କନକ ବ୍ୟୁରୋ: କରୋନା ଭୂତାଣୁ ସାରା ବିଶ୍ବରେ ଆତଙ୍କ ଖେଳାଇଥିଲା ବେଳେ ଏଥିରୁ ବାଦ ପଡ଼ିନି କୋରାପୁଟ। ଜିଲ୍ଲାରେ ଏହି ଭୂତାଣୁ ଜନିତ ସଂକ୍ରମଣର ପ୍ରମାଣ ମିଳି ନ ଥିଲେ ମଧ୍ୟ ସଂକ୍ରମଣ ଆଶଙ୍କାରେ ଲୋକେ ଭୟଭୀତ ଅଛନ୍ତି। ଏଠାରେ ସଚେତନତାର ଅଭାବ ଓ ହାତ ଧୋଇବା ନେଇ ଲୋକଙ୍କ ମଧ୍ୟରେ ଥିବା ଉଦାସୀନତା ଏହି ଭୂତାଣୁ ବ୍ୟାପିବାରେ ସହାୟକ ହେବ ବୋଲି ଆଶଙ୍କା କରାଯାଉଛି। ବିଶେଷକରି ଗ୍ରାମାଞ୍ଚଳରେ ପରିମଳ ନେଇ ଲୋକ ଅଜ୍ଞ ଥିବାରୁ ଭୂତାଣୁ ଥରେ ସଂକ୍ରମଣ ହେଲେ ସ୍ଥିତି ସମ୍ଭାଳିବା କଷ୍ଟକର ହୋଇ ପଡ଼ିବ। ତେଣୁ ଏହାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ନିୟନ୍ତ୍ରଣ କକ୍ଷ ଖୋଲାଯିବା ସହ ସ୍ବତନ୍ତ୍ର ୱାର୍ଡ ଖୋଲା ଯାଇଛି। ଅପରପକ୍ଷରେ ବାୟୋମେଟ୍ରିକ ଉପସ୍ଥାନ ଉପରେ ରୋକ ଲଗାଯାଇଛି।
କରୋନା ଭୂତାଣୁ ପୃଥିବୀର ବହୁ ରାଷ୍ଟ୍ରରେ କାୟା ମେଲାଇଥିଲା ବେଳେ ଭାରତରେ ମଧ୍ୟ ଏହି ସଂକ୍ରମଣ ଦେଖା ଦେଲାଣି। ଓଡ଼ିଶାରେ କେହି ସଂକ୍ରମିତ ହୋଇଥିବାର ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ କୋରାପୁଟକୁ ଏହି ଭୂତାଣୁ ଆସିବା ଅସମ୍ଭବ ନୁହେଁ ବୋଲି ଅନୁମାନ କରାଯାଉଛି। କୋରାପୁଟ ଦେଇ ବିଶାଖାପାଟଣା-ରାୟପୁର ଜାତୀୟ ରାଜପଥ ଯାଇଥିଲା ବେଳେ ଏହି ଜିଲ୍ଲା ଉଭୟ ଆନ୍ଧ୍ର ଓ ଛତିଶଗଡ଼କୁ ଯୋଡ଼ୁଛି। ପୁଣି ଜିଲ୍ଲାର ଶହ ଶହ ଲୋକ ନିୟମିତ ବିଶାଖାପାଟଣା, ଜଗଦଲପୁର ଓ ରାୟପୁର ଯାଉଛନ୍ତି। କୋରାପୁଟରେ ପ୍ରକୃତି ପର୍ଯ୍ୟଟନ ଓ ଆଦିବାସୀ ପର୍ଯ୍ୟଟନକୁ ଉପଭୋଗ କରିବା ପାଇଁ ବାହାର ଦେଶ ଓ ରାଜ୍ୟର ଲୋକ କୋରାପୁଟକୁ ବହୁ ସମୟରେ ଆସୁଛନ୍ତି। ତେଣୁ କୋରାପୁଟ କରୋନର କବଳରୁ ସମ୍ପୂର୍ଣ୍ଣ ସୁରକ୍ଷିତ ନ ଥିବା କୁହାଯାଉଛି। ବାହାର ଲୋକଙ୍କ ଯିବା, ଆସିବା ନେଇ ସଠିକ ତଥ୍ୟ ମଧ୍ୟ ରହୁନି। ଏପଟେ ଲୋକଙ୍କ ଭିତରେ ସଚେତନତାର ଅଭାବ ସ୍ଥିତିକୁ ଅଡ଼ୁଆ କରୁଛି। କରୋନା ଭାଇରସ ବ୍ୟାପିବାର କାରଣ ଓ ଏହାର ନିରାକରଣ ନେଇ ଏବେ ବି କୋରାପୁଟରେ ସଚେତନତା ସୃଷ୍ଟି ହୋଇନାହିଁ। ଗ୍ରାମାଞ୍ଚଳରେ ଏହି ସଚେତନତା ବିଲକୁଲ ନାହିଁ। ଜିଲ୍ଲାରେ ହାତ ଧୋଇବା ନେଇ ମଧ୍ୟ ଲୋକେ ସଚେତନ ନୁହଁନ୍ତି। ସ୍ବଚ୍ଛତା ଓ ପରିମଳ ନେଇ ଲୋକମାନେ ଅଜ୍ଞ ଥିବାରୁ ଥରେ ଭୂତାଣୁ ଆସିଲେ ମହାମାରୀର ରୂପ ନେବାର ଆଶଙ୍କା ରହିଛି। ଏପଟେ କୋରାପୁଟ ଜିଲ୍ଲାର ଥଣ୍ଡା ପ୍ରବଣ ହୋଇଥିବାରୁ କରୋନା ଭୂତାଣୁ ଅପେକ୍ଷାକୃତ ଶୀଘ୍ର ବ୍ୟାପିଯିବ।
ଏଠାରେ ସାକ୍ଷରତା ହାର କମ୍ ରହିବା ସହ ଗମନାଗମନ ଓ ଦୁର୍ଗମ ଅଂଚଳ କାରଣରୁ ଲୋକଙ୍କୁ ଉପଯୁକ୍ତ ପରୀକ୍ଷା ନିରୀକ୍ଷା କରିବା ସହଜ ହେବନି। ପୁଣି ଏଠାରେ ଥିବା ସ୍ବାସ୍ଥ୍ୟ ଭିତ୍ତିଭୂମି ବି କରୋନାର ମୁକାବିଲା କରିବା ନେଇ ସନ୍ଦେହ ରହିଛି। ତଥାପି କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଏକ କରୋନା ୱାର୍ଡ ଖୋଲାଯାଇଛି। ଡାକ୍ତରଖାନା ବାହାରେ ଏହି ୱାର୍ଡ ରହିଥିଲା ବେଳେ ସନ୍ଦିଗ୍ଧ ସଂକ୍ରମିତଙ୍କୁ ଚିକିତ୍ସା କରିବା ପାଇଁ ଡାକ୍ତରୀ ଟିମ ପ୍ରସ୍ତୁତ ହୋଇ ରହିଛି। ଏଥିନେଇ ଏକ ନିୟନ୍ତ୍ରଣ କକ୍ଷ ମଧ୍ୟ ଖୋଲାଯାଇଛି। ମେଡିକାଲ କଲେଜ ପରିସରରେ ସଚେତନତା ବିଜ୍ଞାପନ ଲଗାଇଛନ୍ତି କର୍ତ୍ତୃପକ୍ଷ। ତେବେ ଅନ୍ୟ ସ୍ଥାନରେ ଏହା ଦେଖିବାକୁ ମିଳୁନି। ଜିଲ୍ଲାରେ ବାୟୋମେଟ୍ରିକ ଉପସ୍ଥାନ ବ୍ୟବହାରକୁ ବନ୍ଦ କରି ଦିଆଯାଇଛି। ମହିଳା ଦିବସ ଅବସରରେ ସରକାରୀ ଭାବେ ଆୟୋଜନ କରାଯାଇଥିବା ଉତ୍ସବ ସବୁକୁ ବାତିଲ କରାଯାଇଛି। କରୋନା ସ୍ଥିତି ନେଇ ସରକାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମୀକ୍ଷା କରିଛନ୍ତି। ତଥାପି ଭୟ କମିନି। ବରଂ ଏବେଠାରୁ ଜିଲ୍ଲାରେ ସଚେତନତାକୁ ବ୍ୟାପକ କରାଯିବା ସହ ଲୋକଙ୍କୁ ସ୍ବଚ୍ଛ ଓ ପରିମଳ ରହିବା ଉପରେ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି। ସେହିପରି ବାହାରୁ ଆସୁଥିବା ଲୋକଙ୍କ ଉପରେ କଡ଼ା ନଜର ରଖାଯିବା ଦରକାର। ଜିଲ୍ଲାରେ ଯେମିତି ଭୂତାଣୁ ପ୍ରବେଶ ନ କରିବ ସେ ଦିଗରେ ଧ୍ୟାନ ନ ଦେଲେ ଏଠାରେ ସ୍ଥିତି ସଙ୍ଗୀନ ହୋଇଯିବାର ଆଶଙ୍କା ରହିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/03/3-3.jpg)