ପ୍ରାକୃତିକ ଜଳରେ ଜୀବୀତ ରହିପାରେ କରୋନା ଭୂତାଣୁ । ଗୁଜୁରାଟର ସାବରମତୀ ନଦୀ ଜଳରେ ୨୫ ପ୍ରତିଶତ ଭୂତାଣୁ ଚିହ୍ନଟ ନେଇ ବୈଜ୍ଞାନିକଙ୍କ ଦାବି

230

କନକ ବ୍ୟୁରୋ : କରୋନା ଭୂତାଣୁ ସଂକ୍ରମଣର ଦ୍ୱିିତୀୟ ଲହର ଏବେ ଦେଶରେ କମି କମି ଆସୁଥିବା ବେଳେ ସଂକଟ ଏବେ ସମାପ୍ତ ହୋଇ ନାହିଁ । କରୋନାକୁ ନେଇ ଦୈନିକ ନୂଅ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଏବେ ଗୁଜୁରାଟରୁ ପୁଣି ଏକ ନୂଆ ତଥ୍ୟ ଆସିଛି । ଗୁଜୁରାଟର ସବୁଠାରୁ ମହତ୍ୱପୂର୍ଣ୍ଣ ନଦୀ କୁହାଯାଉଥିବା ସାବରମତୀ ନଦୀ ଜଳ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଛି ।

ଗୁଜୁରାଟର ଅହମ୍ମଦାବାଦ ମଧ୍ୟରେ ଯାଇଥିବା ସାବରମତୀ ନଦୀର ଜଳକୁ ପରୀକ୍ଷା ପାଇଁ ନିଆଯାଇଥିବା ବେଳେ ସେଥିରୁ ୨୫ ପ୍ରତିଶତ କରୋନା ସଂକ୍ରମିତ ହୋଇଥିବା କୁହାଯାଇଛି ।

କେବଳ ସେତିକି ନୁହେଁ ଏହା ବ୍ୟତୀତ ଅହମ୍ମଦା ବାଦର ଦୁଇଟି ହ୍ରଦ (କାଙ୍କାରିଆ ଓ ଚନ୍ଦୋଲା) ର ଜଳ ବି କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛି । କହିରଖୁ କି ସାବରମତୀ ପୂର୍ବରୁ ଗଙ୍ଗନଦୀ ସହିତ ଜଡିତ କିଛି ସ୍ୱରେଜ ଜଳରୁ ବି କରୋନା ଭୂତାଣୁ ଚିହ୍ନଟ ହୋଇଥିଲା । ଏବେ ପ୍ରାକୃତିକ ଜଳରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ଏହାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ଚିନ୍ତା ପ୍ରକଟ କରିଛି ।

ଆଇଆଇଟି ଗାନ୍ଧୀନଗର ତରଫରୁ ସାବରମତୀ ନଦୀର ଜଳରୁ ସାମ୍ପଲ ନିଆଯାଇଥିଲା । ଏହାର ଅଧ୍ୟୟନ ପରେ ପ୍ରଫେସର ମନୀଷ କୁମାର କହିଛନ୍ତି କି, ଯାଂଚ ବେଳେ ଏହି ଜଳରେ ୨୫ ପ୍ରତିଶତ କରୋନା ଭୂତାଣୁ ଚିହ୍ନଟ ହୋଇଛନ୍ତି । ଯାହାକି ବିପଦ ବୋଲି ସେ କହିଛନ୍ତି ।

ପ୍ରଫେସର ମନୀଷ କହିଛନ୍ତି କି ସାବରମତୀ ନଦୀରୁ ୨୦୨୦ ସେପ୍ଟେମ୍ବର ୩ ତାରିଖରୁ ଡିସେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ପ୍ରତି ସପ୍ତାହରେ ଜଳ ସାମ୍ପଲ ନିଆଯାଇଥିଲା । ଏହାପରେ ଏହାକୁ ଯାଂଚ କରିବା ବେଳେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା । ପ୍ରଫେସର କହିଛନ୍ତି କି ସାବରମତୀ ନଦୀରୁ ୬୯୪ ଟି ସାମ୍ପଲ, କାଙ୍କରିଆ ହ୍ରଦରୁ ୫୪୯ ସାମ୍ପଲ ଓ ଚଂନ୍ଦୋଲା ହ୍ରଦରୁ ୪୦୨ ଟି ସାମ୍ପଲ କଲେକ୍ସନ କରାଯାଇଥିଲା । ଏହି ସବୁ ସାମ୍ପଲରେ କରୋନା ଭୂତାଣୁ ଥିବା ସେ ସୂଚନା ଦେଇଛନ୍ତି ।

ଏଭଳି ପରୀକ୍ଷଣର ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବାରେ ଲାଗିଛି ଯେ ପ୍ରାକୃତିକ ଜଳରେ ବି କରୋନା ଭୂତାଣୁ ଜୀବୀତ ରହିପାରେ । ଏହାକୁ ନେଇ ବୈଜ୍ଞାନିକ ମାନେ ସବୁ ପ୍ରାକୃତିକ ଜଳକ୍ଷେତ୍ରକୁ ଯାଂଚ କରିବା ଦରକାର ବୋଲି କହିଛନ୍ତି ।