ଲକ୍ ଡାଉନ୍ ହଟିବା ପରେ ଚୀନରୁ ଆସିଲା ଲଢେଇ ଚିତ୍ର । ହୁବେଇ ସହରରୁ ବାହାରକୁ ଯିବା ପାଇଁ ବସଷ୍ଟାଣ୍ଡ, ଟ୍ରେନ ଷ୍ଟେସନରେ ଅସମ୍ଭାଳ ଭିଡ, ପରସ୍ପର ଧକ୍କାରୁ ସ୍ଥାନେ ସ୍ଥାନେ ହିଂସା, ଭିଡ ରୋକିବାକୁ ପୁଲିସ ନାକେଦମ ।

16,690

କନକ ବ୍ୟୁରୋ: ଚୀନରେ ଲକ୍ ଡାଉନ୍ ହଟିବା ପରେ ହୁବେଇ ସହର ବାହାରକୁ ଚାଲିଯିବାକୁ ବସ୍ ଷ୍ଟାଣ୍ଡ ଓ ଟ୍ରେନ୍ ଷ୍ଟେସନରେ ଭିଡ ଜମାଉଛନ୍ତି ହଜାର ହଜାର ସଂଖ୍ୟାରେ ଲୋକେ । ଏହି ସମୟରେ କେତେକ ସ୍ଥାନରେ ଦେଖିବାକୁ ମିଳିଛି ହିଂସା । ବହୁ ସଂଖ୍ୟାରେ ଲୋକେ ଏକାଠି ହୋଇ ନାରାବାଜି କରିବା ସହ ପୋଲିସ ଗାଡିକୁ ଭଙ୍ଗାରୁଜା କରିଛନ୍ତି । ସେମାନଙ୍କୁ ରୋକିବାକୁ ଯାଇ ପୋଲିସକୁ ନାକେଦମ ହେବାକୁ ପଡିଛି । ହୁବେଇର ପଡୋଶୀ ପ୍ରଦେଶ ଜିଆଙ୍ଗସିକୁ ସଂଯୋଗ କରୁଥିବା ଏକ ବ୍ରିଜ୍ ନିକଟରେ ଘଟିଛି ଏହି ହିଂସା ।

କରୋନା ଭାଇରସର ଉତ୍ପତି ଚୀନର ହୁବେଇ ପ୍ରାନ୍ତରୁ ଦୀର୍ଘ ଦୁଇ ମାସ ପରେ ହଟିଛି ଲକଡାଉନ । ଲକ୍ ଡାଉନ ହଟିବା ପରେ ଲୋକେ ଚୀନର ଅନ୍ୟ ପ୍ରଦେଶମାନଙ୍କୁ ଚାଲିଯିବାକୁ ଚାହୁଁଛନ୍ତି । ହେଲେ ସ୍କ୍ରିନିଂ କରି ଛାଡୁଥିବାରୁ ଦେଖାଦେଇଛି ସମସ୍ୟା । କରୋନା ଭାଇରସର ଉତ୍ପତି ସ୍ଥଳ କୁହାଯାଉଥିବା ଚୀନର ହୁବେଇ ପ୍ରାନ୍ତରେ ଗତ ସପ୍ତାହରେ ମାତ୍ର ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ଏହାକୁ ଅତି ସମ୍ବେଦନଶୀଳ ଅଂଚଳରୁ ସମ୍ବେଦନଶୀଳ ଅଂଚଳ ଶ୍ରେଣୀ ଭୁକ୍ତ କରିଛନ୍ତି ଚୀନ ସରକାର । ଏବଂ ତାଲା ବନ୍ଦ ହଟିବା ପରେ ଦେଶର ବିଭିନ୍ନ ପ୍ରାନ୍ତରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ସ୍କ୍ରିନିଂ କରାଯାଇ ସେମାନଙ୍କୁ ଯିବା ପାଇଁ ଅନୁମତି ଦିଆଯାଉଛି ।

ଚୀନରେ ମୋଟ୍ ୮୧ ହଜାରରୁ ଅଧିକ ଲୋକ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିବାବେଳେ କେବଳ ଉହାନରେ ୬୮ ହଜାର ଲୋକ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭୪ ହଜାରରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ମାତ୍ର ୩ ହଜାର ଲୋକଙ୍କର ମୃତ୍ୟୁ ହୋଇଛି ।