କନକ ବ୍ୟୁରୋ : ବିଶ୍ବବ୍ୟାପୀ କରୋନାକୁ ନେଇ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଏହା ଭାରତରେ ପହଞ୍ଚିବା ପରେ ଲୋକଙ୍କ ଚିନ୍ତା ବଢ଼ିଯାଇଛି। ଦିଲ୍ଲୀରୁ ନୋଏଡ଼ା ଏବଂ ଆଗ୍ରା ପର୍ଯ୍ୟନ୍ତ ଅନେକ ସନ୍ଦିଗ୍ଧଙ୍କୁ ଠାବ କରାଯାଇଛି। ଆଗ୍ରାର ଦୁଇ ଜଣ ଜୋତା ରପ୍ତାନିକାରୀଙ୍କ ପରିବାରର ୬ ଜଣ କରୋନା ସନ୍ଦିଗ୍ଧଙ୍କୁ ଦିଲ୍ଲୀର ସଫ୍ଦରଜଙ୍ଗ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। କରୋନା ଏବେ ୭୦ ଦେଶରେ ପହଞ୍ଚି ସାରିଥିବା ବେଳେ ଭାରତରେ ୨ ଜଣ ଭାଇରସ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ଜୟପୁରରେ ଥିବା ଜଣେ ଇଟାଲୀୟ ନାଗରିକ ବି ଭାଇରସ୍ ଆକ୍ରାନ୍ତ ହୋଇଛନ୍ତି। ଏହି ତିନି ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ହସ୍ପିଟାଲ ସୂତ୍ରରୁ ପ୍ରକାଶ। ଭାରତରେ ଏ ପର୍ଯ୍ୟନ୍ତ ମୋଟ ୬ ଜଣ କରୋନା ଭାଇରସ୍ରେ ଆକ୍ରାନ୍ତ ହୋଇଛନ୍ତି ଏବଂ ଅନ୍ୟ ସନ୍ଦିଗ୍ଧମାନଙ୍କୁ ପୃଥକ୍ ବ୍ୟବସ୍ଥାରେ ରଖାଯାଇଛି ବୋଲି କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଦିଲ୍ଲୀରେ ଭାଇରସ୍ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ପୁଅ ନଏଡ଼ା ସ୍ଥିତ ଏକ ସ୍କୁଲ୍ରେ ଅଧ୍ୟୟନ କରୁଥିବାରୁ ଏବେ ଏହି ସ୍କୁଲ୍କୁ ବନ୍ଦ ରଖାଯାଇଛି। ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଉକ୍ତ ଛାତ୍ର ଯେଉଁ ସ୍କୁଲ୍ରେ ଅଧ୍ୟୟନ କରୁଥିଲା ସେହି ସ୍କୁଲ୍କୁ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଉକ୍ତ ୨ଟି ସ୍କୁଲ୍ର କିଛି ଛାତ୍ରଛାତ୍ରୀଙ୍କ ନମୁନା ପରୀକ୍ଷା ପାଇଁ ଅଣାଯାଇଛି। ମିଳିଥିବା ସୂଚନାନୁଯାୟୀ ସମୁଦାୟ ୪୦ ଜଣ ଛାତ୍ରଙ୍କୁ ଏବେ ୨୮ ଦିନିଆ ଆଇସୋଲେସନ୍କୁ ପଠାଯାଇଛି। ଗୌତମ ବୁଧ ନଗରର ମୁଖ୍ୟ ମେଡିକାଲ ଅଧିକାରୀ ଅନୁରାଗ ଭାର୍ଗବ କହିଛନ୍ତି ଯେ ସ୍କୁଲ୍ ଦିନେ କିମ୍ବା ୨ ଦିନ ବନ୍ଦ ରହିବ।
ଏହି ସମୟରେ ସ୍କୁଲ୍କୁ ଭଲଭାବେ ପରିସ୍କାର କରାଯିବ। ତେବେ ଭାଇରସ୍ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଗତ ଫେବ୍ରୁଆରି ୨୮ରେ ତାଙ୍କ ପିଲାର ଜନ୍ମଦିନ ପାଇଁ ଦିଲ୍ଲୀର ଏକ ହୋଟେଲ୍ରେ ପାର୍ଟି ଦେଇଥିଲେ। ସ୍କୁଲ୍ର ଅନ୍ୟ ଛାତ୍ରମାନେ ଏଥିରେ ଯୋଗ ନେଇଥିଲେ। ଯେଉଁମାନେ ଏହି ଜନ୍ମଦିନ ଉତ୍ସବରେ ଯୋଗ ଦେଇଥିଲେ ସେମାନଙ୍କୁ ଆଇସୋଲେସନ୍ରେ ରଖାଯାଇଛି। ଅନ୍ୟପକ୍ଷେ ନଏଡ଼ା, ଗ୍ରେଟର ନଏଡ଼ାରେ ୧୦୦୦ କମ୍ପାନିକୁ ସତର୍କତା ନୋଟିସ୍ ଜାରି କରାଯାଇଛି। ଦିଲ୍ଲୀର ଯେଉଁ ହୋଟେଲ୍ରେ ବାର୍ଥଡେ ପାର୍ଟି ହୋଇଥିଲା ସେହି ହୋଟେଲ୍ର ସମସ୍ତ କର୍ମଚାରୀଙ୍କୁ ୧୪ ଦିନ ନିଜେ କ୍ବାରେଣ୍ଟାଇନ୍ରେ ରହିବାକୁ କୁହାଯାଇଛି।
Follow Us