ଦେଶରେ କରୋନାକୁ ବିପର୍ଯ୍ୟୟ ଘୋଷଣା କଲା ଗୃହ ମନ୍ତ୍ରାଳୟ । ମୃତକଙ୍କ ପରିବାରକୁ ମିଳିବ ୪ ଲକ୍ଷ ଟଙ୍କା ସହାୟତା । ଆଇସିଏମଆର କହିଲା, ଭାରତରେ ଦ୍ୱିତୀୟ ଷ୍ଟେଜରେ ରହିଛି ସଂକ୍ରମଣ, ଆଗାମୀ ୩୦ ଦିନ ବହୁତ ଗୁରୁତ୍ୱପୂର୍ଣ୍ଣ

917

କନକ ବ୍ୟୁରୋ: କରୋନାକୁ ବିପର୍ଯ୍ୟୟ ଘୋଷଣା କଲା ଭାରତ । ମୃତକଙ୍କ ପରିବାରକୁ ମିଳିବ ୪ ଲକ୍ଷ ଟଙ୍କାର ସହାୟତା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୋଭିଡ-୧୯ ବା ନଭେଲ କରୋନା ଭୂତାଣୁ ସଂକ୍ରମଣକୁ ବିଶ୍ୱ ମହାମାରୀ ଘୋଷଣା କରିଥିବାରୁ କରୋନାକୁ ଏକ ବିଜ୍ଞାପିତ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଗୃହ ମନ୍ତ୍ରାଳୟ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଏ ନେଇ ଅବଗତ କରିଛନ୍ତି । ଷ୍ଟେଟ୍ ଡିଜାଷ୍ଟର ରେସପୋନ୍ସ ଫଣ୍ଡ ବା ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । କରୋନା ମୁକାବିଲା ପାଇଁ ଯେଉଁମାନେ କାର୍ଯ୍ୟ କରୁଛନ୍ତି, କିଛି ଅଘଟଣ ଘଟିଲେ ସେମାନଙ୍କ ପରିବାରକୁ ମଧ୍ୟ ସହାୟତା ଦିଆଯିବ । ସେହିପରି କରୋନା ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା, ନିଦାନ ଓ ଅନ୍ୟାନ୍ୟ ଖର୍ଚ୍ଚ ବିଧି ମୁତାବକ କରାଯିବ ।

ସାରା ବିଶ୍ୱରେ କରୋନା ମହାମାରୀ ରୂପ ନେଇଥିବାରୁ ସତର୍କତା ଅବଲମ୍ବନ କରିଛନ୍ତି କେନ୍ଦ୍ର ସରକାର । ବିଶ୍ୱର ପଂଚମ ଦେଶ ଭାବେ କରୋନା ଭୂତାଣୁକୁ ଦୂରେଇ ରଖିବା ପାଇଁ କଠୋର ପଦକ୍ଷେପ ନେଇଛି ଭାରତ । ଏହି ଭୟାବହ ଭୂତାଣୁର ସଂକ୍ରମଣରେ ଭାରତ ଏବେ ଷ୍ଟେଜ୍-ଟୁରେ ରହିଛି ।
ତେବେ ନଜର ପକାଇବା କରୋନା ସଂକ୍ରମଣର ୪ଟି ଷ୍ଟେଜ୍ ଉପରେ

ପ୍ରଥମ ଷ୍ଟେଜ୍ – ପ୍ରଭାବିତ ଦେଶରୁ ଆସିଥିବା ବା ଗସ୍ତ କରିଥିବା ଲୋକଙ୍କ ଠାରେ କରୋନା ଭୂତାଣୁ ଦେଖାଦେବା
ଦ୍ୱିତୀୟ ଷ୍ଟେଜ୍ – କରୋନା ପ୍ରଭାବିତ ଦେଶରୁ ଆସିଥିବା ଲୋକଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ସଂକ୍ରମଣ ହେବା
ତୃତୀୟ ଷ୍ଟେଜ୍ – ଗୋଷ୍ଠୀଗତ ଭାବେ ବା ସାମୁହିକ ଭାବେ ସଂକ୍ରମଣ ବ୍ୟାପିଯିବା
ଚତୁର୍ଥ ଷ୍ଟେଜ୍ – ସଂକ୍ରମଣ ନିୟନ୍ତ୍ରଣ ବାହାରକୁ ଚାଲିଯିବା, ଚୀନ ଓ ଇଟାଲି ଭଳି ପରିସ୍ଥିତି ଅନିୟନ୍ତ୍ରିତ ହୋଇଯିବା

ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚର ନିର୍ଦ୍ଦେଶକ କହିଛନ୍ତି, ସଂକ୍ରମଣକୁ ତୃତୀୟ ଷ୍ଟେଜରେ ପହଂଚିବା ପାଇଁ ପ୍ରାୟ ୩୦ ଦିନ ସମୟ ଲାଗିବ । ଏହି ସମୟରେ ସଂକ୍ରମଣକୁ ରୋକିବା ପାଇଁ କଠୋର ପଦକ୍ଷେପ ନେଲେ କରୋନାକୁ ମୁକାବିଲା କରିହେବ । ସେପଟେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ ୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।