କରୋନା କବଳରେ କୁନି ଶିଶୁ । ନବଜାତ ଶିଶୁଠାରେ ଠାବ ହେଲା ଭୟଙ୍କର ଭୂତାଣୁ, ଆଶ୍ଚର୍ଯ୍ୟ ହୋଇଗଲେ ଡାକ୍ତରୀ ଟିମ୍ ।

996

କନକ ବ୍ୟୁରୋ : ଚୀନରେ ମହାମାରୀର ରୂପ ନେଇ ସାରିଥିବା କରୋନା ଭୂତାଣୁର ଅତି କରୁଣ ଚିତ୍ର ସାମ୍ନାକୁ ଆସିଛି । ଏହି ଖବର ଆପଣଙ୍କୁ ବି ବିଚଳିତ କରିଦେବ । ନବଜାତ ଶିଶୁ ଠାରେ ବି ମିଳିଲା କରୋନା ଭୂତାଣୁ । ଗୋଟିଏ ଦିନର ଶିଶୁ ଠାରେ ମିଳିଲା ସଂକ୍ରମଣର ଲକ୍ଷଣ । କରୋନା ଭୂତାଣୁ ସାରା ବିଶ୍ୱରେ ୨୮ ହଜାରରୁ ଅଧିକ ଲୋକଙ୍କୁ ସଂକ୍ରମଣ କରିସାରିଥିବା ବେଳେ ଏବେ ଏହାର ସଂକ୍ରମଣର ଶିକାର ହୋଇଛି ଏକ ନବଜାତ ଶିଶୁ ।

ଉହାନ ଚିଲଡ୍ରେନ ହସ୍ପିଟାଲରେ ଜଣେ ମହିଳା ଏକ ଶିଶୁକୁ ଜନ୍ମ ଦେଇଥିଲେ । ୩୦ ଘଂଟା ପରେ ଶିଶୁର ସାମ୍ପଲ ପରୀକ୍ଷା ପାଇଁ ନିଆଯାଇଥିଲା । ତା ଠାରେ ମିଳିଥିଲା କରୋନା ଭୂତାଣୁ । ତେବେ ଶିଶୁକୁ ଜନ୍ମ ଦେଇଥିବା ମାଆ କରୋନା ଭୂତାଣୁର ସଂକ୍ରମଣର ଶିକାର ହୋଇଥିଲେ । ତାଙ୍କ ଠାରୁ ଶିଶୁକୁ ଏହି ସଂକ୍ରମଣ ହୋଇଥିବା ଡାକ୍ତରୀ ଟିମ୍ କହିଛନ୍ତି । ତେବେ ଡାକ୍ତରୀ ଟିମ୍ ଏବେ ଏନେଇ ଅଧିକ ଗବେଷଣା ଆରମ୍ଭ କରିଦେଇଛନ୍ତି କି ଶିଶୁକୁ ଜନ୍ମ ପୂର୍ବରୁ ସଂକ୍ରମଣ ହୋଇଛି ନା ଜନ୍ମ ପରେ ସଂକ୍ରମଣ ହୋଇଛି ।

ଏହି ଘଟଣା ବର୍ତମାନ ଗର୍ଭସ୍ଥ ଶିଶୁ ମାନଙ୍କ ପାଇଁ କରୋନା ଭୂତାଣୁ ବି ବିପଦ ହୋଇପାରେ ଏହା ସ୍ପଷ୍ଟ କରିଦେଇଛି । ମାତୃ ଗର୍ଭରେ ଥିବା ଶିଶୁଙ୍କୁ ବି ଏହି ଭୂତାଣୁ ଅସୁସ୍ଥ କରିଦେଇପାରେ । ଏହି ଭୂତାଣୁକୁ ନେଇ ଏମିତି କିଛି ଆଶଙ୍କା ବଢିବାରେ ଲାଗିଛି । ସୂଚନା ଅନୁସାରେ ଜାନୁଆରୀ ୧୩ରେ ଜଣେ ଗର୍ଭବତୀ ମହିଳା ଶିଶୁକୁ ଜନ୍ମ ଦେଇଥିଲେ । ସେ ସୁସ୍ଥ ଥିଲା । ତେବେ ଜାନୁଆରୀ ୨୯ ତାରିଖରେ ଗର୍ଭବତୀ ମହିଳା ଯେଉଁ ଶିଶୁକୁ ଜନ୍ମ ଦେଇଥିଲେ ତା ଠାରେ ମିଳିଥିଲା କରୋନା ଭୂତାଣୁ ।