କନକ ବ୍ୟୁରୋ: ପୁଣି ଫେରୁଛି କି କରୋନା । ସାରା ଦେଶର କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ହୁ ଭାରତ ପାଇଁ ସତର୍କବାଣୀ ଦେଇଛି । ପୁଣି ଭବିଷ୍ୟତରେ ଜଟିଳ ସ୍ୱାସ୍ଥ୍ୟସମସ୍ୟା ଥିବା ରୋଗୀଙ୍କୁ ଆଉ ଗୋଟିଏ ବୁଷ୍ଟର ଡୋଜର ଆବଶ୍ୟକତା ଥିବା କହିଛି ହୁ । କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁର ସଂଖ୍ୟା ନଆସିବା ଏକ ଆଶ୍ୱସ୍ତିକର ଖବର । କିନ୍ତୁ ଭବିଷ୍ୟତ ବିପଦର ଆକଳନ କରି ଏହା କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।
କରୋନା ପୁଣି କାୟା ମେଲାଉଥିବା ବେଳେ ଆଉ ଏକ ବୁଷ୍ଟର ଡୋଜ ନେବାକୁ ପରାମର୍ଶ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ବୟସ୍କ ବ୍ୟକ୍ତିଙ୍କ ସମେତ ବିଭିନ୍ନ ରୋଗରେ ପୀଡ଼ିତ ଥିବା ଲୋକଙ୍କୁ ବୁଷ୍ଟର ଡୋଜ ନେବାକୁ କହିଛି ଡବ୍ଲୁଏଚ୍ଓ । ଏହି ବର୍ଗର ବ୍ୟକ୍ତିଙ୍କ ନିକଟରେ ରୋଗ ପ୍ରତିରୋଧକ ଶକ୍ତି କମ ଥିବାରୁ କରୋନାର ବୁଷ୍ଟର ଡୋଜ ନେବାକୁ ବିଶେଷଜ୍ଞମାନେ ବି ପରାମର୍ଶ ଦେଇଛନ୍ତି ।
ଦେଶରେ ପୁଣି ଥରେ କରୋନା ସଂକ୍ରମଣ ବଢୁଥିବାରୁ ଚିନ୍ତାବ୍ୟକ୍ତ କରିଛି ଡବ୍ଲୁଏଚଓା ବିଶେଷଜ୍ଞଙ୍କ କହିବା ଅନୁଯାୟୀ ବୁଷ୍ଟର ଡୋଜ୍ ନେବାର ୬ କିମ୍ବା ୧୨ ମାସ ପରେ ଜଣେ ଅତିରକ୍ତ ବୁଷ୍ଟର ଡୋଜ୍ ନେଇପାରିବେ । ଦେଶରେ ଏବେ ଲଗାତର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଂଟାରେ ୩ ହଜାର ୮୨୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କୋଭିଡର ପ୍ରଥମ ଡୋଜ୍ ଟିକା ମୃତ୍ୟୁହାରକୁ ରୋକିବାରେ ୯୮.୯ ପ୍ରତିଶତ ସହାୟକ ହୋଇଥିଲା । ଦ୍ୱିତୀୟ ଡୋଜରେ ୯୯.୪ ପ୍ରତିଶତ ମୃତ୍ୟୁହାରକୁ ରୋକିବାରେ ସହାୟକ ହୋଇଛି । ତେବେ ବୟସ୍କ ତଥା ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଲୋକ ଆଉ ଥରେ ବୁଷ୍ଟର ଡୋଜ ନେଲେ କୋଭିଡର ମୁକାବିଲା କରିପାରିବେ ବୋଲି ବିଶେଷଜ୍ଞମାନେ କହିଛନ୍ତି ।