କରୋନା ସଂକ୍ରମଣରେ ମୃତ୍ୟୁ ହେଲେ ମିଳିବ ସହାୟତା । ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ନେଇ କେନ୍ଦ୍ରର ଘୋଷଣା । ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରୁ ଦିଆଯିବ ଟଙ୍କା

1,178

କନକ ବ୍ୟୁରୋ: କରୋନା ଭାଇରସ ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଥିବା ବେଳେ ଦେଶରେ ଏଯାବତ ୨ଟି ମୁଣ୍ଡ ନେଇଛି । ଭୟଙ୍କର ଭୂତାଣୁ ସାରା ଦେଶର ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ କରୋନାକୁ ବିପତ୍ତତ୍ତି ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଏଥିସହ ଭାଇରସରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ମଧ୍ୟ ସହାୟତା ଘୋଷଣା କରିଛନ୍ତି ସରକାର ।

କରୋନା  ସଂକ୍ରମଣରେ ମୃତକଙ୍କ ପରିବାରକୁ ମିଳିବ ୪ ଲକ୍ଷ ଟଙ୍କା । ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ଯେଉଁମାନେ କରୋନା ପ୍ରତିକାର ପାଇଁ କାମ କରୁଛନ୍ତି ତାଙ୍କୁ ବି ସହାୟତା ଦିଆଯିବ । ତେବେ ଏ ସମସ୍ତ ଟଙ୍କା ରାଜ୍ୟର ଜରୁରୀ ପାଣ୍ଠିରୁ ଯୋଗାଇ ଦିଆଯିବ । ପ୍ରତ୍ୟେକ ରାଜ୍ୟର ବିପର୍ଯ୍ୟୟ ପାଣ୍ଠିରୁ ମୃତକଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କରାଯିବ ବୋଲି ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସେପଟେ ଭୂତାଣୁକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯେଉଁ ରିପୋର୍ଟ ଆସିଛି ତାହା ସାରା ଦେଶକୁ ଖୁସି କଲାଭଳି । କାରଣ ମୋଟ ୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ଏହି ରିପୋର୍ଟରେ କୁହାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ରିପୋର୍ଟ ଅନୁସାରେ ଭାରତରେ ଏ ପର୍ଯ୍ୟନ୍ତ ମୋଟ ୮୩ ଜଣ କରୋନା ଭୂତାଣୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ ୧୭ ଜଣ ବିଦେଶୀ ନାଗରିକ ରହିଛନ୍ତି ।

ତେବେ କରୋନା ଭୂତାଣୁ ସଂକ୍ରମଣରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯାହା ସବୁଠାରୁ ବଡ ଉପଲବ୍ଧି ବୋଲି କୁହାଯାଉଛି । ଦିଲ୍ଲୀରେ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ଅନ୍ୟଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ୫ ଜଣଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଥିବା ଜଣାପଡିଛି । ହରିଆଣାରେ ୧୪ ଜଣ ବିଦେଶୀ ନାଗରିକଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି । କେରଳରେ ୧୯ ଆକ୍ରାନ୍ତଙ୍କ ଭିତରୁ ୩ ଜଣ ସୁସ୍ଥ ହୋଇଛନ୍ତି ।