ଆଗକୁ କରୋନାର ବିସ୍ଫୋରକ ସ୍ଥିତି : ରାଜ୍ୟ ସରକାରଙ୍କ କୋଭିଡ ପରାମର୍ଶଦାତା କହିଲେ, ସେପ୍ଟେମ୍ବର ଶେଷ ସୁଦ୍ଧା ରାଜ୍ୟରେ ୨ ଲକ୍ଷ ଟପିପାରେ ଆକ୍ରାନ୍ତଙ୍କ ସଂଖ୍ୟା; ୨୦ ଦିନ ମଧ୍ୟରେ  ଆସିଲାଣି ୭୩ ହଜାରରୁ ଅଧିକ ମାମଲା

311
କନକ ବ୍ୟୁରୋ :  ସେପ୍ଟେମ୍ବର ଶେଷ ସୁଦ୍ଧା ଓଡିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ଟପିଯାଇପାରେ । ରାଜ୍ୟରେ ସଂକ୍ରମଣ ହାରକୁ ଦେଖିବା ଏହି ଆକଳନ କରିଛନ୍ତି ରାଜ୍ୟ ସରକାରଙ୍କ କରୋନା ବୈଷୟିକ ପରାମର୍ଶଦାତା ଡାକ୍ତର ଜୟନ୍ତ ପଣ୍ଡା । ଏପିଡେମୋଲୋଜିକାଲ ଆନାଲିସରୁ ଏପରି ତଥ୍ୟ ଆସିଥିବା ସେ କହିଛନ୍ତି । ଏଥିରେ କରୋନା ସନ୍ଦିଗ୍ଧ, କରୋନା ଆକ୍ରାନ୍ତ ଓ ସୁସ୍ଥ ହାରକୁ ନେଇ ହୋଇଥିବା ବିଶ୍ଲେଷଣ କହୁଛି ରାଜ୍ୟରେ ସେପ୍ଟେମ୍ବର ୩୦ ସୁଦ୍ଧା ପଜିଟିଭ ସଂଖ୍ୟା ୨ଲକ୍ଷ ଟପିପାରେ ।
ଏଥିସହ ସେ କହିଛନ୍ତି, ସେପ୍ଟେମ୍ବର ମାସରେ ବର୍ତମାନ ସୁଦ୍ଧା ୪୩ ହଜାର ନୂଆ ମାମଲା ଚିହ୍ନଟ ହୋଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ୧ଲକ୍ଷ ୪୬ହଜାର ୮୯୪ ଓ ମୃତ୍ୟୁ ସଂଖ୍ୟା ୬୧୬ ରହିଛି । ହେଲେ ଏପିଡେମୋଲୋଜିକାଲ ଆନାଲିସରୁ ଚଳିତ ମାସରେ ଆହୁରି ୫୦ ରୁ ୬୦ହଜାର ନୂଆ ଆକ୍ରାନ୍ତ ରାଜ୍ୟରୁ ଚିହ୍ନଟ ହୋଇପାରନ୍ତି ବୋଲି କହିଛନ୍ତି ଡାକ୍ତର ଜୟନ୍ତ ପଣ୍ଡା । ଦୈନିକ ୩୬ଶହ ପାଖାପାଖି କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ୨୦ ଦିନ ଭିତରେ ୭୩ ହଜାରରୁ ଅଧିକ ଆକ୍ରାନ୍ତ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି, ଯାହା ମୋଟ ସଂକ୍ରମଣର ପ୍ରାୟ ଅଧା ।
ତେଣୁ ସେପ୍ଟେମ୍ବର ୩୦ ବେଳକୁ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ଟପିଯିବା ସମ୍ଭାବନା ବହୁତ ରହିଛି । ଅର୍ଥାତ୍ ଚଳିତ ମାସରେ ଆହୁରି ୫୦ରୁ ୬୦ ହଜାର ଆକ୍ରାନ୍ତ ଚିହ୍ନଟ ପାରନ୍ତି । ଦେଶରେ ବର୍ତମାନ ୫ଟି ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା  ୨ଲକ୍ଷ ଟପିଛି । ମହାରାଷ୍ଟ୍ରରେ ୧୦ଲକ୍ଷ ୧୫ ହଜାରରୁ ଅଧିକ, ଆନ୍ଧ୍ରପ୍ରଦେଶ ୫ଲକ୍ଷ ଉପରେ, ତାମିଲନାଡୁ ମଧ୍ୟ ୫ ଲକ୍ଷ ପାଖାପାଖି, ଉତରପ୍ରଦେଶରେ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ଉପରେ ଏବଂ ଦିଲ୍ଲୀରେ ୨ଲକ୍ଷ ଟପିଛି ପଜିଟିଭ ମାମଲା ।