କରୋନା କାୟା ମେଲାଉଛି, ସାରା ବିଶ୍ୱର ଚିନ୍ତା ବଢାଉଛି । ଭୟଙ୍କର ଭାଇରସ ନେଇ ଚିନ୍ତା ପ୍ରକଟ କଲେ ପ୍ରଧାନମନ୍ତ୍ରୀ ମୋଦି । କହିଲେ ‘କରୋନା’ ସାରା ବିଶ୍ୱ ପାଇଁ ବଡ ଚାଲେଞ୍ଜ

390

କନକ ବ୍ୟୁରୋ: ଦିନକୁ ଦିନ କରୋନା ସାରା ବିଶ୍ୱରେ କାୟା ମେଲାଉଥିବା ବେଳେ ଭାରତରେ ମଧ୍ୟ ଏହା ଆତଙ୍କ ଖେଳାଉଛି । ଏଯାବତ ଭାରତରେ ୩୧ ଜଣ କରୋନା ଭାଇରସରେ ଆକ୍ରାନ୍ତ ଥିବା ବେଳେ ଅନେକଙ୍କୁ ସନ୍ଦେହ କରାଯାଇ ପରୀକ୍ଷା କରାଯାଉଛି । ସାରା ଦେଶରେ ଯେତେବେଳେ କରୋନା ପାଇଁ କୋକୁଆ ଭୟ ଖେଳି ଯାଇଛି ଠିକ ସେତିକି ବେଳେ ପ୍ରଧାନମନ୍ତ୍ରୀ ମୋଦି କରୋନା ପାଇଁ ବଡ ବୟାନ ଦେଇଛନ୍ତି । କରୋନା ଭାଇରସ ଭାରତ ପାଇଁ ନୁହେଁ ବରଂ ଏହା ସାରା ବିଶ୍ୱ ପାଇଁ ଏକ ବଡ ଚାଲେଞ୍ଜ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।

ତେବେ ଭାଇରସ କବଳରୁ ବର୍ତ୍ତିବା ଆଉ ବିଶ୍ୱକୁ ବଞ୍ଚାଇବା ସାରା ଦୁନିଆ ପାଇଁ ଏକ ବହୁତ ବଡ ଚାଲେଞ୍ଜ ବୋଲି ମୋଦି ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି । କିଛି ଦିନ ତଳେ ମୋଦି ଏଥର କରୋନା ପାଇଁ ହୋଲି ଖେଳିବେନି ବୋଲି କହିଥିଲେ । ତେବେ କରୋନା କବଳରୁ ବର୍ତ୍ତିବାକୁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ବାରମ୍ବାର ବୈଠକ କରି କରୋନାରୁ କେମିତି ରକ୍ଷା ପାଇହେବ ସେନେଇ ସତର୍କ ସୂଚନା ଦେବା ସହ ପ୍ରତିଷେଧକ ମଧ୍ୟ ନେଉଛନ୍ତି ସରକାର ।

ଆଜି ସମସ୍ତ ସରକାରୀ ଅଫିସରେ ବାୟୋମେଟ୍ରିକ୍ସକୁ ବନ୍ଦ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା ବେଳେ ବଡ ବଡ ବିମାନ ବନ୍ଦରରେ ଚେକିଂଙ୍କୁ କଡାକଡି କରିଛନ୍ତି ଯାହା ଦର୍ଶାଉଛି କି କରୋନା ପାଇଁ କେତେ ସଜାଗ କେନ୍ଦ୍ର ସରକାର ।
ସେପଟେ କରୋନା ଆଶଙ୍କାର ବଜାରରେ ମାସ୍କର ଅଭାବ ଦେଖା ଦେଇଛି । ଭାଇରସ ଭୟରେ ବଜାରରୁ ମାସ୍କ, ସାନିଟାରୀ ଉଭାନ ହେବା ପରେ ଗୋଟିଏ ଗୋଟିଏ ମାସ୍କ ୨ ଶହରୁ ୨୫୦ ଟଙ୍କାରେ ବିକ୍ରୀ ହେଉଛି ।

ଆକ୍ରାନ୍ତଙ୍କ ସଂଖ୍ୟା ୩୧କୁ ବୃଦ୍ଧିପାଇଛି, ସନ୍ଦିଗ୍ଧଙ୍କ ସଂଖ୍ୟା ବି ବଢୁଛି । ଆଉ ଏହାରି ଭିତରେ କରୋନାକୁ ନେଇ ସାରା ଭାରତରେ ସତର୍କତା ଆହୁରି ବ୍ୟାପକ ହୋଇଛି ।
ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୩୧କୁ ବୃଦ୍ଧି ପାଇଛି
– କରୋନା ଆକ୍ରାନ୍ତଙ୍କୁ ଦିଲ୍ଲୀ ଓ ଗୁରୁଗ୍ରାମରେ ଚିକିତ୍ସା କରାଯାଉଛି
– ବିଦେଶୀ ଶ୍ରଦ୍ଧାଳୁଙ୍କୁ ୨ ମାସ ପାଇଁ ମଥୁରାକୁ ମନା କରାଯାଇଛି
-ଅମ୍ରିତସରରେ ୧୩ ଇରାନ ପର୍ଯ୍ୟଟକଙ୍କୁ ଅଟକ ରଖି ଯାଂଚ୍ କରାଯାଉଛି
-ଲୋକସଭା ସାଂସଦଙ୍କ ପାଇଁ ଏକ ଆଡଭାଇଜରି ଜାରାଯାଇଛି
-ଦିଲ୍ଲୀରେ ସୁଟିଂ ବିଶ୍ୱକପ୍ ଓ ଅଲିମ୍ପିକ୍ସ ଅଭ୍ୟାସ୍ ପ୍ରତିଯୋଗିତା ସ୍ଥଗିତ ରହିଛି
-ଆଇପିଏଲ୍ ମ୍ୟାଚ୍ ଉପରେ ମଧ୍ୟ ଆଶଙ୍କାର କଳାବାଦଲ ସୃଷ୍ଟି ହୋଇଛି