କରୋନା ରିପୋର୍ଟରେ ଓଡିଶାକୁ ଆଶ୍ୱସ୍ତି । ପରୀକ୍ଷା ହୋଇଥିବା ୯ଟି ଯାକ ନମୂନାରୁ ୯ ନେଗେଟିଭ । ସ୍ଥିତିର ମୁକାବିଲା ପାଇଁ ସରକାରଙ୍କ କଡା ପଦକ୍ଷେପ

2,146

କନକ ବ୍ୟୁରୋ: ଓଡିଶା କରୁଛି କରୋନା ମୁକାବିଲା । ବିଭିନ୍ନ ସଚେତନତାମୂଳକ ପଦକ୍ଷେପ ନେଇ ଓଡିଶାବାସୀଙ୍କୁ ସତର୍କ କରୁଛନ୍ତି ରାଜ୍ୟ ସରକାର । ତେବେ ଏଯାଏଁ ଓଡିଶାରେ ୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଅନ୍ୟ ସମସ୍ତ ରକ୍ତ ନମୂନା ନେଗେଟିଭ ଆସିଛି ।

ତେବେ ଗତକାଲି ପରୀକ୍ଷା ପାଇଁ ଯାଇଥିବା ୯ଟି ନମୂନାରେ କରୋନା ଭୂତାଣୁ ନଥିବା ସ୍ପଷ୍ଟ କରିଛନ୍ତି ରାଜ୍ୟ ସରକାର । ଗତକାଲି ଆସିଥିବା ୯ଟି ଯାକ ରିପୋର୍ଟ ନେଗେଟିଭ୍ ରହିଛି । ଗତକାଲି କରୋନା ସମ୍ପର୍କିତ ୨୪ ଘଣ୍ଟିଆ ରିପୋର୍ଟ ଦେଲା ବେଳେ ସରକାରଙ୍କ ମୁଖ୍ୟ ମୁଖପାତ୍ର ୬୬ଟି ନମୂନାରୁ ୬୦ ନେଗେଟିଭ, ୨ ପଜିଟିଭ ଆଉ ୪ଟି ରିପୋର୍ଟ ଆସିନଥିବା ସୂଚନା ଦେଇଥିଲେ । ଆଉ ଆସିନଥିବା ୪ଟି ନମୂନା ସମେତ ମୋଟ ୯ଟି ନମୂନା ପରବର୍ତ୍ତୀ ସମୟରେ ନେଗେଟିଭ ବୋଲି ସ୍ପଷ୍ଟ ହୋଇଛି ।

ସେପଟେ କରୋନା ବିରୋଧରେ ଲଢେଇ ପାଇଁ ସମସ୍ତ ଜୋର ଲଗାଇ ଦେଇଛନ୍ତି ସରକାର । କୌଣସି ସ୍ଥାନରେ ୭ ଜଣ ଏକାଠି ହେବା ଉପରେ କଟକଣା ଲଗାଯାଇଛି । ସାଙ୍ଗ ହୋଇ କୌଣସି ସ୍ଥାନରେ ୭ ଜଣରୁ ଅଧିକ ଲୋକ ଏକାଠି ନହେବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଭିଡ଼ ଜମୁଥିବା ସମସ୍ତ ରେଷ୍ଟୁରାଂଟ, କଫି ସପ୍, ବାର, କ୍ୟାଂଟିନ ସମେତ ଜନଗହଳି ହେଉଥିବା ସ୍ଥାନକୁ ତୁରନ୍ତ ବନ୍ଦ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।