ଜୁନ୍ ମାସରେ ବଢିପାରେ କରୋନା । ପ୍ରବାସୀ ଫେରନ୍ତା ଓ ମୌସୁମୀ ବଢାଇପାରେ ସଂକ୍ରମଣ, ଜୁନ୍ ମାସ ପାଇଁ ସତର୍କ ସରକାର ।

5,057

କନକ ବ୍ୟୁରୋ : ଦେଶରେ ଜୁନ ମାସରେ ତାଲାବନ୍ଦ ଖୋଲାଯାଇ କଟକଣା କୋହଳ କରାଯାଇଛି । ହେଲେ ଓଡ଼ିଶାରେ ଆହୁରି କଡାକଡି ହେଉଛି କଟକଣା । କାରଣ ଜୁନ୍ ମାସରେ କରୋନା ଅଧିକ ବଢ଼ିବା ନେଇ ଆଶଙ୍କା କରିଛନ୍ତି ସରକାର । ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ଅନୌପଚାରିକ ଭାବେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଜୁନ୍ ମାସରେ ଅଧିକ ସତର୍କତା ଜରୁରୀ । କାରଣ ରାଜ୍ୟକୁ ଲକ୍ଷାଧିକ ପ୍ରବାସୀ ଫେରୁଛନ୍ତି । ତେଣୁ ଆକ୍ରାନ୍ତଙ୍କ ସଂଖ୍ୟା ବି ବଢିବ । ଏଥିସହ ଆଗକୁ ମୌସୁମୀ ଆସୁଥିବାରୁ ଏହା କରୋନା ଭୂତାଣୁକୁ ଆହୁରି ସକ୍ରିୟ କରିପାରେ ।

ଆଉ ୨୧ ଦିନ ପରେ କମିବ ବିପଦ । ଜୁନ୍ ମାସରେ ବଢିପାରେ କରୋନା । ୧୧ ଜିଲ୍ଲାରେ ଶନି, ରବି ସଟଡାଉନ୍ । ଜୁନ୍ ମାସ ପାଇଁ ସତର୍କ ସରକାର । ଜୁନ୍ ମାସରେ ଆପଣଙ୍କୁ ସବୁଠାରୁ ଅଧିକ ସତର୍କ ରହିବାକୁ ପଡିବ । ଓଡିଶା ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅନୌପଚାରିକ ଭାବେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଜୁନ୍ ମାସଟିକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ଚିନ୍ତା କରୁଛନ୍ତି ସରକାର । ସେଥିପାଇଁ ବିଶ୍ୱର ସବୁଠାରୁ ଅଧିକ ପ୍ରଭାବିତ ରାଷ୍ଟ୍ର ଏପରିକି ଆମ ଦେଶରେ ମଧ୍ୟ ସବୁଠାରୁ ଅଧିକ ପ୍ରଭାବିତ ଅଂଚଳ ଖୋଲୁଥିବା ବେଳେ ଓଡିଶା ସରକାର କିନ୍ତୁ ଏହି ଜୁନ୍ ମାସରେ କଟକଣାକୁ ଆହୁରି ବଢାଇଦେଇଛନ୍ତି ।

କାରଣ ନମ୍ବର-୧
ଓଡି଼ଶା ଫେରୁଛନ୍ତି ପ୍ରବାସୀ
ବର୍ତମାନ ଆମ ରାଜ୍ୟରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି, ସେଥିମଧ୍ୟରୁ ୯୫ ପ୍ରତିଶତ କେବଳ ସଙ୍ଗରୋଧ କେନ୍ଦ୍ରରୁ ଚିହଟ ହେଉଛନ୍ତି । ତେଣୁ ପ୍ରବାସୀଙ୍କ ସଂଖ୍ୟା ଯେତେ ବଢିବ ଆକ୍ରାନ୍ତଙ୍କ ସଂଖ୍ୟା ସେତିକି ବଢିବ । ସୋମବାର ସୁଦ୍ଧା ଓଡିଶାକୁ ୪ଲକ୍ଷ ୨୬ ହଜାର ପ୍ରବାସୀ ଫେରିଛନ୍ତି । ଆଗାମୀ ଦିନରେ ଏହି ସଂଖ୍ୟା ବଢିପାରେ ।

କାରଣ ନମ୍ବର-୨
କରୋନା ବଢାଇବ ମୌସୁମୀ
ଜୁନ୍ ଦ୍ୱିତୀୟ ସପ୍ତାହରେ ଓଡିଶା ଛୁଇଁପାରେ ମୌସୁମୀ । ଗୋଟିଏ ପଟେ ବହୁ ସଂଖ୍ୟାରେ ପ୍ରବାସୀ ଥିବେ । ଆଉ ଗୋଟିଏ ପଟେ ମୌସୁମୀ କରୋନା ଭୂତାଣୁକୁ ଆହୁରି ସକ୍ରିୟ କରିବାରେ ଅନୁକୂଳ ବାତାବରଣ ସୃଷ୍ଟି କରିବାରେ ସହାୟକ ହୋଇପାରେ ।

କାରଣ ନମ୍ବର-୩
ଗୋଷ୍ଠୀ ସଂକ୍ରମଣର ଆଶଙ୍କା ରହିଛି
ମଙ୍ଗଳବାର ଓଡିଶାରେ ୧୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୧ ଜଣ ସ୍ଥାନୀୟ ଲୋକ ଅଛନ୍ତି । ଅର୍ଥାତ୍ ସେମାନେ ବାହାରୁ ଆସିନାହାନ୍ତି କିମ୍ବା ସେମାନେ ସଂଗରୋଧ କେନ୍ଦ୍ରରେ ନଥିଲେ । ଏମାନଙ୍କ ବିଷୟରେ ସରକାର ବିଶେଷ ତଥ୍ୟ ମଧ୍ୟ ଦେଇନାହାନ୍ତି । ଏହାର ଅର୍ଥ ହୋଇପାରେ ସେମାନେ କେମିତି ସଂକ୍ରମିତ ହୋଇଛନ୍ତି ସେବିଷୟରେ ସବିଶେଷ ତଥ୍ୟ ମିଳିପାରିନାହିଁ । ଯଦିଓ ଆମ ଦେଶରେ କିମ୍ବା ଓଡିଶାରେ ଗୋଷ୍ଠୀ ସଂକ୍ରମଣ ନେଇ କୌଣସି ଠୋସ୍ ତଥ୍ୟ ମିଳିନାହିଁ, କିନ୍ତୁ ସତର୍କ ନହେଲେ ସଂକ୍ରମଣ ବଢିଯାଇପାରେ ।

ଓଡିଶା ସରକାର ଜୁନ୍ ମାସରେ ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଅନେକ କଟକଣା ଲଗାଇଛନ୍ତି । ୧୧ଟି ଜିଲ୍ଲାରେ ଶନିବାର ଓ ରବିବାର ସମ୍ପୂର୍ଣ୍ଣ ସଟଡାଉନ୍ ଘୋଷଣା କରାଯାଇଥିବା ବେଳେ ଅନେକ କଟକଣାକୁ ଜୁନ୍ ୩୦ ଯାଏ ବଳବତର ରଖିଛନ୍ତି । ଏହାଦ୍ୱାରା ଅନେକ ଲୋକ ଆର୍ଥିକ ସଂକଟର ସମ୍ମୁଖୀନ ହୋଇପାରନ୍ତି । କିନ୍ତୁ ଯଦି ଏହି ୨୧ ଦିନ ପରେ ବିପଦ କମିବ ହୁଏତ ସରକାରଙ୍କ ଏହି କଟକଣାକୁ ଗ୍ରହଣ କରିବା ପାଇଁ ଅନେକ ରାଜି ହୋଇପାରନ୍ତି ।