ଦେଶରେ କମୁଛି କରୋନା ପ୍ରକୋପ: ୪୦ ପ୍ରତିଶତ କମିଛି ସଂକ୍ରମଣ ବୃଦ୍ଧି ହାର; ଆକ୍ରାନ୍ତଙ୍କ ମଧ୍ୟରୁ ସୁସ୍ଥ ହେଉଛନ୍ତି ୮୦%

425

କନକ ବ୍ୟୁରୋ: ଦେଶରେ କମୁଛି କରୋନା ସଂକ୍ରମଣର ହାର । ଏନେଇ ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଦେଶରେ କରୋନା ସଂକ୍ରମଣ ବୃଦ୍ଧିର ହାର ୪୦ ପ୍ରତିଶତ ହ୍ରାସ ପାଇଛି । ସେହିପରି କରୋନା ଭୂତାଣୁରେ ସଂକ୍ରମିତ ୮୦ ପ୍ରତିଶତ ଆକ୍ରାନ୍ତ ସୁସ୍ଥ ଅଛନ୍ତି ।

ମେ ମାସ ସୁଦ୍ଧା ୧୦ ଲକ୍ଷ ରାପିଡ୍ ଟେଷ୍ଟିଂ କିଟ୍ ପ୍ରସ୍ତୁତ କରାଯାଇପାରିବ । ପ୍ଲାଜମା ଥେରାପି ଜରିଆରେ ଚିକିତ୍ସା ଉପରେ ବି କାମ ଜାରି ରହିଛି । ଗତ ୨୪ ଘଂଟାରେ ୧୦୭୬ଟି ନୂଆ କେସ୍ ସାମ୍ନାକୁ ଆସିଛି । ବର୍ତମାନ ସୁଦ୍ଧା ୧୭୬୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୨୪ ଘଂଟାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୨ ହୋଇଥିବାବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪୫୨ ରହିଛି ।

ଅନ୍ୟପଟେ ଓଡିଶାରେ ମଧ୍ୟ କରୋନାକୁ ନେଇ ଆସିଛି ଏକ ଆଶ୍ୱସ୍ତିର ଖବର । ଗତକାଲି ପରୀକ୍ଷା ହୋଇଥିବା ସବୁ ନମୁନା ନେଗେଟିଭ ଆସିଛି । ରାଜ୍ୟରେ ଆଉ ଦୁଇ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନେ ସମସ୍ତେ ଭୁବନେଶ୍ୱରବାସିନ୍ଦା ବୋଲି ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଏହା ସହ ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ସଂଖ୍ୟା ୨୧ରେ ପହଂଚିଛି । ବଡ କଥା ହେଲା, ଗତ ୭୨ ଘଂଟା ମଧ୍ୟରେ ଓଡିଶାରେ ଆଉ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । ରାଜ୍ୟରେ ବର୍ତମାନ ସୁଦ୍ଧା ଏଯାଏଁ ୬୦ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଏବେ ବି ୩୮ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗତକାଲି ସୁଦ୍ଧା ମୋଟ ୮୬୧୯ଜଣଙ୍କ ନମୁନା ପରୀକ୍ଷା ହୋଇଛି । ୮୫୫୯ଜଣଙ୍କ ରିପୋର୍ଟ ନେଗେଟିଭ ଆସିଛି ।