ଏଣିକି ମାସ୍କ ଓ ସାନିଟାଇଜରର ଲିଖିତ ଦାମଠୁ ଅଧିକ ଟଙ୍କାରେ ବିକ୍ରି କଲେ ଦଣ୍ଡିତ ହେବେ ବ୍ୟବସାୟୀ । ୭ବର୍ଷ ଜେଲ୍ ସହ ଦେବାକୁ ପଡିପାରେ ମୋଟା ଅଙ୍କର ଫାଇନ୍ । ଉପଭୋକ୍ତାଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର

1,013

କନକ ବ୍ୟୁରୋ: କରୋନା କବଳରେ ସାରା ବିଶ୍ୱ । ବିଶ୍ୱରେ ହଜାର ହଜାର ଲୋକଙ୍କ ମୁଣ୍ଡ ନେଇଥିବା ଏହି ଭୟଙ୍କର ଭୁତାଣୁ ତାର କାୟା ବଢାଇ ଚାଲିଛି । ଦିନ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ଅନୁରୂପ ଭାବେ ବଢିଚାଲିଛି । ତେବେ ଚୀନ, ଇଟାଲି ଓ ଇରାନରେ ଏହି ଭୟଙ୍କର ଭୁତାଣୁର ଅଧିକ ପ୍ରଭାବ ଦେଖିବାକୁ ମିଳିଛି । ସେହିଭଳି ଭାରତରେ ମଧ୍ୟ କରୋନାର କୋକୁଆ ଭୟ ସୃଷ୍ଟି ହୋଇଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୩କୁ ବୃଦ୍ଧି ପାଇଥିବା ବେଳେ ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ତେବେ ଏହା ଏକ ନୂଆ ଭୁତାଣୁ ହୋଇଥିବାରୁ, ଏହାକୁ ରୋକିବା ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ବି ପ୍ରତିଷେଧକ ତଥା ଔଷଧ ବାହାରି ପାରିନି । କେବଳ ସଚେତନ ଏବଂ ସତର୍କତା ଜରିଆରେ ହିିଁ କରୋନା ଭୁତାଣୁକୁ ରୋକାଯାଇପାରିବ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।

ତେବେ ଭାରତ ସରକାରଙ୍କ ପକ୍ଷରୁ ମଧ୍ୟ କରୋନା ଭୁତାଣୁକୁ ରୋକିବା ପାଇଁ ନିରନ୍ତର ପଦକ୍ଷେପ ନିଆଯାଉଛି । କରୋନା ପାଇଁ ଭାରତରେ ଫେସ୍ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜରକୁ ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଜୁନ୍ ୩୦ ତାରିଖ ଯାଏଁ ଏହି ଦୁଇଟି ସାମଗ୍ରୀକୁ ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ବିବେଚନା କରାଯିବ । ଏହାକୁ ମହଜୁଦ ରଖିବା କିମ୍ୱା ଅଧିକ ମୂଲ୍ୟରେ ବିକ୍ରି କଲେ ବ୍ୟବସାୟୀ ଦଣ୍ଡିତ ହେବେ । ତେବେ ଏହି ଦୁଇଟି ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରୀ ଯେପରି ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ଫାର୍ମାସିଟୁକାଲ ରେଗୁଲେଟରୀ ପ୍ରତି ରାଜ୍ୟ ସରକାରଙ୍କୁ ଅବଗତ କରାଇଛନ୍ତି । ଏଥିସହିତ ଦେଶରେ କରୋନା ସଂକ୍ରମଣ ଖବର ଆସିବା ଭିତରେ ଫ୍ରେସ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜର ପ୍ରସ୍ତୁତକାରୀ କମ୍ପାନୀ ଗୁଡିକ ଯେପରି ଏହି ସାମଗ୍ରୀ ଗୁଡିକର ଦାମ ବୃଦ୍ଧି ନକରନ୍ତି ସେଥିପ୍ରତି ଦୃଷ୍ଟି ରଖିବାକୁ ପ୍ରତି ରାଜ୍ୟ ସରକାରଙ୍କୁ କୁହାଯାଇଛି ।  ଏଥିପାଇଁ ସରକାରଙ୍କ ତରଫରୁ ଏକ ହେଲପଲାଇନ ନମ୍ବର ଏବଂ ୱେବ ପୋର୍ଟାଲ ମଧ୍ୟ ଲଂଚ କରାଯାଇଛି । ଯେଉଁଥିରେ ଏହି ସାମଗ୍ରୀଗୁଡିକର ଫ୍ରିଂଟ ରେଟ୍ ତଥା ଏମଆରପି ସହ ଅଧିକ ବିକ୍ରି, କଳାବଜାରୀ, ଅପମିଶ୍ରଣ ଭଳି ଅଭିଯୋଗ କରିପାରିବେ ।

ରାଷ୍ଟ୍ରୀୟ ଉପଭୋକ୍ତା ହେଲପଲାଇନ ନମ୍ବର-
୧୮୦୦-୧୧-୪୦୦୦

ୱେବ୍ ପୋର୍ଟାଲ

www.consumerhelpline.gov.in,
www.consumeraffairs.nic.in, dsadmin-ca@nic.in
dirwm-ca@nic.in, secy.doca@gov.in

ସେହିଭଳି ବଜାରରେ ଫେସ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜର ଚାହିଦା ବଢିଯାଇଥିବା ଦେଖି କେହି ଏହାର କଳାବାଜାରୀ କଲେ କିଂବା ଲିଖିତ ଦାମ ଠାରୁ ଅଧିକରେ ବିକ୍ରି କଲେ , ଆଇନ ଉଲଂଘନକାରୀଙ୍କୁ ୭ ବର୍ଷ ଜେଲ ଦଣ୍ଡ ଓ ଜରିମାନା ହେବ ବୋଲି କୁହାଯାଇଛି । ଯଦି କେହି ଏହି ଆଇନ ଉଲ୍ଲଂଘନ କରନ୍ତି ତେବେ ଉକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧର କଳାବଜାରୀ ନିବାରଣ ଏବଂ ଅତ୍ୟାବଶୀକୀୟ ସାମଗ୍ରୀ ଯୋଗଣ ଅଧିନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ଏଥିରେ ଦୋଷୀ ସାବ୍ୟସ୍ତ ହେଲେ ସଂପୃକ୍ତ ବ୍ୟକ୍ତିଙ୍କୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡାଦେଶ ହୋଇପାରେ । ଏହାଛଡା ସଂପୃକ୍ତ ବ୍ୟକ୍ତିଙ୍କୁ ମଧ୍ୟ ଦେବାକୁ ପଡିପାରେ ମୋଟା ଅଙ୍କର ଜରିମାନା ।

ଏଠାରେ ଆମେ କହି ରଖୁଛୁ ଯେ, କରୋନାର ଭୟାବହତାକୁ ନଜରରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ଏହାକୁ ମହାମାରୀ ବୋଲି ଘୋଷଣା କରାଯାଇଛି । ତେଣୁ ଏହି ଭୟ ମହାମାରୀକୁ ରୋକିବା ପାଇଁ ଫ୍ରେସ୍ ମାସ୍କ ଏବଂ ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି ।