ସୋସିଆଲ ମିଡିଆରେ ଗୁଜବ ରୋକିବାକୁ ସରକାରଙ୍କ ଉଦ୍ୟମ: ସଠିକ୍ ସୂଚନା ପାଇଁ ହ୍ୱାଟ୍ସଆପ୍ ସହ ମିଳିତ ଭାବେ ନମ୍ବର ଜାରି କଲେ କେନ୍ଦ୍ର ସରକାର

ଟ୍ୱିଟ କରି ସୂଚନା ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

1,053

କନକ ବ୍ୟୁରୋ: ଦେଶରେ କରୋନା ଭୂତାଣୁ ସଂକ୍ରମଣଙ୍କ ସଂଖ୍ୟା ବଢୁଥିବା ବେଳେ ଲୋକଙ୍କ ମନରେ ଭୟ ମଧ୍ୟ ବଢିବାକୁ ଲାଗିିଛି । ଏହାକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଗୁଜବ ଦେଖିବାକୁ ମିଳୁଛି । ତେବେ ହ୍ୱାଟ୍ସ ଆପରେ ଅଧିକ ଗୁଜବ ବ୍ୟାପୁଥିବା ଯୋଗୁଁ ଏଥିପ୍ରତି ସତର୍କ ଦୃଷ୍ଟି ରଖିଛନ୍ତି ସରକାର ଏବଂ ଏଥିପାଇଁ ହ୍ୱାଟ୍ସଆପ୍ ସହ ମିଳିତ ଭାବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ନମ୍ବର ଜାରି କରାଯାଇଛି ।

ଏହି ନମ୍ବରକୁ ଆପଣଙ୍କ ଫୋନରେ ଆଡ କଲା ପରେ ଏଥିରେ ହ୍ୱାଟ୍ସଆପ ଜରିଆରେ କରୋନା ସମ୍ପର୍କିତ ସଠିକ୍ ଖବର ଆପଣ ପାଇପାରିବେ । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି କି,  +୯୧୯୦୧୩୧୫୧୫୧୫ ନମ୍ବରରେ ମେସେଜ ପଠାଇ ଆପଣ କରୋନା ସମ୍ପର୍କିତ ସଠିକ୍ ଖବର ପାଇପାରିବେ ।  ତେବେ ଏହି ପରିପ୍ରେକ୍ଷୀରେ ଟୁଇଟର ପ୍ରଶଂସା କରି କହିଛନ୍ତି କି, ଟୁଇଟର କୋଭିଡ-୧୯ ନାଁରେ ଏକ ସ୍ୱତନ୍ତ୍ର ପେଜ୍ ଲଂଚ କରିଛି । ଯେଉଁଥିରେ ଲୋକେ କରୋନା ଭାଇରସକୁ ନେଇ ସଠିକ୍ ସୂଚନା ପାଇପାରିବେ ।

କରୋନା ମୁକାବିଲା ପାଇଁ ସତର୍କ ରହିବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହା ସହ ଆସନ୍ତା ମାର୍ଚ୍ଚ ୨୨ ଦିନ ଜନତା କର୍ଫ୍ୟୁ ପାଇଁ ଦେଶବାସୀଙ୍କୁ ସେ ଆହ୍ୱାନ ଦେଇଛନ୍ତି । ଆସନ୍ତା ରବିବାର ଦିନ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଘରୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଆଉ ମୋଦୀଙ୍କ ଏହି ଆହ୍ୱାନ ପରେ ଲୋକଙ୍କ ଭିତରେ ଜୋରଦାର ଚର୍ଚ୍ଚା ଚାଲିଥିଲା ବେଳେ ସୋସିଆଲ ମିଡିଆରେ ଏହାକୁ ନେଇ ବିଭିନ୍ନ ପ୍ରକାର ପ୍ରଚାର ଚାଲିଛି । ଯାହାକୁ ନେଇ କୌଣସି ଗୁଜବକୁ ବିଶ୍ୱାସ ନକରିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।