ସାମ୍ନାକୁ ଆସିଲା କରୋନାର ସତ…ବୈଜ୍ଞାନିକ କହିଲେ କେମିତି ଜନ୍ମ ନେଲା ଚାଇନା ଭାଇରସ୍…ଚୀନରେ ଥିବା ଏକ ଲ୍ୟାବରୁ ହିଁ ବ୍ୟାପିଛି ଏହି ଭୟଙ୍କର ଭୂତାଣୁ !
କନକ ବ୍ୟୁରୋ: ଚୀନରେ କାୟା ମେଳାଇଥିବା କରୋନା ଭାଇରସରେ ସଂକ୍ରମଣ ହୋଇ ଏଯାବତ୍ ୧୮ ଶହ ଲୋକଙ୍କର ଜୀବନ ଗଲାଣି । ଯେଉଁ କାରଣରୁ ଏହି ଭୟଙ୍କର ଭାଇରସକୁ ନେଇ ଏବେ ସାରା ବିଶ୍ୱ ଚିନ୍ତା ପ୍ରକଟ କରିଛି । ଏପରିକି ବିଶ୍ୱର ବଡ ବଡ ଖ୍ୟାତନାମା ବୈଜ୍ଞାନିକମାନେ ଏହି ଘାତକ ଭୂତାଣୁକୁ ରୋକିବା ପାଇଁ ଅନେକ ରିସର୍ଚ୍ଚ କଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସେମାନଙ୍କୁ କୌଣସି ବି ସୁଫଳ ମିଳିପାରିନାହିଁ । ଏବେ ପ୍ରଶ୍ନ ଉଠୁଛି କି ପ୍ରକୃତରେ ଏହି କରୋନା ଭାଇରସ ଦୁନିଆକୁ ଆସିଲା କେମିତି ?
Kanak News is now on WhatsApp
Join and get latest news updates delivered to you via WhatsApp
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଏହି ଖତରନାକ ଚାଇନା ଭାଇରସ ଚୀନର ହୁବେଇରୁ ହିଁ ଆରମ୍ଭ ହୋଇଛି । କାରଣ ଏହି ଭୂତାଣୁର ଭୟଙ୍କର ପ୍ରଭାବ ପ୍ରଥମେ ହୁବେଇର ରାଜଧାନୀ ଉହାନରେ ହିଁ ଦେଖିବାକୁ ମିଳିଥିଲା । ତେବେ ମିଳିଥିବା ସୂଚନା ଅନୁସାରେ, ଚୀନର କିଛି ବୈଜ୍ଞାନିକ ଏବେ ସ୍ୱୀକାର କରିଛନ୍ତି କି ଏହି ଭୟଙ୍କର ଭାଇରସର ଜନ୍ମ ଉହାନର ମାଛ ମାର୍କେଟଠୁ ଅଳ୍ପ ଦୂରରେ ଥିବା ଏକ ସରକାରୀ ରିସର୍ଚ୍ଚ ଲ୍ୟାବରେ ହିଁ ହୋଇଛି । ଚୀନର ସରକାରୀ ସାଉଥ ଚାଇନା ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜିର ସୂଚନା ଅନୁସାରେ ଉହାନ ସେଂଟର ଫର ଡିଜିଜ କଂଟ୍ରୋଲରେ ଏଭଳି ଭାଇରସର ଜନ୍ମ ହୋଇପାରେ । ଆଉ ଏହା ପଛର କାରଣ ହେଲା ଏହି ଲ୍ୟାବରେ ଏଭଳି ପଶୁପକ୍ଷୀଙ୍କୁ ରଖାଯାଇଥାଏ, ଯେଉଁମାନଙ୍କ ଶରୀରରେ ଏଭଳି ଭୟଙ୍କର ରୋଗଜୀବାଣୁ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଛି । ଚୀନର ଏହି ସରକାରୀ ଲ୍ୟାବରେ ୬୦୫ଟି ବାଦୁଡି ରଖାଯାଇଥିଲା, ଆଉ ଏହି ବାଦୁଡିମାନ ମାଧ୍ୟମରେ କରୋନା ଭାଇରସ ବ୍ୟାପିଥାଇପାରେ ବୋଲି ଅନୁମାନ କରାଯାଉଛି ।
ଏହାବ୍ୟତୀତ ଏହି ୟୁନିର୍ଭସିଟିର ରିସର୍ଚ୍ଚ ପେପରରେ ମଧ୍ୟ କୁହାଯାଇଛି କି, କରୋନା ଭାଇରସକୁ ଜନ୍ମ ଦେଇଥିବା ବାଦୁଡି ଥରେ ଜଣେ ରିସର୍ଚ୍ଚରଙ୍କ ଉପରେ ଆକ୍ରମଣ କରିଦେଇଥିଲେ, ଯାହାଫଳରେ ବାଦୁଡିମାନଙ୍କର ରକ୍ତ ତାଙ୍କ ଚର୍ମ ସଂସ୍ପର୍ଶରେ ଚାଲିଆସିଥିଲା । ତେବେ ରିପୋର୍ଟରେ କୁହାଯାଇଛି କି କରୋନା ଭାଇରସରେ ଆକ୍ରାନ୍ତ ରୋଗୀମାନଙ୍କ ଶରୀରରେ ଜିନୋମ ସିକ୍ୱେନ୍ସ ୯୬ କିମ୍ବା ୮୯ ପ୍ରତିଶତ ରହିଥିଲା । ଯାହାକି ବ୍ୟାଟ୍ ସିଓସିଜେସି୪ କରୋନା ଭାଇରସ ସହ ସମାନ । ରିପୋର୍ଟରେ କୁହାଯାଇଛି ଯେ ବାଦୁଡି ଉହାନର ସିଫୁଡ ମାର୍କେଟଠାରୁ ପାଖାପାଖି ୬୦୦ ମିଟିର ଦୂରରେ ଦେଖିବାକୁ ମିଳନ୍ତି । ତେଣୁ ଲୋକଙ୍କୁ ଏବେ ବାଦୁଡି ନଖାଇବାକୁ ପରାମର୍ଶ ଦିଆଯାଇଛି ।