ଚୀନରେ କାୟା ମେଳାଇବା ପରେ ବିଶ୍ୱର ୯୧ ଦେଶକୁ ବ୍ୟାପିଲାଣି କରୋନା ଭାଇରସ । ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଟପିଲା ।

240

କନକ ବ୍ୟୁରୋ : ଚୀନରେ କରୋନା ଭାଇରସର ସଂକ୍ରମଣ ହାର ହ୍ରାସ ପାଉଥିବାବେଳେ ସାରା ବିଶ୍ୱରେ ତାହା ଦ୍ରୁତ ଗତିରେ ବଢିଚାଲିଛି । ସମଗ୍ର ବିଶ୍ୱରେ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ଶୁକ୍ରବାର ଦିନ ୧ ଲକ୍ଷ ଟପିଯାଇଛି । ମୃତ୍ୟୁ ସଂଖ୍ୟା ୩୩ ଶହ ଟପିଯାଇଛି । ଏବେ କରୋନା ସଂକ୍ରମଣ ୯୧ଟି ଦେଶରେ ପହଞ୍ଚିଯାଇଛି । ସମଗ୍ର ବିଶ୍ୱ ପାଇଁ ଏକ ବଡ଼ ବିପଦ ଭାବେ ଦେଖାଦେଇଛି କରୋନା ଭାଇରସ ।

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧ରେ ପହଞ୍ଚିଥିବାବେଳେ ସାରା ଦେଶରେ ସରକାରଙ୍କ ପକ୍ଷରୁ ସତର୍କତା ଜାରି କରାଯାଇଛି । ସେହିପରି ଦେଶରେ କରୋନା ବ୍ୟାପିବା ସହ ମାସ୍କ ଓ ସାନିଟାଇଜରର ଅଭାବ ଦେଖାଦେଇଛି । ବ୍ୟବସାୟୀମାନେ ତାହାକୁ ଚଢା ଦରରେ ବିକ୍ରି କରୁଥିବା ଜଣାପଡ଼ିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କେତେକ ପଦକ୍ଷେପ ନେଇଛନ୍ତି । ମାସ୍କ ଓ ସାନିଟାଇଜରର କଳାବଜାର, ଜମା ରଖୁଥିବା ବ୍ୟବସାୟୀମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ସଂସଦ ଭବନକୁ ଦର୍ଶକମାନଙ୍କ ପ୍ରବେଶ ଉପରେ ନିଷେଧାଜ୍ଞା ଲଗାଯାଇଛି । ଏପରିକି ସାଂସଦମାନେ ନିଜ ସହିତ ଦର୍ଶକମାନଙ୍କୁ ନେଇପାରିବେ ନାହିଁ ।

ଅନ୍ୟପକ୍ଷରେ ପଞ୍ଜାବରେ ଥିବା ଅଟାରୀ-ଓ୍ଵାଘା ସୀମାରେ ହେଉଥିବା ଧ୍ୱଜାବତରଣ ଉତ୍ସବ ଏଣିକି ଦର୍ଶକଙ୍କ ବିନା ଚାଲିବ । ଏ ସଂପର୍କରେ ବିଏସଏଫ ପକ୍ଷରୁ ଘୋଷଣା କରାଯାଇଛି ।