୧୬୭ ଦେଶକୁ ବ୍ୟାପିଲା କରୋନା ଭାଇରସ, ଓଡ଼ିଶାରେ ୪୭ ନମୂନା ମଧ୍ୟରୁ ୪୬ଟି ନେଗେଟିଭ । ବାହାରୁ ଆସିବା ପରେ ୨୧୩୧ ଜଣ କଲେଣି ପଞ୍ଜୀକରଣ, ଭଉଣୀ ଗୀତା ମେହେଟ୍ଟାଙ୍କ ନାଁ ପଞ୍ଜୀକରଣ କଲେ ନବୀନ ।

512

କନକ ବ୍ୟୁରୋ : ଓଡ଼ିଶା କରୁଛି କରୋନା ମୁକାବିଲା । ଆଉ ଏହା ଭିତରେ ଗତ ୨୪ ଘଣ୍ଟାର ରିପୋର୍ଟ ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ । ଆଜି ଦିନ ୨ଟା ସୁଦ୍ଧା ଓଡ଼ିଶାରେ ଜଣେ ମାତ୍ର ବ୍ୟକ୍ତି ସଂକ୍ରମିତ ଥିବା ବେଳେ ପୂରା ବିଶ୍ୱରେ ଏହି ସଂଖ୍ୟା ବୃଦ୍ଧି ପାଇ ୧୯୯୧୯୩ରେ ପହଞ୍ଚିଛି । ମୋଟ ୧୬୭ ଦେଶକୁ ଏହି ଭାଇରସ ବ୍ୟାପିସାରିଥିବା ବେଳେ ଭାରତରେ ଏଯାଏଁ ୧୪୮ ଜଣ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । କରୋନା ଭାଇରସରେ ଅଧିକ ପ୍ରଭାବିତ ହେଉଥିବା ଟପ୍-୫ ଦେଶ ଗୁଡିକ ତାଲିକାରେ ଏବେ ଜର୍ମାନୀ ନାଁ ଯୋଡି ହୋଇଛି ।

ତେବେ ଓଡ଼ିଶାରେ ମୋଟ ୪୭ ଜଣଙ୍କର ସାମ୍ପଲ ପରୀକ୍ଷା ପାଇଁ ଦିଆଯାଇଥିଲା ଯେଉଁଥିରୁ ୪୬ଟି ନେଗେଟିଭ ଆସିଛି । ସେହିଭଳି ଗତକାଲି ୧୨ଟି ସାମ୍ପଲ ପଠାଯାଇଥିବା ବେଳେ ସମସ୍ତ ନମୂନା ନେଗେଟିଭ ଆସିଛି । ଆଜି ୬ଟି ନମୂନା ପଠାଯାଇଥିବା ବେଳେ ଏଯାଏଁ ଏହାର ରିପୋର୍ଟ ଆସିନାହିଁ । କିନ୍ତୁ ଆଶ୍ୱସ୍ତିର ବିଷୟ ହେଉଛି ଓଡ଼ିଶାର ଯେଉଁ ବ୍ୟକ୍ତି କରୋନା ସଂକ୍ରମିତ ଥିଲେ ଏବେ ସେ ଭଲ ହୋଇ ଆସୁଛନ୍ତି । ତାଙ୍କର ଚିକିତ୍ସା ଚାଲିଛି । ସକାଳେ ସେ ଉପମା,ବିସ୍କୁଟ ଓ ଆଳୁ ମଟର ତରକାରୀ ଖାଇଥିବା ବେଳେ ମଧ୍ୟାହ୍ନ ଭୋଜନରେ ଭାତ, ଡାଲମା, ମିକ୍ସ ଭେଜିଟେବଲ ତରକାରୀ ଓ ଦୁଇ ପଟ ରୁଟି ଖାଇଛନ୍ତି । ସମ୍ପୂର୍ଣ୍ଣ ସୁସ୍ଥ ନ ହେବା ପର୍ଯ୍ୟନ୍ତ ତାଙ୍କୁ ନୀରିକ୍ଷଣରେ ରଖାଯିବ ।

କରୋନାର ମୁକାବିଲା ପାଇଁ ଜିଲ୍ଲା ଚିକିତ୍ସାଳୟ ଓ ମେଡିକାଲ କଲେଜ ଗୁଡିକରେ ୫୪୦ଟି ଆଇସୋଲେସନ ବେଡ ପ୍ରସ୍ତୁତ ରଖାଯାଇଛି । ଆଗକୁ ଏହି ବେଡ ସଂଖ୍ୟା ବୃଦ୍ଧି ପାଇବ । ସେହିଭଳି ରାଜ୍ୟ ସରକାରଙ୍କ ୱେବପୋର୍ଟାଲ ଓ ୧୦୪ ନମ୍ବରରେ ଏବେ ପର୍ଯ୍ୟନ୍ତ ୨୧୩୧ ଜଣ ରେଜିଷ୍ଟ୍ରେସନ କରିଛନ୍ତି । ଯେଉଁଥିରେ ଗଜପତି ମହାରାଜ ଓ ତାଙ୍କ ପରିବାର ରହିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ଭଉଣୀ ଗୀତା ମେହେଟ୍ଟାଙ୍କ ନାଁ ମଧ୍ୟ ପଞ୍ଜୀକରଣ କରିଛନ୍ତି । ଏବେ ପ୍ରତି ଘଣ୍ଟାକୁ ୮୦ ଜଣ ରେଜିଷ୍ଟ୍ରେସନ କରିବା ସହ ସରକାରଙ୍କୁ ନିଜ ବାବଦରେ ତଥ୍ୟ ଦେଉଛନ୍ତି । ଏହି ୨୧୩୧ ଜଣଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତି ୟୁଏଇରୁ ଆସିଥିବା ଜଣାପଡିଛି । ତେବେ ଚୀନରୁ କେହି ବ୍ୟକ୍ତି ଆସିଥିବାର ଏଯାଏଁ ସୂଚନା ମିଳିନାହିଁ । ସେହିଭଳି ୯୭ ଜଣ ୬୦ରୁ ଅଧିକ ବୟସ୍କ ବ୍ୟକ୍ତି ବାହାରୁ ଆସିଥିବା ଜଣାପଡିଛି । ଏହି ୨୧୩୧ ଜଣଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଳାର ଅଧିକାଂଶ ବ୍ୟକ୍ତି ରହିଥିବା ସୂଚନା ଦେଇଛନ୍ତି ମନୋଜ ମିଶ୍ର ।