ଦିଲ୍ଲୀର ନିଜାମୁଦ୍ଦିନ ଧାର୍ମିକ ସମାବେଶରେ ସଂକ୍ରମଣ । ୨୪ ଜଣ ପଜିଟିଭ, ୪୪୧ଜଣଙ୍କ ଠାରେ କରୋନା ଲକ୍ଷଣ । ଓଡିଶା ମଧ୍ୟ ଫେରିଛନ୍ତି ଭାଗ ନେଇଥିବା ଲୋକ, କ୍ୱାରେଣ୍ଟିନରେ ରହିଲେ ୩ଜଣ, ଅଧିକ ଯାଞ୍ଚ କରୁଛନ୍ତି ସରକାର ।

2,406

କନକ ବ୍ୟୁରୋ: ଦିଲ୍ଲୀ ନିଜାମୁଦ୍ଦିନର ତବଲିଘି ଜମାତକୁ ଏବେ କରୋନା ଭୂତାଣୁ ସଂକ୍ରମଣର କେନ୍ଦ୍ରସ୍ଥଳୀ ବୋଲି କୁହାଯାଉଛି । କାରଣ ଏଠାରେ ଆୟୋଜିତ ଧାର୍ମିକ ସମାବେଶରେ ଯୋଗଦେଇଥିବା ୨୪ଜଣଙ୍କର ମଧ୍ରରେ ଏହି ଭୂତାଣୁ ସଂକ୍ରମିତ ଥିବା ସ୍ପଷ୍ଟ ହୋଇଛି । ଏହାସହ ତେଲେଙ୍ଗାନା ହାଇଦ୍ରାବାଦରେ ୭ଜଣ ଓ ଶ୍ରୀନଗରରେ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଏହି ଧାର୍ମିକ କାର୍ଯ୍ୟକ୍ରମରୁ ଓଡିଶା ଫେରିଛନ୍ତି ଭାଗନେଇଥିବା ଲୋକ । ଅନୁସନ୍ଧାନ ପରେ ଏପରି ତଥ୍ୟ ସାମନାକୁ ଆସିଛି ।

ଦିଲ୍ଲୀର ନିଜାମୁଦ୍ଦିନ ଅଂଚଳରୁ ଦୁଇ ଡଜନରୁ ଅଧିକ କରୋନା ଭୂତାଣୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ଧାର୍ମିକ ସମାବେଶରେ ଇଣ୍ଡୋନେସିଆ, ମାଲେସିଆ ଓ ସାଉଦିରୁ ପାଖାପାଖି ଦୁଇ ହଜାର ପ୍ରତିନିଧି ଯୋଗ ଦେଇଥିଲେ । ସେହିପରି ଭାରତର କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ, ତେଲେଙ୍ଗାନା ସମେତ ବହୁ ରାଜ୍ୟର ଲୋକ ଏଥିରେ ସାମିଲ ହୋଇଥିଲେ । ତେଣୁ ଏଠାରୁ ହୁଏତ ଅନେକ ରାଜ୍ୟକୁ ଏହି ଭୂତାଣୁ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି ।

ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଦିଲ୍ଲୀରେ ହୋଇଥିବା ଏହି ଧାର୍ମିକ ସମାବେଶ କରୋନା ସଂକ୍ରମଣର ସବୁଠାରୁ ବିପଦପୂର୍ଣ୍ଣ ସମାବେଶ ବୋଲି କୁହାଯାଉଛି । ଏବଂ ଏହିଠାରୁ ହିଁ ଅନେକ ରାଜ୍ୟକୁ ସଂକ୍ରମଣ ବ୍ୟପାଥିବାର ଆଶଙ୍କା କରାଯାଉଛି । ଓଡ଼ିଶା ପାଇଁ ମଧ୍ୟ ଏହି ନିଜାମୁଦ୍ଦିନ ଧାର୍ମିକ ସମାବେଶ ଚିନ୍ତା ବଢାଇ ଦେଇଛି । ନିଜାମୁଦ୍ଦିନର ତବଲିଘି ଜମାତ ଧାର୍ମିକ ସମାବେଶରେ ସାମିଲ ହୋଇଥିବା କିଛି ଲୋକ ଓଡିଶା ଫେରିଥିବା ସୂଚନା ମିଳିଛି । ଜାତୀୟ ଗଣମାଧ୍ୟମରେ ଏହି ରିପୋର୍ଟ ପ୍ରକାଶ ପାଇଛି । ଦୈନିକ ଜାଗରଣ କହିଛି ଏହି ସମାବେଶରୁ ୧୫ଜଣ ଲୋକ ଓଡ଼ିଶା ଫେରିଛନ୍ତି । କିନ୍ତୁ ସେମାନେ କିଏ ଏବଂ କେଉଁଠି ଅଛନ୍ତି ଏବଂ ସରକାରଙ୍କୁ ଏ ବିଷୟରେ ତଥ୍ୟ ଦେଇଛନ୍ତି କି ନାହିଁ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।

ବର୍ତମାନ ଯେଉଁମାନେ ଓଡ଼ିଶା ଫେରିଛନ୍ତି ସେମାନେ ତୁରନ୍ତ ଓଡ଼ିଶା ସରକାରଙ୍କୁ ଏବିଷୟରେ ଜଣାଇବା ଆବଶ୍ୟକ । ଏଥିସହ ସେମାନେ ନିଜେ ସତର୍କତା ସ୍ୱରୂପ ଏକାନ୍ତବାସ କରିବା ନିହାତି ଆବଶ୍ୟକ । କାରଣ ଏହି ଭୂତାଣୁ ସେମାନଙ୍କ ପରିବାର ଓ ପାଖଆଖ ଲୋକଙ୍କୁ ବ୍ୟାପିବାର ଆଶଙ୍କା ରହିଛି ।

ରିପୋର୍ଟ ଫାଇଲ ହେବା ସୁଦ୍ଧା ତବଲିଘି ଜମାତ ଧାର୍ମିକ ସମାବେଶରେ ଯୋଗ ଦେଇଥିବା ୨୪ଜଣ କରୋନା ଭୂତାଣୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେଲେଙ୍ଗାନାର ହାଇଦ୍ରାବାଦରେ ୭ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଶ୍ରୀନଗରରେ ଜଣଙ୍କର ମୃତ୍ୟୁ ହୋଇଛି । ନିଜାମୁଦ୍ଦିନ ଅଂଚଳରୁ ପ୍ରାୟ ୭ଶହ ଲୋକଙ୍କୁ କ୍ୱାରେଟିନରେ ରଖାଯାଇଥିବାବେଳେ ୩୩୪ ଜଣଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ଆଖପାଖ ଅଂଚଳକୁ ବିଶୋଧନ ମଧ୍ୟ କରାଯାଇଛି ।

ଏହି ଧାର୍ମିକ ସମାବେଶରେ କରୋନାକୁ ନେଇ ଜାରି କରାଯାଇଥିବା ସବୁ ନିୟମକୁ ଉଲ୍ଲଙ୍ଘନ କରାଯାଇଥିବା ଅଭିଯୋଗ ହୋଇଛି । ଏପରିକି ବିଦେଶୀ ପ୍ରତିନିଧିଙ୍କ ସ୍କ୍ରିନିଂ କରିବାର ମଧ୍ୟ କୌଣସି ବ୍ୟବସ୍ଥା ହୋଇନଥିଲା । ଏହାସହ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଫେରିଥିବା ଲୋକ ଅସୁସ୍ଥ ହେବା ପରେ ମଧ୍ୟ ଏହା ନଜରକୁ ଆସିନଥିଲା ।

ନିଜାମୁଦ୍ଦିନ ମସଜିଦକୁ ଲାଗି ରହିଛି ଚାରି ତାଲା ବିଶିଷ୍ଟ ବଙ୍ଗଲେୱାଲି ମସଜିଦ । ଯେଉଁଠି ଇସଲାମ ଧର୍ମର ପ୍ରସାର ପ୍ରଚାର ପାଇଁ ତବଲିଘି ଜମାତ ଧାର୍ମିକ ସମାବେଶର ଆୟୋଜନ ହୁଏ । ଏଠାରେ ଅନ୍ୟାନ୍ୟ ଦେଶ ସମେତ ବିଭିନ୍ନ ରାଜ୍ୟର ପ୍ରତିନିଧି ଯୋଗ ଦିଅନ୍ତି । ତେବେ ସୋମବାର ଦିନ ମଧ୍ୟ ଏଠାରେ ହଜାର ହଜାର ଲୋକ ଉପସ୍ଥିତ ଥିଲେ । ଯେଉଁଥିରେ ବିଦେଶୀ ପ୍ରତିନିଧି ମଧ୍ୟ ସାମିଲ ଥିଲେ । ଏବେ ଏହି ସ୍ଥାନକୁ ବିଶୋଧନ କରାଯିବ ସହ ଲୋକଙ୍କୁ ବିଭିନ୍ନ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଛି ।