କନକ ବ୍ୟୁରୋ: ମାରାତ୍ମକ କରୋନା ଭାଇରସ ସଂକ୍ରମଣର ତିନିଟି ନୂଆ ଘଟଣା ସାମ୍ନାକୁ ଆସିଛି। ଫଳରେ ଭାରତରେ କରୋନା ଭାଇରସ୍ ପଜିଟିଭ୍ ଥିବା ରୋଗୀଙ୍କ ସଂଖ୍ୟା ୩୪ରେ ପହଞ୍ଚିଛି। ତେବେ ଏହି ମାରାତ୍ମକ କରୋନା ଭାଇରସ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଏକ ଟୁଇଟ କରିଛି।
ଏହି ଟୁଇଟରେ ଉଲ୍ଲେଖ ରହିଛି କି, ଆପଣ ଯଥାସମ୍ଭବ ପରିଷ୍କାର- ପରିଚ୍ଛନ୍ନ ରହିବାକୁ ଚେଷ୍ଟା କରନ୍ତୁ। କିଛି ସମୟ ବ୍ୟବଧାନ ରଖି ସାବୁନ୍ ଓ ସାନିଟାଇଜରରେ ହାତ ଧୋଇବା ଅଭ୍ୟାସ କରନ୍ତୁ। ସଚେତନ ରହନ୍ତୁ ଓ ସଚେତନତା ସୃଷ୍ଟି କରିବାକୁ ଆପଣଙ୍କୁ ଅନୁରୋଧ।
ତେବେ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଟୁଇଟରେ ଏକ ଫଟୋ ସେୟାର କରିଛି। ଏଥିରେ କେଉଁକେଉଁ ଜିନିଷ ଦ୍ବାରା କରୋନା ଭାଇରସ୍ ବ୍ୟାପିବାର ସମ୍ଭାବନା ଅଧିକ ରହିଛି ତାହାକୁ ସୂଚିତ କରାଯାଇଛି। ଯଦି ଜଣେ ସୁସ୍ଥ ଲୋକ ସଂକ୍ରମିତ ରୋଗୀର ହାତ ସ୍ପର୍ଶ କରୁଛି ତେବେ ସେ ସିଧାସଳଖ ଏହି କରୋନା ଭାଇରସ୍ରେ ସଂକ୍ରମିତ ହୋଇପାରେ ବୋଲି କୁହାଯାଉଛି।
#CoronaVirusUpdate:
In order to stay protected from #coronavirus, practise basic personal hygiene! #COVID19
👉Wash your hands frequently by using hand sanitizer or soap & water.
We urge you to share this information to create awareness.#HelpUsToHelpYou#CoronaOutbreakpic.twitter.com/5FotNdRWVb— Ministry of HRD (@HRDMinistry) March 7, 2020
କେବଳ ଏତିକି ନୁହେଁ, କରୋନା ଭାଇରସ୍ ସଂକ୍ରମିତ ରୋଗୀର ଛେପ ପେନ୍, ଟ୍ରେନରେ ଯାତ୍ରୀଙ୍କ ଧରିବାକୁ ଥିବା ଷ୍ଟ୍ରାପସ୍, ଡ୍ର ଖୋଲିବାକୁ ଥିବା ହ୍ୟାଣ୍ଡେଲ, ଡିଜିଟାଲ ଡିଭାଇସ୍, ଟିସୁ, କପ୍, ମାଉସ୍, ଲିଫ୍ଟ ବଟନ୍, ଚପ୍ ଷ୍ଟିକ୍ ଓ ପାହାଚ ଧରିବାକୁ ଥିବା ରେଲିଂ ଆଦିରେ ଲାଗିବାର ସମ୍ଭାବନା ଥାଏ। ଆଉ ଏସବୁ ସଂସ୍ପର୍ଶରେ ଯଦି ଜଣେ ସୁସ୍ଥ ଲୋକ ଆସୁଛି ତେବେ ସେ କରୋନା ଭାଇରସରେ ସଂକ୍ରମିତ ହେବାର ଅନେକ ସମ୍ଭାବନା ରହୁଛି।
ଦେଶରେ ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀରେ କରୋନାଭାଇରସ୍ ପ୍ରସଙ୍ଗରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏଯାବତ ହୋଇଥିବା ପ୍ରସ୍ତୁତି ସମ୍ପର୍କରେ ସମସ୍ତ ସୂଚନା ଦେଇଥିଲେ। ଏଥିସହିତ ଦେଶର ୫୨ଟି ପରୀକ୍ଷାଗାରରେ ରକ୍ତ ନମୁନା ପରୀକ୍ଷା କରାଯାଉଛି ବୋଲି ମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି।