କରୋନା ସଂକ୍ରମିତଙ୍କ ପାଇଁ ବିପଦ ଆଣିବ ମୋଟାପଣ । ମେଦବହୁଳତା ଥିଲେ ମୃତ୍ୟୁବରଣର ରହିଛି ୫୦ ପ୍ରତିଶତ ଆଶଙ୍କା । ଆସିଲା ଆଶ୍ଚର୍ଯ୍ୟକର ତଥ୍ୟ

1,740

କନକ ବ୍ୟୁରୋ: କରୋନା ସଂକ୍ରମଣ ଏବେ ସାରା ବିଶ୍ୱବାସୀଙ୍କୁ ଭୟଭୀତ କରି ରଖିଛି । ପ୍ରତିଦିନ ଆସୁଛି ନୂଆ ନୂଆ କଥା , ନୂଆ ନୂଆ କାହାଣୀ । କରୋନା କାହାକୁ ସଂକ୍ରମିତ କରୁଛି, କରୋନାରେ କେତେ ହାରରେ ମୃତ୍ୟୁ ହେଉଛି ଆଉ କେମିତି ମୃତ୍ୟୁ ହେଉଛି । ଏହାକୁ ନେଇ ଚାଲିଛି ଅନେକ ଆଲୋଚନା ପର୍ଯ୍ୟାଲୋଚନା । ଏସବୁ ଭିତରେ ଏକ ଏମିତି ତଥ୍ୟ ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । କରୋନା ସଂକ୍ରମିତ ହେଉଥିବା ଲୋକଙ୍କ ଠାରେ ଯଦି ମେଦବହୁଳତା ଥିବ ତେବେ ମୃତ୍ୟୁବରଣର ଆଶଙ୍କା ୫୦ ପ୍ରତିଶତ ରହିଛି । ଅର୍ଥାତ ମେଦବହୁଳତା ଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ କରୋନା ସଂକ୍ରମଣ ହେଲେ ୫୦ ପ୍ରତିଶତ ମୃତ୍ୟୁର ଭୟ ରହିଛି ।

ବିଶ୍ୱର କିଛି ବିଶେଷଜ୍ଞ କରିଥିବା ଗବେଷଣା ଅନୁସାରେ ମେଦବହୁଳତା ବା ମୋଟା ବ୍ୟକ୍ତିଙ୍କ କ୍ଷେତ୍ରରେ ମୃତ୍ୟୁର ବିପଦ ଅଧିକ ରହିଛି । ବିଶ୍ୱବ୍ୟାଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥିବା ଏହି ତଥ୍ୟ ଏବେ ବିଦେଶରେ ସରକାରଙ୍କ ଉପରେ ମେଦବହୁଳର ମୁକାବିଲା କରିବା ପାଇଁ ଚାପ ପକାଉଛି । ୟୁନାଇଟେଡ କିଙ୍ଗଡମର ପ୍ରଧାନମନ୍ତ୍ରୀ ଦେଶରେ ଲୋକଙ୍କ ଓଜନ କମାଇବା ଉପରେ ଗୁରୁତ୍ୱ ପ୍ରଦାନ କରିବା ଆରମ୍ଭ କରିଦେଇଛନ୍ତି । ବିଶ୍ୱର ତଥ୍ୟକୁ ଯଦି ନିଆଯାଏ ତେବେ ଆମେରିକାରେ ୪୦ ପ୍ରତିଶତ ଲୋକଙ୍କ ଠାରେ ମେଦବହୁଳତା ରହିଛି । ଇଂଲଣ୍ଡରେ ୨୭ ପ୍ରତିଶତରୁ ଅଧିକ ବୟସ୍କଙ୍କ କ୍ଷେତ୍ରରେ ମେଦବହୁଳତା ଦେଖାଯାଏ । ମେଦବହୁଳତା ଥିବା କରୋନା ଆକ୍ରାନ୍ତ ରୋଗୀ ୧୧୩ ପ୍ରତିଶତ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତି ହୋଇଥାନ୍ତି । ଇନଟେନସିଭ କେୟାର ୟୁନିଟରେ ରହିଥାନ୍ତି ୭୪ ପ୍ରତିଶତ ଏବଂ ୪୮ ପ୍ରତିଶତ ବ୍ୟକ୍ତିଙ୍କ କ୍ଷେତ୍ରରେ ମୃତ୍ୟୁର ଆଶଙ୍କା ଅଧିକ ରହିଥାଏ

ତେଣୁ ମେଦବହୁଳତା ଏବେ କରୋନା ସଂକ୍ରମଣ ବେଳେ ଚିନ୍ତା ବଢାଇଛି । ଅନେକ ଦେଶ ଏହାକୁ ନେଇ ଚିନ୍ତା ପ୍ରକଟ କରୁଥିବା ବେଳେ ଏହାର ସଫଳ ଚିକିତ୍ସା କିପରି ହୋଇପାରିବ ସେନେଇ କିଛି ଫର୍ମୁଲା ମଧ୍ୟ ଆସିନାହିଁ । ଭାରତ ବର୍ଷରେ ୫ ପ୍ରତିଶତ ଲୋକଙ୍କୁ ଏହି ମେଦବହୁଳତା ପ୍ରଭାବିତ କରିଛି । ଅନ୍ୟ ବିକାଶଶୀଳ ରାଷ୍ଟ୍ର ଗୁଡିକ ଭଳି ଭାରତ ବର୍ଷରେ ଏହି ଟ୍ରେଣ୍ଡ ବଢିବାରେ ଲାଗିଛି । ଭାରତବର୍ଷରେ ମଧ୍ୟବିତଙ୍କ ରୋଜଗାର ବଢିବା ଏବଂ କ୍ୟାଲୋରୀ ଖାଦ୍ୟ ଗ୍ରହଣ ବଢିବା ଏହି ମୋଟାପଣକୁ ବଢେଇଦେଇଛି । ମେଦବହୁଳତା ହୃଦରୋଗର କାରଣ ହୁଏ ଆଉ କରୋନା ସମୟରେ ଏହା ମଣିଷକୁ ମୃତ୍ୟୁମୁଖକୁ ନେଇଯାଏ । ମୋଟାପଣ ବା ମେଦବହୁଳତା ଡାଏବେଟିସକୁ ମଧ୍ୟ ନିମନ୍ତ୍ରଣ କରେ । ହୃଦରୋଗ ଏବଂ ଡାଏବେଟିସ କରୋନା ସମୟରେ ମଣିଷକୁ ମୃତ୍ୟୁମୁଖକୁ ଟାଣିନେବାର ଆଶଙ୍କା ରଖିଥାଏ ।