟ ରଖିବା ପାଇଁ ସଂଘର୍ଷ ଜାରି ରଖିଛି । ଭୂତାଣୁ ତାର ରୂପ ବଦଳାଇ ନୂଆ ରୂପରେ ଆସିଛି । ବିଶେଷଜ୍ଞଙ୍କ କହିବା ଅନୁସାରେ କୋଭିଡ୍ ଭାଇରସ୍ ରୂପ ବଦଳାଇବା ପରେ ବାୟୁମଣ୍ଡଳରେ ଅଧିକ ସମୟ ତିଷ୍ଠି ରହିବାରେ ସକ୍ଷମ ହେଉଛି । ଯାହା ଫଳରେ ବାୟୁ ଦ୍ୱାରା ଅଧିକରୁ ଅଧିକ ଲୋକଙ୍କ ସଂକ୍ରମିତ କରୁଛି ଏହି ମହାମାରୀ ।

କରୋନା ମୁକାବିଲା ପାଇଁ କୌଣସି ସ୍ଥାନରେ ଏକଜୁଟ ନହେବାକୁ କୁହାଯାଉଛି । ହେଲେ, ଅନେକ ସ୍ଥାନରେ ଲୁଚି ଛପି ବନ୍ଦ କୋଠରୀ ଭିତରେ ଏକାଠି ହେଉଥିବା ଦେଖାଯାଉଛି । ଏଭଳି ସମୟରେ ସତର୍କ କରିଛନ୍ତି ବରିଷ୍ଠ ଚିକିତ୍ସକ ପ୍ରସନ୍ନ ଦାସ । ତାଙ୍କ ମତରେ, ଖୋଲା ସ୍ଥାନ ଅପେକ୍ଷା ବନ୍ଦ କୋଠରୀରେ ଅଧିକ ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି । କାରଣ ଖୋଲା ସ୍ଥାନରେ ଭାଇରସ ବିଭିନ୍ନ ଆଡେ ଖେଳିଯାଏ କିନ୍ତୁ ବନ୍ଦ ଘରେ ସ୍ଥିର ହୋଇ ରୁହେ । ଫଳରେ ବନ୍ଦ ଘରେ ଥିବା ଲୋକ ଅଧିକ ସଂକ୍ରମିତ ହେବାର ସମ୍ଭାବନା ରହିଛି ।

କରୋନାର ନିୟନ୍ତ୍ରଣ ପାଇଁ ଏକାଧିକ କଟକଣା ସତ୍ୱେ ହୁ ହୁ ହୋଇ ବଢ଼ିବାର ଲାଗିଛି ସଂକ୍ରମଣ । ଦିନକରେ ରାଜ୍ୟରୁ ୪ ହଜାର ୭୬୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୨୦ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡ଼ରୁ ୬୭୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ୨୪ ଘଂଟାରେ ରାଜ୍ୟରେ ଆଉ ୫ ଜଣଙ୍କର ଜୀବନ ନେଇଛି ଏହି ମହାମାରୀ । ଅନ୍ୟପଟେ ଦେଶରେ ଲଗାତାର ଭାବେ ଅଢ଼େଇ ଲକ୍ଷ ଉପରେ ରହିଛି ଦୈନିକ ସଂକ୍ରମଣ ସଂଖ୍ୟା ।