କରୋନା: ଓଡିଶା କରିବ ରାପିଡ୍ ଟେଷ୍ଟ । ଆଗାମୀ ଦିନରେ ୨ ଲକ୍ଷ ଟେଷ୍ଟ କରିବାକୁ ଲକ୍ଷ୍ୟ । ସେପଟେ କରୋନା ଆକ୍ରାନ୍ତଙ୍କ ନମୂନା ପରୀକ୍ଷା କରିବ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ

690

କନକ ବ୍ୟୁରୋ: ମହାମାରୀ କରୋନାର ମୁକାବିଲା ପାଇଁ ଦୁଇଟି ପ୍ରମୁଖ ଅସ୍ତ୍ର ରହିଛି । ଗୋଟିଏ ହେଉଛି ସତର୍କତା ଏବଂ ଅନ୍ୟଟି ହେଉଛି ପରୀକ୍ଷା କରି ଆକ୍ରାନ୍ତଙ୍କୁ ଚିହ୍ନଟ କରିିବା । ଓଡିଶାରେ ଯେତେ ସଂଖ୍ୟାରେ ପରୀକ୍ଷା ହେଉଛି, ତାହା ଯଥେଷ୍ଟ କି? ଅଧିକ ପରୀକ୍ଷା କରିବାରେ କଣ ବାଧକ ରହିଛି । କନକ ନ୍ୟୁଜ ସରକାରଙ୍କୁ ଏହି ପ୍ରଶ୍ନ କରିଥିଲା । ଆଜି ରାଜ୍ୟ ସରକାର ଏହି ପ୍ରସଙ୍ଗରେ ଉତ୍ତର ରଖିଛନ୍ତି । ଡିଏମଇଟି ସିବିକେ ମହାନ୍ତି କହିଛନ୍ତି, ଆମେ ଯେତେ ଅଧିକ ସଂଖ୍ୟାରେ ପରୀକ୍ଷା କରିପାରିବା, ତାହା ସେତେ ଭଲ । ଡାକ୍ତର ମହାନ୍ତି କହିଛନ୍ତି ଖୁବ ଶୀଘ୍ର ଦୁଇ ଲକ୍ଷ ରାପିଡ ଟେଷ୍ଟିଂ ପାଇଁ କିଟ୍ ସଂଗ୍ରହ କରାଯାଉଛି ।

ଡାକ୍ତରୀ ଶିକ୍ଷା ଓ ପ୍ରଶିକ୍ଷଣର ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତିଙ୍କ କହିବା କଥା ହେଉଛି ଆମେ ଯେତେ ମାତ୍ରାରେ କରୋନା ପରୀକ୍ଷା କରିପାରିବା ତାହା ସେତେ ଭଲ । ଯେତେବେଳେ ହଜାର ହଜାର ସଂଖ୍ୟାରେ ଶ୍ରମିକ ଲକଡାଉନ ପାଇଁ କୁଆଡେ ଯାଇପାରିଲେ ନାହିଁ ଏବଂ ଯେଉଁଠି ପହଂଚିଥିଲେ, ସେଇଠି ଅଟକିଗଲେ । ଯଦି ଏମାନଙ୍କର ପରୀକ୍ଷା ହୋଇପାରିଥାନ୍ତା ଏବଂ ରିପୋର୍ଟ ନେଗେଟିଭ ଆସିଥାନ୍ତା ତେବେ ସେମାନଙ୍କୁ ଆରାମରେ ଘରକୁ ଯିବା ପାଇଁ ଅନୁମତି ଦିଆଯାଇ ପାରିଥାନ୍ତା ।

କାହିଁକି ଅଧିକରୁ ଅଧିକ ପରୀକ୍ଷା କରାଯାଉନାହିଁ ବୋଲି କନକ ନ୍ୟୁଜର ପ୍ରଶ୍ନ ଉପରେ ଶୁକ୍ରବାର ରାଜ୍ୟ ସରକାର ବିସ୍ତୃତ ବିବରଣୀ ଦେଇଛନ୍ତି । ଏବଂ ଏକ ଭଲ ଖବର ଦେଇ ଡାକ୍ତର ମହାନ୍ତି କହିଛନ୍ତି ରାଜ୍ୟ ସରକାର ଆଗକୁ ଦୁଇ ଲକ୍ଷ ରାପିଡ ଟେଷ୍ଟ କିଟ୍ ସଂଗ୍ରହ କରିବାକୁ ଯାଉଛନ୍ତି ।

ସେପଟେ ସୂଚନା ଓ ପ୍ରସାରଣ ବିଭାଗ ସଚିବ ସଂଜୟ ସିଂହ କହିଛନ୍ତି ଭୁବନେଶ୍ୱର ସ୍ଥିତ ଆରଏମଆରସିରେ କରୋନା ପରୀକ୍ଷା କ୍ଷମତା ଖୁବ ଶୀଘ୍ର ୧ ହଜାର ହେବାକୁ ଯାଉଛି । ଅର୍ଥାତ ପ୍ରତ୍ୟେକ ଦିନ ୧ ହଜାର ନମୂନା ପରୀକ୍ଷା ହୋଇପାରିବ । ଆରଏମଆରସିର ନିର୍ଦ୍ଦେଶିକା କହିଛନ୍ତି କରୋନା ପରୀକ୍ଷା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କୋଭାସ ମେସିନ୍ ଓଡ଼ିଶାରେ ପହଂଚିଯାଇଛି ।

ତେବେ କରୋନା ପାଇଁ କୌଣସି ଔଷଧ କିମ୍ବା ଟୀକା ବାହାରି ନଥିବା ବେଳେ ଏହା ସହ ଲଢେଇ ପାଇଁ ଦୁଇଟି ସବୁଠାରୁ ବଡ ଅସ୍ତ୍ର ରହିଛି । ଗୋଟିଏ ହେଉଛି ସତର୍କତା ଏବଂ ଅନ୍ୟଟି ହେଉଛି ଆକ୍ରାନ୍ତଙ୍କୁ ଚିହ୍ନଟ । ଆଉ ଏହା ପରୀକ୍ଷା ଦ୍ୱାରା ହିଁ କରାଯାଇପାରିବ ।