କନକ ବ୍ୟୁରୋ: ଚୀନରୁ ବ୍ୟାପିଥିବା କରୋନା ଭାଇରସ ସାରା ବିଶ୍ୱରେ କୋକୁଆ ଭୟ ସୃଷ୍ଟି କରିଛି । ବୁହାନ ସହରରୁ ଏହା ଦେଶରୁ ଦେଶକୁ ଡେଇଁବାରେ ଲାଗିଛି । ଏହାରି ଭିତରେ ଚୀନରୁ ଫେରିଥିବା ଦୁଇଜଣ ଭାରତୀୟ, ସାଙ୍ଗରେ ଏହି ମାରାତ୍ମକ ଭୂତାଣୁ ନେଇ ଆସିଥିବା ଆଶଙ୍କା କରାଯାଉଛି । ତେଣୁ ଏମାନଙ୍କୁ ମୁମ୍ବାଇ ଚିଂଚପୋକଲିରେ ଥିବା କସ୍ତୁରବା ହସ୍ପିଟାଲରେ ସ୍ୱତନ୍ତ୍ର ନୀରିକ୍ଷଣରେ ରଖାଯାଇଛି । ଏନେଇ ସ୍ପଷ୍ଟ କରିଛନ୍ତି ବିଏମସିର କାର୍ଯ୍ୟନିର୍ବାହୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପଦ୍ମଜା କେଶକର । ସେ କହିଛନ୍ତି- ‘କରୋନା ଭାଇରସରେ ଆକ୍ରାନ୍ତଙ୍କ ପାଇଁ ବ୍ରିହାନ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ ପକ୍ଷରୁ କସ୍ତୁରବା ହସ୍ପିଟାଲରେ ଏକ ସ୍ୱତନ୍ତ୍ର ୱାର୍ଡ କରାଯାଇଛି । ଯେଉଁମାନଙ୍କ ଠାରେ କରୋନା ଭାଇରସ ଥିବା ନେଇ ସନ୍ଦେହ ହେବ ସେମାନଙ୍କୁ ଏଠାରେ ବିଶେଷଜ୍ଞ ଡାକ୍ତରଙ୍କ ସ୍ୱତନ୍ତ୍ର ନୀରିକ୍ଷଣରେ ରଖାଯିବ ।’

Advertisment

publive-image

ଚୀନର ବୁହାନ ସହରରୁ ଆରମ୍ଭ ହୋଇଥିବା ଏହି ମାରାତ୍ମକ ଭାଇରସ ଏବେ ବିଶ୍ୱର ଅନ୍ୟାନ୍ୟ ସହରକୁ ମଧ୍ୟ ବ୍ୟାପିବାରେ ଲାଗିଛି । ସି-ଫୁଡ ଖାଇବା ଫଳରେ ଏହି ଭୂତାଣୁ ବ୍ୟାପୁଥିବାବେଳେ ଏବେ ରୋଗୀଙ୍କଠାରୁ ଅନ୍ୟମାନଙ୍କୁ ମଧ୍ୟ ସଂକ୍ରମିତ ହେଉଛି ।

କରୋନା ଭାଇରସ ଆକ୍ରାନ୍ତଙ୍କ ଠାରେ ଥଣ୍ଡା, କାଶ, ଗଳା ଦରଜ ଓ ଜ୍ୱର ଭଳି ଲକ୍ଷଣ ଦେଖାଯାଉଛି । ହେଲେ ଦୀର୍ଘଦିନ ଧରି ଜ୍ୱର ଭଲ ନହେବା ସହିତ ଏହା ନିମୋନିଆ ଭଳି ସାଂଘାତିକ ସ୍ୱାସ୍ଥ୍ୟ ସଂକଟ ମଧ୍ୟ ସୃଷ୍ଟି କରୁଛି । ଏପରିକି ବୃକକ ଜନିତ ଜଟିଳତା କାରଣରୁ ରୋଗୀର ଜୀବନ ଚାଲିଯିବା ଆଶଙ୍କା ରହିଛି । ତେଣୁ ରୋଗୀଙ୍କୁ ସ୍ୱତନ୍ତ୍ର ନୀରିକ୍ଷଣରେ ରଖିବା ଜରୁରୀ ହୋଇପଡିଛି । ବାୟୁବାହିତ ଭୂତାଣୁ ହୋଇଥିବାରୁ ରୋଗୀଙ୍କୁ ଅନ୍ୟମାନଙ୍କ ଠାରୁ ଦୂରେଇ ରଖିବା ଆବଶ୍ୟକ । ରୋଗୀ ଛିଙ୍କିଲେ କିମ୍ବା କାଶିଲେ ଏହା ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କୁ ମଧ୍ୟ ସଂକ୍ରମଣ ହୋଇପାରେ । ସାଉଦି ଆରବରେ କାର୍ଯ୍ୟରତ ଥିବା କେରଳର ଜଣେ ନର୍ସ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।

publive-image

ସାଉଦି ଆରବର ଅଲ ହାୟତ ନ୍ୟାସନାଲ ହସ୍ପିଟାଲରେ କାମ କରୁଥିବା ଏହି ନର୍ସ ଜଣେ ରୋଗୀଙ୍କୁ ସେବା କଲାବେଳେ କରୋନା ଭାଇରସ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଫିଲିପାଇନ୍ସର ଜଣେ ବ୍ୟକ୍ତିଙ୍କ ସେବା କରି ସେ ଭାଇରସ ଆକ୍ରାନ୍ତ ହୋଇଛନ୍ତି । ଏହାପରେ ଭାରତର ଅନ୍ୟ ୨୦ଜଣ ନର୍ସଙ୍କୁ ମଧ୍ୟ ଅନ୍ୟଏକ ହସ୍ପିଟାଲରେ ସ୍ୱତନ୍ତ୍ର ଡାକ୍ତରୀ ନୀରିକ୍ଷଣରେ ରଖାଯାଇଥିବା ଜଣାପଡିଛି । ୧୦୦ ଜଣ ଭାରତୀୟ ନର୍ସଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଇଛି । ଏହି ଭୟାବହ ଭାଇରସର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ପନିରାୟୀ ବିଜୟନ କେନ୍ଦ୍ରକୁ ଚିଠି ଲେଖି ସହାୟତା ମାଗିଛନ୍ତି ।

ଚୀନରେ କାମ କରୁଥିବା ଭାରତୀୟମାନେ ଭାଇରସ ଆକ୍ରାନ୍ତ ହୋଇଥିବା ଆଶଙ୍କାରେ ସ୍ୱତନ୍ତ୍ର ପଦକ୍ଷେପ ମାନ ନିଆଯାଉଛି । ବନ୍ଦର ଓ ବିମାନବନ୍ଦର ଦେଇ ଆସୁଥିବା ଭାରତୀୟଙ୍କୁ ଥର୍ମାଲ ସ୍କ୍ରିନିଂ କରାଯାଉଛି । ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ, କୋଚିନ ବିମାନ ବନ୍ଦରରେ ଏହାକୁ କଡାକଡି କରାଯାଇଛି ।