ଭାରତରେ ବଢୁଛି କରୋନା ଭୟ, ଚିହ୍ନଟ ହେଲେଣୀ ୨୯ ସଂକ୍ରମିତ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା ପରେ ବଢ଼ିଲା ତତ୍ପରତା

359

କନକ ବ୍ୟୁରୋ : ଧୀରେ ଧୀରେ ଭାରତରେ କାୟା ବିସ୍ତାର କରିବା ଆରମ୍ଭ କଲାଣି କରୋନା ଭୂତାଣୁ । ଏହା ମଧ୍ୟରେ ଭାରତରେ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୨୯କୁ ବୃଦ୍ଧି ହୋଇଛି । ଏହି ୨୯ ଜଣ ସଂକ୍ରମିତଙ୍କ ମଧ୍ୟରୁ ଖୁସିର କଥା ହେଉଛି କେରଳର ୩ ଜଣ ଆକ୍ରାନ୍ତ ଡାକ୍ତରଖାନାରେ ସୁସ୍ଥ ହୋଇଛନ୍ତି । ତେଣୁ ବର୍ତମାନ ସୁଦ୍ଧା ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୬ କୁହାଯାଇପାରିବ । ଏହା ମଧ୍ୟରେ ଦିଲ୍ଲୀରେ ଜଣେ କରୋନା ସନ୍ଦୀଗ୍ଧ ଠାବ ହେବା ପରେ ତାଙ୍କ ସହିତ ମିଶିଥିବା ୬ ଜଣଙ୍କୁ ମଧ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଛି । ତେଲେଙ୍ଗାନାରୁ ବି ଗୋଟିଏ କରୋନା ସନ୍ଦୀଗ୍ଧ ପଜିଟିଭି ଆସିଛି । ଇଟାଲୀରୁ ଆସିଥିବା ୧୭ ଜଣଙ୍କ ଠାରେ କରୋନା ଭୂତାଣୁ ପଜିଟିଭ୍ ମିଳିଛି । ଏମାନଙ୍କ ମଧ୍ୟରୁ ଜଣେ ଭାରତୀୟ ୧୬ ଜଣ ଇଟାଲି ନାଗରିକ । ସେହିପରି ଗୁରୁଗ୍ରାମରୁ ବି ଗୋଟିଏ କରୋନା ପଜିଟିଭ୍ ଖବର ଆସିଛି ।

ସେପଟେ ଦିଲ୍ଲୀ ପରେ ଗୁଜରାଟର ସୁରଟରୁ ବି ଆସିଛି ୨ ଜଣ କରୋନା ସନ୍ଦୀଗ୍ଧଙ୍କ ଖବର । ସେମାନଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ଭାରତରେ କରୋନା ଭୂତାଣୁର ଏପରି ସଂକ୍ରମଣକୁ ଦେଖିବା ପରେ ସରକାର ସତର୍କତା ଅବଲଂବନ କରିଛନ୍ତି । ଦେଶରେ ଥିବା ବିଦେଶୀ ନାଗରିକଙ୍କୁ ଯାଂଚ କରାଯିବା ନେଇ କୁହାଯାଇଛି । ପ୍ରଥମେ ୧୨ଟି ଦେଶର ନାଗରିକଙ୍କ ହେବ ଯାଂଚ । ସେପଟେ କରୋନା ଭୂତାଣୁ ଲୋକଙ୍କ ଠାରୁ ଲୋକଙ୍କୁ ଅଧିକ ସଂକ୍ରମିତ ହେବାକୁ ନଜରରେ ରଖି ଲୋକଙ୍କ ମଧ୍ୟରେ ଭୟ ଖେଳିଗଲାଣି । ସତର୍କତା ମୂଳକ ଲୋକଙ୍କ ସହ ହାତ ମିଳାଇବାକୁ ଲୋକେ ଡରୁଛନ୍ତି । ସେପଟେ କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ଯୁଦ୍ଧକାଳୀନ ଭିତିରେ କାମ ଆରମ୍ଭ କରିଛନ୍ତି ଭାରତ ସରକାର । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଧନ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏବେ କରୋନା ଭୂତାଣୁ ପରୀକ୍ଷା ପାଇଁ ଦେଶରେ ୧୫ଟି ଲ୍ୟାବ ରହିଛି । ସରକାର ଆଉ ୧୯ଟି ଲ୍ୟାବ ନିର୍ମାଣ କରିବେ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ।