କନକ ବ୍ୟୁରୋ: ଲକଡାଉନ ନେଇ ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ ଜାରି । ଆସନ୍ତାକାଲି ଠାରୁ ଅନେକ କଟକଣା କୋହଳ କରିଛନ୍ତି ସରକାର । ତେବେ ନଜର ପକାନ୍ତୁ କଣ କଣ କୋହଳ, କଣ କଟକଣା କରାଯାଇଛି । କାଲିଠୁ ବିମାନ, ଟ୍ରେନ ଓ ଆନ୍ତରାଜ୍ୟ ବସ ଚଳାଚଳ ବନ୍ଦ ରହିବ । ସ୍କୁଲ, କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ହୋଟେଲରେ ରହିବା କଟକଣା ଜାରି ରହିବ । ସିନେମା ହଲ, ସପିଂ ମଲ୍, ଜିମ୍, ସ୍ପୋର୍ଟ୍ସ କମ୍ପେ୍ଲକ୍ସ ବନ୍ଦ ରହିବ । ସୁଇମିଂ ପୁଲ, ପାର୍କ, ଥିଏଟର, ବାର୍ ବନ୍ଦ ରହିବ । ତେବେ ଭିଡ ଜମୁଥିବା କାର୍ଯ୍ୟକ୍ରମ ଉପରେ କଟକଣା ବଳବତ୍ତର ରଖିଛନ୍ତି ସରକାର । ଧର୍ମାନୁଷ୍ଠାନ ଓ ଧାର୍ମିକ ସମାବେଶ ବନ୍ଦ ରହିବ ।
ସେହିପରି ୩ଟି ଜୋନ ଅନୁସାରେ ବି କେତେକ କଟକଣାକୁ କଡାକଡି ଓ କେତେକକୁ କୋହଳ କରାଯାଇଛି । ରେଡ ଜୋନରେ ବ୍ୟକ୍ତିଙ୍କୁ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ବାହାରକୁ ଯିବାକୁ ଅନୁମତି । ଓଲା ଏବଂ ଉବେରକୁ ନିର୍ଦ୍ଦିଷ୍ଟ ସେବା ପାଇଁ ଅନୁମତି ମିଳିବ । ୪ ଚକିଆ ଗାଡିରେ ଡ୍ରାଇଭର ସହ ସର୍ବାଧିକ ୨ ଜଣ ଯାଇପାରିବେ । ଦୁଇ ଚକିଆ ଗାଡିରେ ପଛରେ କେହି ବସି ପାରିବେନି । ରେଡ୍ ଜୋନର ଗ୍ରାମାଞ୍ଚଳର ସମସ୍ତ ପ୍ରକାର ନିର୍ମାଣ କାର୍ଯ୍ୟକୁ ଅନୁମତି । ସବୁ ଶିଳ୍ପ ସମ୍ପର୍କିତ କାମ ଚାଲିବ । ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି ପାଇଁ ଅନୁମତି ମିଳିବ । ଜନବସତି ପାଖରେ ଥିବା ଦୋକାନ ଖୋଲିବ । ଗ୍ରାମାଞ୍ଚଳରେ ମଲ ଛଡା ସମସ୍ତ ଦୋକାନ ଖୋଲା ରହିବ । ସହରାଞ୍ଚଳରେ ଗୋଟିକିଆ ଦୋକାନ, ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ଇ-କମର୍ସକୁ ଅନୁମତି । ଘରୋଇ ଅଫିସରେ ୩୩ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ ହେବ । ସରକାରୀ ଅଫିସ ବି ୩୩ ପ୍ରତିଶତ କର୍ମଚାରୀରେ ଖୋଲି ପାରିବ । ତେବେ ରେଡ ଜୋନର ଏ ସମସ୍ତ କାର୍ଯ୍ୟ ସାମାଜିକ ଦୂରତା ବଜାୟ ରଖି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସେପଟେ ଅରେଞ୍ଜ ଜୋନରେ ବିମାନ, ରେଳ, ଅନ୍ତରାଜ୍ୟ ବସ୍ ଚଳାଚଳ ଉପରେ କଟକଣା । କିନ୍ତୁ ଅରେଞ୍ଜ ଜୋନରେ ଚାଲି ପାରିବ ଟାକ୍ସି । ଜଣେ ଡ୍ରାଇଭର ଓ ୨ ଜଣ ଯାତ୍ରୀଙ୍କୁ ନେଇ ଟାକ୍ସି ଚାଲିବ । ୪ ଚକିଆ ଯାନରେ ଜଣେ ଡ୍ରାଇଭଲ ସମେତ ୨ ଜଣ ଯାତ୍ରୀ ଯାଇପାରିବେ । ତେବେ ଅରେଞ୍ଜ ଜୋନରେ ଅନୁମତିପ୍ରାପ୍ତ କ୍ଷେତ୍ରରେ ଜିଲ୍ଲା-ଜିଲ୍ଲା ମଧ୍ୟରେ ବ୍ୟକ୍ତି ବିଶେଷ ଓ ଗାଡି ଯାଇପାରିବ । ତାସହ ଅରେଞ୍ଜ ଜୋନରୁ ଅନ୍ୟ ସବୁ କାର୍ଯ୍ୟକଳାପ ଉପରୁ କଟକଣା ହଟିଲା ।
ତେବେ ଗ୍ରୀନ ଜୋନରେ ବିମାନ, ରେଳ, ଆନ୍ତରାଜ୍ୟ ବସ ଚଳାଚଳ ଉପରେ କଟକଣା । ସ୍କୁଲ, କଲେଜ, ହୋଟେଲ, ସିନେମା ହଲ, ମଲ, ଜିମ୍ ବନ୍ଦ ରହିବ । ଅନ୍ୟ ସବୁ କଟକଣା କୋହଳ । ସବୁଠାରୁ ବଡ କଥା ହେଉଛି ସବୁ ଜୋନରେ ୬୫ ବର୍ଷରୁ ଅଧିକ ବ୍ୟକ୍ତି, ଅନ୍ୟ ରୋଗରେ ଥିବା ବ୍ୟକ୍ତି, ଗର୍ଭବତୀ ମହିଳା, ୧୦ ବର୍ଷରୁ କମ ଶିଶୁଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି ।