କନକ ବ୍ୟୁରୋ : ବିଶ୍ବର ୪୮ ରାଷ୍ଟ୍ରରେ ବ୍ୟାପିଥିବା କରୋନା ଭାଇରସ୍ ଏବେ ଚୀନ୍ ବାହାରେ ବି ଭୟାନକ ରୂପ ନେଇଛି। ଭାଇରସ୍ ଯୋଗୁଁ ବିଶ୍ବବ୍ୟାପୀ ୨୮୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଏହା ମହାମାରୀ ରୂପ ନେବାକୁ ଯାଉଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ) ପୁଣି ଥରେ ସତର୍କ କରାଇଛି। ଚୀନ୍ ପରେ ଦକ୍ଷିଣ କୋରିଆରେ ସବୁଠୁ ଅଧିକ ଲୋକ ଭାଇରସ୍ ଆକ୍ରାନ୍ତ ହୋଇଛନ୍ତି। ଏଠାରେ ୨୩୩୭ ଜଣ ଭାଇରସ୍ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ୧୧ ୟୁରୋପୀୟ ଦେଶରେ ଭାଇରସ୍ ବ୍ୟାପିଥିବା ବେଳେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଇଟାଲି। ଆଫ୍ରିକୀୟ ରାଷ୍ଟ୍ର ନାଇଜେରିଆରେ ପ୍ରଥମ କରୋନା ଭାଇରସ୍ ମାମଲା ସ୍ପଷ୍ଟ ହୋଇଛି। ନାଇଜେରିଆ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ଯେ, ଜଣେ ଇଟାଲି ନାଗରିକ ମିଲାନ୍ରୁ ଇସ୍ତାନବୁଲ୍ ଦେଇ ଦେଶକୁ ଆସିଥିବା ବେଳେ ସେ ଭାଇରସ୍ ଆକ୍ରାନ୍ତ ହୋଇଛନ୍ତି।
ସେପଟେ ସିଙ୍ଗାପୁରରେ ସମୁଦାୟ ୯୮ ଜଣ ଭାଇରସ୍ ଆକ୍ରାନ୍ତ ହୋଇଛନ୍ତି। ସ୍ପେନ୍ରେ ବି ୩୨ ଜଣ ଆକ୍ରାନ୍ତ ହୋଇଛନ୍ତି। ଇରାନ୍ରେ ମୃତ୍ୟୁସଂଖ୍ୟା ୩୪ରେ ପହଞ୍ଚିଛି। ସମୁଦାୟ ୩୮୮ ଜଣ ଭାଇରସ୍ ଆକ୍ରାନ୍ତ ହୋଇଥିବା ଇରାନ୍ ସ୍ବାସ୍ଥ୍ୟ ମନ୍ତ୍ରାଳୟ ମୁଖପାତ୍ର କହିଛନ୍ତି। ଇରାନ୍ରେ ନୂଆ ମାମଲା ମଧ୍ୟରୁ ୬୪ଟି ତେହରାନ୍ରେ ବୋଲି ଜଣାପଡ଼ିଛି। ସ୍ବିଜରଲାଣ୍ଡ୍ ମଧ୍ୟ ଆସନ୍ତା ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ସମସ୍ତ ବଡ଼ କାର୍ଯ୍ୟକ୍ରମକୁ ବାତିଲ କରିଛି। ସ୍ବିଜରଲାଣ୍ଡ୍ରେ ୧୫ ଜଣ ଭାଇରସ୍ ଆକ୍ରାନ୍ତ ହୋଇଥିବା ସରକାରୀ ସୂତ୍ରରୁ ସ୍ପଷ୍ଟ କରାଯାଇଛି। ଜାପାନ୍ରେ କରୋନା ଯୋଗୁଁ ମୃତ୍ୟୁସଂଖ୍ୟା ୯ରେ ପହଞ୍ଚଥିବା ବେଳେ ଅନେକ ରାଷ୍ଟ୍ର ସ୍ବାସ୍ଥ୍ୟ ଜରୁରୀ ସ୍ଥିତି ଘୋଷଣା କରିଛି। ମଙ୍ଗୋଲିଆ ରାଷ୍ଟ୍ରପତି ଖଲତ୍ମାଗିନ୍ ବତଲ୍ଗା ନିକଟରେ ଦିନିକିଆ ଚୀନ୍ ଗସ୍ତରୁ ଫେରିଥିବା ବେଳେ ଏବେ ତାଙ୍କୁ କ୍ବାରେଣ୍ଟାଇନ୍ରେ ରଖାଯାଇଛି। ସେ ୧୪ ଦିନ ପର୍ଯ୍ୟନ୍ତ କ୍ୟାରେଣ୍ଟାଇନ୍ରେ ରହିବେ । ସେହିଭଳି ଇରାନ୍ର ଉପରାଷ୍ଟ୍ରପତି ମାସୋମା ଏବ୍ତେକର୍ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/CORONA-4-1.jpg)