କନକ ବ୍ୟୁରୋ: ଦେଶରେ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ଜରୁରୀ ହୋଇପଡ଼ିଛି ।ଗୋଟିଏ ଦିନରେ ସାରା ଦେଶର ୪୭,୨୬୨ ନୂଆ ମାମଲା ସାମ୍ନାକୁ ଆସିଛି । ଏହା ଭିତରେ ମହାରାଷ୍ଟ୍ରର ସ୍ଥିତି ଉଦବେଗଜନକ ରହିଛି । ସେଠାରୁ ଗତ ୨୪ ଘଂଟାରେ ୨୮ ହଜାର ୬୯୯ ଜଣ ସଂକ୍ରମିତ ହୋଇଛନ୍ତି ଏବଂ ୧୩୨ ଜଣଙ୍କ ଜୀବନ ନେଇଛି  ମହାମାରୀ । ମହାରାଷ୍ଟ୍ର ପଛକୁ ଅଛି ପଂଜାବ, ସେଠାରେ ଆଜି କରୋନାରେ ୫୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୨୫୫ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ଆଗକୁ୍ ପର୍ବପର୍ବାଣୀ ଓ ବିଭିନ୍ନ ରାଜ୍ୟରେ ନିର୍ବାଚନ ଥିବାରୁ ଭିଡ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦେଉଛନ୍ତି କେନ୍ଦ୍ର ସରକାର । ହୋଲିରୁ ଇଦ୍ ଭିଡ଼ ଉପରେ କଟକଣା ଲଗାଇବାକୁ ପରାମର୍ଶ ଦେଇ ଏ ସମ୍ବନ୍ଧରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ମୁଖ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଳାୟର ଅତିରିକ୍ତ ସଚିବ ।

Advertisment

କୋଭିଡ ନିୟମ ଉଲ୍ଲଙ୍ଘନ ଯୋଗୁଁ ବଢୁଥିବା ସଂକ୍ରମଣ ଭିତରେ ପଶ୍ଚିମବଙ୍ଗ, ଆସାମ, କେରଳ, ତାମିଲନାଡୁ ଓ ପୁଡୁଚେରୀରେ ଦିନକୁ ଏକାଧିକ ନିର୍ବାଚନୀ ରାଲି ଓ ଜନସଭା ଆୟୋଜିତ କରାଯାଉଛି । ଯେଉଁଠି ଭିଡ ଜମିବା ସହ କୋଭିଡ ନିୟମ ଖୋଲାଖୋଲି ଉଲ୍ଲଙ୍ଘନ ହେଉଛି  ଆଉ ଏହାରି ଭିତରେ ପର୍ବପର୍ବାଣୀରେ ଭିଡ଼ କରାଇ ନଦେବାକୁ ରାଜ୍ୟଗୁଡିକୁ ପରାମର୍ଶ ଦେଇଛନ୍ତି, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ହୋଲିରୁ ଇଦୁଲ ଫିତର ଯାଏଁ ଭିଡ଼ ଉପରେ କଟକଣା ଲଗାଇବାକୁ ପରାମର୍ଶ ଦିଆଯାଇଛି । ଭିଡ଼ କମାଇବାକୁ ସ୍ଥାନୀୟ ପ୍ରଶାସନ ପଦକ୍ଷେପ ନେବେ ବୋଲି ଚିଠିରେ କୁହାଯାଇଛି । ଦୈନିକ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ଭିଡ଼କୁ ନିୟନ୍ତ୍ରଣ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ର ସରକାର ।

  • ଗୋଟିଏ ଦିନରେ ଦେଶରେ ୪୭,୨୬୨ ନୂଆ ମାମଲା
  • ୧୩୨ ଦିନରେ ସବୁଠୁ ଅଧିକ ସଂକ୍ରମଣ
  • ୨୪ ଘଂଟାରେ ୨୭୫ ଜଣଙ୍କ ମୃତ୍ୟୁ
  • ୮୩ ଦିନରେ ସର୍ବାଧିକ ମୃତ୍ୟୁ

ଦେଶରେ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୧୭ଲକ୍ଷ ୩୪ହଜାର ଟପିଛି । ତେବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୬୮ ହଜାର ୪୫୭ ରହିଛି । ସେହିପରି କରୋନାରେ ୧ଲକ୍ଷ ୬୦ହଜାର ୪୪୧ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ୫କୋଟି ୮ଲକ୍ଷ ୪୧ହଜାର ୨୮୬ଜଣଙ୍କୁ କରୋନା ଟିକା ଦିଆଯାଇଛି । ତେବେ ସବୁଠୁ ଚିନ୍ତା ଜନକ ହେଉଛି, କରୋନାର ନୂଆ ଷ୍ଟ୍ରେନ୍ । ଭୂତାଣୁର ନୂଆ ରୂପ ଏବଂ ଦ୍ରୁତ ସଂକ୍ରମଣ କରୁଥିବା ବ୍ରିଟେନ୍ ଷ୍ଟ୍ରେନ୍ ୧୮ଟି ରାଜ୍ୟରେ ଚିହ୍ନଟ ହୋଇଛି ।

କରୋନା ନୂଆ ଷ୍ଟ୍ରେନ୍

  • ୧୮ଟି ରାଜ୍ୟରୁ ୧୦,୭୮୭ ନମୁନା ନିଆଯାଇଥିଲା
  • ୭୩୬ ବ୍ରିଟେନ୍ ଷ୍ଟ୍ରେନ୍ ଚିହ୍ନଟ
  • ୩୪ ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍
  • ଗୋଟିଏ ବ୍ରାଜିଲ୍ ଷ୍ଟ୍ରେନ୍ ଚିହ୍ନଟ
  • ଏକକାଳୀନ ଦୁଇଟି ପରିବର୍ତ୍ତନ ହେଉଥିବା ଭୂତାଣୁ ଚିହ୍ନଟ

ଦେଶର ୧୦ଟି ପ୍ରମୁଖ ଲାବୋରେଟୋରି ଏ ନେଇ ପରୀକ୍ଷା କରାଯାଇଥିଲା । ତେବେ କେନ୍ଦ୍ର ସ୍ୱାସ୍ଥ୍ୟୃ ମନ୍ତ୍ରାଳୟ କହିଛି, କରୋନାର ନୂଆ ଷ୍ଟ୍ରେନ୍ ସହ ଦେଶର ବଢୁଥିବା ମାମଲାର କୌଣସି ସଂପର୍କ ନାହିଁ ।