ଭୋକିଲା ପେଟରେ କରୋନା ଯୁଦ୍ଧ: ଚାକିରି ସ୍ଥାୟୀ କରିବାର ପ୍ରତିଶ୍ରୁତି ଦେଇ ଭୁଲିଗଲେ ସରକାର; କନ୍ଧମାଳର ବହୁମୁଖୀ ସ୍ୱାସ୍ଥ୍ୟକର୍ମୀଙ୍କୁ ୨୨ ମାସ ହେଲା ଦରମା ନାହିଁ

344

କନକ ବ୍ୟୁରୋ: ଆଶା ଓ ଅଙ୍ଗନବାଡି କର୍ମୀଙ୍କଠାରୁ ଡାକ୍ତର, ସ୍ୱାସ୍ଥ୍ୟ କର୍ମଚାରୀ, ପୁଲିସ ଓ ସାମ୍ବାଦିକ ପର୍ୟ୍ୟନ୍ତ ସମସ୍ତେ କରୋନା ଲଢେଇରେ ସାମିଲ ଅଛନ୍ତି। ଜୀବନ ପ୍ରତି ବିପଦ ରହିଥିଲେ ବି କରୋନାକୁ ହରାଇବା ପାଇଁ ସମସ୍ତେ ଲାଗି ପଡିଛନ୍ତି। କରୋନା ମୁକାବିଲା ପାଇଁ ନୂତନ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମଚାରୀଙ୍କ ନିଯୁକ୍ତି ଦିଆଯାଇଛି। ଏମିତି ମନୋବଳ ବୃଦ୍ଧି ନିମନ୍ତେ ଡାକ୍ତର ଓ କର୍ମଚାରୀଙ୍କୁ ଆଗୁଆ ୪ ମାସର ଦରମା ବି ଦିଆଯାଇଛି। କରୋନା କଟକଣା ପାଇଁ ଜୀବିକା ହରାଇଥିବା ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ହେଲେ ସ୍ୱଳ୍ପ ଦରମାରେ ୧୦-୧୧ ବର୍ଷ ହେଲା କାମ କରି ଆସୁଥିବା ଏବଂ ସଂପ୍ରତି କରୋନା ଯୋଦ୍ଧା ସାଜିଥିବା କନ୍ଧମାଳର ୯ ଜଣ ବହୁମୁଖୀ ପୁରୁଷ ସ୍ୱାସ୍ଥ୍ୟକର୍ମୀ ୨୨ ମାସ ହେଲା ଦରମା ନ ମିଳିବା ସାଧାରଣରେ ଉଦବେଗ୍ ଦୃଷ୍ଟି କରିଛି।

ଏହି ପୁରୁଷ ସ୍ୱାସ୍ଥ୍ୟକର୍ମୀମାନେ ଖଜୁରୀପଡା, ବ୍ରାହ୍ମଣପାଦ, ଦାରିଙ୍ଗବାଡି, ଫିରିଙ୍ଗିଆ, ତୁମୁଡିବନ୍ଧ ଓ ଟିକାବାଲିର ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ କାମ କରୁଛନ୍ତି। ମ୍ୟାଲେରିଆ ନିରାକରଣଠାରୁ ଟୀକାକରଣ କାର୍ଯ୍ୟ ଏମାନେ କରି ଆସୁଥିବା ବେଳେ ସଂପ୍ରତି କରୋନା ଯୋଦ୍ଧା ସାଜି ଆଶା ଓ ଅଙ୍ଗନବାଡି କର୍ମୀଙ୍କ ସହ ଘରଘର ବୁଲି ଲୋକଙ୍କୁ ସଚେତନ କରିବା ସହ କ୍ୱାରେଣ୍ଟାଇନ କେନ୍ଦ୍ର ବୁଲି ତଦାରଖ କରୁଛନ୍ତି। ଜୀବନକୁ ବାଜି ଲଗାଇ କାମ କରୁଥିବା ପୁରୁଷ ସ୍ୱାସ୍ଥ୍ୟକର୍ମୀଙ୍କୁ ମାସେ ନୁହେଁ କି ୩ ମାସ ନୁହେଁ। ଦୀର୍ଘ ୨୨ ମାସ ହେଲା ଦରମା ମିଳି ନାହିଁ। ଦରମା ପାଇଁ ମାନସିକ ଦୁଃଚିନ୍ତାରେ ରହି ମଧ୍ୟରେ ସେମାନେ କରୋନା ଯୁଦ୍ଧରୁ ବିରତି ହୋଇ ନାହାନ୍ତି।

ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ଉନ୍ନତି ନିମନ୍ତେ ସରକାର ଜାତୀୟ ଭେକ୍ଟର ବାହିତ ନିୟନ୍ତ୍ରଣ କାର୍ଯ୍ୟକ୍ରମ ପ୍ରୋଗ୍ରାମରେ ୨୦୦୯ରୁ ୨୦୧୩ ମସିହା ବିଭିନ୍ନ ପର୍ଯ୍ୟାୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବହୁମୁଖୀ ପୁରୁଷ ସ୍ୱାସ୍ୟକର୍ମୀଙ୍କୁ ନିଯୁକ୍ତି ମିଳିଥିଲା। ମାସକୁ ଦରମା ୬ହଜାର ଟଙ୍କା ରହିଥିବା ବେଳେ କନ୍ଧମାଳର ସମୁଦାୟ ୪୩ ଜଣ ନିଯୁକ୍ତି ପାଇଥିଲେ। ସେଥିରେ ଅଧିକାଂଶ ଅନ୍ୟ ଚାକିରି ପାଇ ପଳାଇ ଯାଇଥିଲେ। କର୍ତ୍ତବ୍ୟରେ ଅବହେଳା ପାଇଁ ୨ ଜଣଙ୍କୁ ବହିଷ୍କାର କରାଯାଇଥିବା ବେଳେ ୨ ଜଣ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ବର୍ତ୍ତମାନ ଜିଲ୍ଲାରେ ୯ ଜଣ କାମ କରୁଛନ୍ତି। ୨୦୧୪ ମସିହାରେ କେନ୍ଦ୍ର ସରକାର ଏହି କାର୍ଯ୍ୟକ୍ରମ ବନ୍ଦ କରି ଦେଇଥିଲେ। ହେଲେ ରାଜ୍ୟ ସରକାର କର୍ମଚାରୀଙ୍କ ପେଟପାଟଣାକୁ ଓ ସ୍ୱାସ୍ଥ୍ୟସେବାକୁ ଦେଖି ମାସକୁ ୫ହଜାର ୨୦୦ ଟଙ୍କାରେ କାମ କରିବାର ସୁଯୋଗ ଦେଇଥିଲେ। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଚାକିରି ସ୍ଥାୟୀ କରିବା ନିମନ୍ତେ ସରକାର ପ୍ରତିଶ୍ରୁତି ଦେଇଥିଲେ। ଏହାକୁ ପୁରୁଷ ସ୍ୱାସ୍ଥ୍ୟକର୍ମୀ ବେଶ ଖୁସି ହୋଇ ଥିଲେ।

ଆଜି ସୁଦ୍ଧା ଚାକିରି ତ ସ୍ଥାୟୀ ହେଲାନି। ଏହା ସତ୍ତ୍ବେ ନିରବଛିନ୍ନ ଭାବେ ସ୍ୱାସ୍ଥ୍ୟସେବା ଯୋଗାଇ ଦେଇ ଆସୁଥିବା ଏବଂ ସଂପ୍ରତି କରୋନା ଯୁଦ୍ଧରେ ସାମିଲ ଥିବା ବହୁମୁଖୀ ପୁରୁଷ ସ୍ବାସ୍ଥ୍ୟକର୍ମୀ୨୨ ମାସ ହେଲା ଦରମା ନ ପାଇବା ବିଡମ୍ବନାର ବିଷୟ। ସେମାନଙ୍କ ଚାକିରି ସ୍ଥାୟୀ କରିବା ସହ ବକେୟା ୨୨ ମାସର ଦରମା ପ୍ରଦାନ କରିବାକୁ କନ୍ଧମାଳର ବହୁମୁଖୀ ପୁରୁଷ ସ୍ୱାସ୍ଥ୍ୟକର୍ମୀ ଦାବି କରିଛନ୍ତି। ଏନେଇ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଓ ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ନେଇ କହିଛନ୍ତି।