ଟ୍ରମ୍ପଙ୍କ ମୁହଁରେ ମୋଦିଙ୍କ ପ୍ରଶଂସା । ପୂର୍ବରୁ ଉତକ୍ଷିପ୍ତ ହୋଇଥିଲେ ଏବେ ପ୍ରଶଂସାରେ ପୋତି ପକାଇଲେ ।

1,413

କନକ ବ୍ୟୁରୋ: ଆଭିମୁଖ୍ୟ ବଦଳାଇଲେ ଆମେରିକା ରାଷ୍ଟ୍ରପତି । ହାଇଡ୍ରୋକ୍ସି କ୍ଲୋରୋକ୍ୱିନ ଯୋଗାଣକୁ ନେଇ ଉତକ୍ଷିପ୍ତ ହୋଇଉଠିଥିବା ଡୋନାଲ୍ଡ ଟ୍ରମ୍ପ ଏବେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁୁ ପ୍ରଶଂସାରେ ପୋତି ପକାଇଛନ୍ତି । ଟ୍ରମ୍ପ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଜଣେ ମହାନ୍ ନେତା । ଆମେରିକା ପ୍ରାୟ ୩ଲକ୍ଷ ହାଇଡ୍ରୋକ୍ସି କ୍ଲୋରୋକ୍ୱିନ ଡୋଜ୍ ଆମଦାନୀ କରିବ । ଯେଉଁଥିରେ ଅଧିକାଂଶ ଭାରତରୁ ଆସିବ ବୋଲି ସୂଚନା ଦେଇଛି ଆମେରିକା ।

ଆମେରିକୀୟ ନ୍ୟୁଜ୍ ଚ୍ୟାନେଲ ଫକ୍ସ ନ୍ୟୁଜ୍କୁ ଦେଇଥିବା ପ୍ରତିକ୍ରିୟାରେ ଡୋନାଲ୍ଡ ଟ୍ରମ୍ପ ସମ୍ପୂର୍ଣ୍ଣ ବିବାଦ ଉପରେ ବୟାନ ଦେଇଛନ୍ତି । ଦେଶର ଚାହିଦା ଅନୁଯାୟୀ ପ୍ରଥମେ ହାଇଡ୍ରୋକ୍ସି କ୍ଲୋରୋକ୍ୱିନ ଦେବା ପାଇଁ ଅମଙ୍ଗ ହେଉଥିଲା ଭାରତ । ଯାହାକି ସମ୍ପୂର୍ଣ୍ଣ ଭାବେ ଉଚିତ ଥିଲା ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ।

ମାର୍ଚ୍ଚ ୨୫ତାରିଖରେ ହାଇଡ୍ରୋକ୍ସି କ୍ଲୋରୋକ୍ୱିନ ରପ୍ତାନୀ ଉପରେ ଭାରତରେ କଟକଣା ଲଗାଯାଇଥିଲା । ଯାହାକୁ ପରେ ହଟାଇ ଦିଆଯାଇଛି । ହାଇଡ୍ରୋକ୍ସି କ୍ଲୋରୋକ୍ୱିନ ଦ୍ୱାରା କରୋନା ଭୂତାଣୁ ଆକ୍ରାନ୍ତଙ୍କ ଚିକିତ୍ସା କରାଯାଉଥିବାରୁ ପୂର୍ବରୁ ଏହି ଔଷଧ ଯୋଗାଇବା ପାଇଁ ଭାରତକୁ ନିବେଦନ କରିଥିଲା ଆମେରିକା । ଟ୍ରମ୍ପ କହିଛନ୍ତି, ଭାରତରୁ ଅଧିକ ପରିମାଣର ଔଷଧ ଆମଦାନୀ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା ହୋଇସାରିଛି ।

ଏହା ପୂର୍ବରୁ ଆମେରିକାକୁ ଭାରତ ହାଇଡ୍ରୋକ୍ସି କ୍ଲୋରୋକ୍ୱିନ ଯୋଗାଣ ନକଲେ ଏହାର ମୂଲ୍ୟ ଦେବାକୁ ପଡିବ ବୋଲି ଧମକ ଦେଇଥିଲେ ରାଷ୍ଟ୍ରପତି ଟ୍ରମ୍ପ । ଏବେ କିନ୍ତୁ ଔଷଧ ରପ୍ତାନୀ ପାଇଁ ସରକାର ଅନୁମତି ଦେବା ପରେ ନିଜର ଆଭିମୁଖ୍ୟ ବଦଳାଇ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି । ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଏବେ କରୋନା ଭୂତାଣୁ ସହ ସବୁଠୁ ବଡ ଲଢେଇ ଲଢୁଛି । ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ଟପିଥିବା ବେଳେ ମୃତକଙ୍କ ସଂଖ୍ୟା ୧୨ହଜାର ୮ଶହ ଟପିଛି ।