ଚିନ୍ତା ବଢ଼ାଇଲା ଆକ୍ରାନ୍ତଙ୍କ ସଂଖ୍ୟା! ଭୁବନେଶ୍ୱରରେ ଗୋଟିଏ ଦିନରେ ୧୮ କରୋନା ପଜିଟିଭ୍, ରାଜ୍ୟରେ ୩୯ରେ ପହଁଚିଲା ଆକ୍ରାନ୍ତଙ୍କ ସଂଖ୍ୟା ।

1,033

କନକ ବ୍ୟୁରୋ: ରାଜଧାନୀରେ ରେକର୍ଡ ସ୍ତରରେ ପହଁଚିଲା କରୋନା ଆକ୍ରାନ୍ତ ସଂଖ୍ୟା । ଦିନକରେ ଚିହ୍ନଟ ହେଲେ ୧୮ କରୋନା ପଜିଟିଭ୍ । ସବୁଠାରୁ ବଡ଼ କଥା ହେଲା କି, ଏହି ୧୮ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ବମିଖାଲ ଅଞ୍ଚଳର ୧୬ ଜଣ ବୋଲି ସ୍ପଷ୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ । ତେବେ ଅପରାହ୍ନରେ ଦୁଇ ଜଣ କରୋନା ଆକ୍ରାନ୍ତ ଭୁବନେଶ୍ୱରରୁ ଚିହ୍ନଟ ହୋଇଥିଲେ । ଭୁବନେଶ୍ୱର କପିଳ ପ୍ରସାଦ ହାଉସିଂବୋର୍ଡ କଲୋନୀ ଫେଜ୍-୨ ଅଞ୍ଚଳରେ ହୋମ କ୍ୱାରେଣ୍ଟିନରେ ଥିଲେ ଅଷ୍ଟ୍ରେଲିଆରୁ ଫେରିଥିବା ୭୦ ବର୍ଷୀୟ ବୃଦ୍ଧ । ଅନ୍ୟଜଣେ ବମିଖାଲର ୨୯ ବର୍ଷୀୟ ଯୁବକ ବୋଲି ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଥିଲା ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖବର ହେଲା କି, କରୋନା ସଂକ୍ରମିତ ଭାବେ ଘୋଷଣା ହୋଇଥିବା ବମିଖାଲ ଅଞ୍ଚଳରୁ ହିଁ ଦିନକରେ ୧୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହି ସ୍ଥାନକୁ କଣ୍ଟେନମେଣ୍ଟ ସ୍ଥାନିତ କରାଇ ସିଲ୍ କରାଯାଇଛି । ଘର ଘର ବୁଲି ସର୍ଭେ ଜାରି ରହିଛି । ଏପରିକି ଏହି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସନ୍ଦିଗ୍ଧ ଏବଂ କଣ୍ଟାକ୍ଟ ମାନଙ୍କୁ ପୃଥକ ଭାବେ ପରୀକ୍ଷଣ କରାଯିବ । ଲୋକମାନଙ୍କୁ ଭୟଭୀତ ନହୋଇ ଘର ଭିତରେ ରହିବାକୁ ଟ୍ୱିଟ୍ କରି ଅନୁରୋଧ କରିଛି ସ୍ୱାସ୍ଥ୍ୟ ବିଭାଗ ।

ସେପଟେ ଗତ ୩ ତାରିଖରେ ରାଜ୍ୟରେ ଏକ ସଙ୍ଗେ ଚିହ୍ନଟ ହୋଇଥିଲେ ୧୫ କରୋନା ପଜିଟିଭ୍ । ବର୍ତ୍ତମାନ ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯ରେ ପହଂଚିଛି । ସବୁଠାରୁ ବଡ଼ ଚିନ୍ତାଜନକ କଥା ହେଲା, ଏହା ମଧ୍ୟରୁ କେବଳ ରାଜଧାନୀ ଭୁବନେଶ୍ୱରରୁ ହିଁ ଏପର୍ଯ୍ୟନ୍ତ ୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଉ ମୋଟ୍ ୩୯ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇ ଫେରିଥିବାବେଳେ ୩୭ ଆକ୍ଟିଭ୍ କେସ୍ ରହିଛି ।