ସ୍ତ୍ରୀକୁ ବଞ୍ଚାଇବାକୁ ଧାଇଁ ଧାଇଁ ଧଇଁସଇଁ ହେଇଗଲେ ସରକାରୀ ଡାକ୍ତର । ହେଲେ ମେଡ଼ିକାଲକୁ ପଶେଇ ଦେଲାନି ସିକ୍ୟୁରିଟି ଗାର୍ଡ଼ । ସଂକ୍ରମଣ ଭୟରେ ଆଡ଼ମିଟ୍ କଲେନି ଦ୍ୱିତୀୟ ଭଗବାନ୍ । ଅସହ୍ୟ ହେଲା ଯନ୍ତ୍ରଣା । ମେଡ଼ିକାଲ ଗେଟରେ ଜୀବନ ହାରିଦେଲେ କରୋନା ଯୋଦ୍ଧାଙ୍କ ସ୍ତ୍ରୀ ।

3,180

କନକ ବ୍ୟୁରୋ: କରୋନା ଯୋଦ୍ଧାଙ୍କୁ ସମ୍ମାନ ନୁହେଁ ସହଯୋଗ ଆବଶ୍ୟକ । ମହାମାରୀ ସମୟରେ ଯୋଦ୍ଧାଙ୍କ ସ୍ତ୍ରୀଙ୍କୁ ମାରିଦେଲା ସନ୍ଦେହ । ହାତରେ ଥାଏ ସ୍ତ୍ରୀର କରୋନା ନେଗେଟିଭ୍ ରିପୋର୍ଟ । କାନ୍ଦ କାନ୍ଦ ହୋଇଯାଉ ଗୋଡ଼ହାତ ଧରିପକାଉ ଥାଆନ୍ତି କରୋନା ଯୋଦ୍ଧା । ଏ ମେଡ଼ିକାଲରୁ ସେ ମେଡ଼ିକାଲରୁ ଦୌଡ଼ୁଥାଆନ୍ତି ସରକାରୀ ଡାକ୍ତର । ହେଲେ କୌଣସି ମେଡ଼ିକାଲ ରୋଗୀଣା ସ୍ତ୍ରୀକୁ ଭର୍ତ୍ତି କରିବାକୁୁ ରାଜି ହେଲେନି । ସଂକ୍ରମଣ ଡରରେ ଛୁଇଁବାକୁ ରାଜି ହେଲେନି ଦ୍ୱିତୀୟ ଭଗବାନ୍  । ନିଜେ ଜଣେ ସରକାରୀ ଡାକ୍ତର ହୋଇଥିଲେ ସୁଦ୍ଧା ଅଦୃଶ୍ୟ ଭାଇରସର ଅଜଣା ଭୟରୁ ସ୍ତ୍ରୀକୁ ବଞ୍ଚାଇ ପାରିଲେନି । ଶହ ଶହ ଲୋକଙ୍କ ଜୀବନ ବଞ୍ଚାଇଥିବା ଡାକ୍ତର ଅଚାନକ୍ ଅସହାୟ ହୋଇଗଲା । ମେଡ଼ିକାଲ ଗେଟରେ ସ୍ୱାମୀର ଅସହାୟତାକୁ ଜଳଜଳ ଦେଖିପାରୁଥିଲେ ସ୍ତ୍ରୀ । ବିହାରରୁ ଆସିଛି ଏପରି ହୃଦୟବିଦାରଖ ଘଟଣା ।

ମୃତ୍ୟୁ ନୀରବ କିନ୍ତୁ ନିଷ୍ଠୁର । ବସ୍ତୁବାଦୀ ଓ ସ୍ୱାର୍ଥସର୍ବସ୍ୱ ଦୁନିଆରେ ଯୋଦ୍ଧାଙ୍କ କଥା କିଏ ବୁଝୁଛି । ସଙ୍କଟ ସମୟରେ କେବଳ ମଣିଷ ମାରୁନି କରୋନା, ମାନବିକତାକୁ ବି ମାରିଦେଉଛି । ସ୍ତ୍ରୀକୁ ଭଲ କରିବା ଅଶାରେ ଗୋଟିଏ ପରେ ଗୋଟିଏ ମେଡ଼ିକାଲ ଦୌଡ଼ୁଥିଲେ ସରକାରୀ ଡାକ୍ତର । ହେଲେ ମେଡ଼ିକାଲ ଗେଟରେ ମୃତ୍ୟୁ ଚାରି ବାହୁ ମେଲି ବିକଟାଳ ହସ ହସୁ ହସୁଥିଲା । ଗାର୍ଡ଼ ଠାରୁ ଆରମ୍ଭ କରି ଡାକ୍ତର ସମସ୍ତଙ୍କ ଗୋଡ଼ହାତ ଧରିଲେ କିନ୍ତୁ କେହି ଶୁଣିଲେନି । ସ୍ତ୍ରୀକୁ ହରାଇବା ପରେ ବିହାରର ଜଣେ ସରକାରୀ ଡାକ୍ତର କାନ୍ଦି କାନ୍ଦି ଦୁଃଖ ବଖାଣିଛନ୍ତି । ନିଜେ ଜଣେ ସରକାରୀ ଡାକ୍ତର । ହେଲେ ଚିକିତ୍ସା ଅଭାବରୁ ମେଡ଼ିକାଲ ଗେଟରେ ହିଁ ଜୀବନ ହାରିଲେ ସ୍ତ୍ରୀ । ସଂକ୍ରମଣ ସମୟରେ କରୋନା ରୋଗୀ ନୁହଁନ୍ତି ଅଧିକ ହନ୍ତସନ୍ତ ହେଉଛନ୍ତି ଅନ୍ୟାନ୍ୟ ରୋଗୀ । ଭାଇରସ୍ ଭୟ ଯୋଗୁଁ ଅକାରଣରେ ଲୋକଙ୍କର ଜୀବନ ଚାଲିଯାଉଛି ।

ମହାମାରୀ କାଳରେ ଚିକିତ୍ସା ଅଭାବରୁ ଡାକ୍ତରଙ୍କ ସ୍ତ୍ରୀ ଜୀବନ ହାରିଦେଲେ । ସୁଗାର ଓ ବିପି ରୋଗରେ ପୀଡ଼ିତ ଥିଲେ ବି କୌଣସି ମେଡ଼ିକାଲ ଆଡ଼ମିଟ କଲେନି । କରୋନା ନେଗେଟିଭ୍ ରିପୋର୍ଟ ହାତରେ ଥିଲେ ସୁନ୍ଧା କୌଣସି ହସ୍ପିଟାଲ ତାଙ୍କୁ ଭର୍ତ୍ତି କରିନଥିଲେ ।  ଚିକିତ୍ସା ନହେଲେ ସ୍ତ୍ରୀର ବଞ୍ଚିବନି କହି ଯୋଦ୍ଧା କାକୁତି ମିନତି ହେଉଥିଲେ ବି ମେଡ଼ିକାଲ କର୍ତ୍ତୃପକ୍ଷ ଶୁଣିନଥିଲେ । ଶେଷରେ ସଙ୍କଟ ସମୟରେ ଲେଖାହେଲା କୋହଭରା କାହାଣୀ । ସବୁ ଶେଷ ହୋଇଗଲା । ଡାକ୍ତରଙ୍କ ଅବହେଳାରୁ ଜୀବନ ଚାଲିଗଲା ।