ଭାରତରେ ଭାଇରସ, ଓଡିଶାରେ ଭୟ ! ପୁରୀକୁ ଘାରିଲା କରୋନା ଚିନ୍ତା । ପ୍ରତି ମାସରେ ପୁରୀକୁ ୫ ଶହ ବିଦେଶୀ ପର୍ଯ୍ୟଟକ ଆସୁଥିବାରୁ ସ୍ୱତନ୍ତ୍ର ନଜର ରଖିବାକୁ ସବୁ ହୋଟେଲ ମାଲିକଙ୍କୁ ନିର୍ଦ୍ଦେଶ

3,930

କନକ ବ୍ୟୁରୋ: ଭାରତରେ ଭାଇରସ, ଓଡିଶାରେ ଭୟ । କରୋନା ଭୂତାଣୁ ପାଇଁ ଓଡିଶାରେ ବ୍ୟାପକ ସତର୍କତା ଅବଲମ୍ବନ କରାଯାଉଛି । ଭୁବନେଶ୍ୱର ବିମାନ ବନ୍ଦରରେ ସ୍ୱତନ୍ତ୍ର ୱାର୍ଡ ଖୋଲାଯିବା ସହ ଡାକ୍ତରୀ ଟିମ୍ ନିୟୋଜିତ ହୋଇଛନ୍ତି । କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ କରୋନା ୱାର୍ଡ ଖୋଲିଛି । ସେପଟେ ପୁରୀକୁ ବିଦେଶୀ ପର୍ଯ୍ୟଟକ ଆସୁଥିବାରୁ ସବୁ ହୋଟେଲକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । କାରଣ ପ୍ରତ୍ୟକ ମାସରେ ପୁରୀକୁ ୫ଶହରୁ ଅଧିକ ବିଦେଶୀ ପର୍ଯ୍ୟଟକ ଆସିଥାନ୍ତି ।

କରୋନାର କୋକୁଆ ଭୟ ଭିତରେ ଭୁବନେଶ୍ୱର ବିମାନ ବନ୍ଦରରେ ଖୋଲିଛି ମେଡିକାଲ ସ୍କ୍ରିନିଂ ସେଂଟର । ଯେଉଁଠି ନିୟୋଜିତ ହୋଇଛନ୍ତି ସ୍ୱତନ୍ତ୍ର ଡାକ୍ତରୀ ଦଳ । ବିଦେଶରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ନେଇ ଟିକନିଖ ଯାଂଚ କରାଯାଉଛି । ପ୍ରଥମେ ଦିଲ୍ଲୀରେ ବିଦେଶରୁ ଆସୁଥିବା ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯାଉଥିଲେ ମଧ୍ୟ ଭୁବନେଶ୍ୱର ବିମାନ ବନ୍ଦରରେ ପୁଣିଥରେ ଯାଂଚ କରିବା ବ୍ୟବସ୍ଥା ହୋଇଛି । ଏପଟେ କରୋନା ଭୂତାଣୁର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି କ୍ୟାପିଟାଲ ହସ୍ପିଟାଲ । ଡାକ୍ତର ଓ କର୍ମଚାରୀଙ୍କୁ ମାସ୍କ ପିନ୍ଧିବାକୁ କୁହାଯାଇଛି । ସ୍ୱତନ୍ତ୍ର ୱାର୍ଡ ଖୋଲିଛି ଏବଂ ଡାକ୍ତରୀ ଟିମ ବି ପ୍ରସ୍ତୁତ ରହିଛନ୍ତି ।

ବିଦେଶରୁ ସପ୍ତାହକୁ ୪ ଟି ବିମାନ ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ଆସୁଛି । ରାତିରେ ଆସୁଥିବା ଏସବୁ ବିମାନର ଯାତ୍ରୀଙ୍କର ପୂର୍ବରୁ ଡାକ୍ତରୀ ପରୀକ୍ଷା ବ୍ୟବସ୍ଥା ରହିଥିଲା । ତେବେ ଦିନରେ ମଧ୍ୟ ଏୟାର ଇଣ୍ଡିଆର ଦୁଇଟି ବିମାନ ନୂଆ ଦିଲ୍ଲୀରୁ ଭୁବନେଶ୍ୱର ବିମାନ ବନ୍ଦରକୁ ଆସୁଛି । ଏବେ ଦିନରେ ମଧ୍ୟ ଆରମ୍ଭ ହୋଇଛି ଡାକ୍ତରୀ ଯାଂଚ୍ ପ୍ରକ୍ରିୟା ।

ତେବେ ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭୂତାଣୁର ଭୟ ଏବେ ପର୍ଯ୍ୟଟନ ସହର ପୁରୀକୁ ମଧ୍ୟ ଚିନ୍ତାରେ ପକାଇଦେଇଛି । ଶ୍ରୀକ୍ଷେତ୍ରକୁ ବିଦେଶରୁ ଅନେକ ପର୍ଯ୍ୟଟକ ଆସୁଥିବାରୁ ସମସ୍ତ ହୋଟେଲ ମାଲିକଙ୍କୁ ସତର୍କ କରିଛି ସ୍ୱାସ୍ଥ୍ୟ ବିଭାଗ । ହୋଟେଲକୁ ଆସୁଥିବା ସମସ୍ତ ବିଦେଶୀ ପର୍ଯ୍ୟଟକଙ୍କ ବାବଦରେ ସଙ୍ଗେ ସଙ୍ଗେ ନିୟନ୍ତ୍ରଣ କକ୍ଷକୁ ଜଣାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପୁରୀ ବଡ ମେଡିକାଲରେ ସ୍ୱତନ୍ତ୍ର କରୋନା ୱାର୍ଡ ଖୋଲାଯିବା ସହ ଡାକ୍ତର ଟିମ୍ ସଜାଗ ରହିଛନ୍ତି । ଟ୍ରେନରେ ଆସୁଥିବା ଯାତ୍ରୀଙ୍କ ଉପରେ ମଧ୍ୟ ନଜର ରଖିବାକୁ କୁହାଯାଇଛି । ପୁରୀକୁ ମାସକୁ ହାରାହାରି ୫ ଶହରୁ ଅଧିକ ବିଦେଶୀ ପର୍ଯ୍ୟଟକ ଆସୁଛନ୍ତି । ଏମାନଙ୍କ ମଧ୍ୟରେ ଇଟାଲୀ, ଜାପାନ ଏବଂ ଫ୍ରାନ୍ସର ପର୍ଯ୍ୟଟକଙ୍କ ସଂଖ୍ୟା ଅଧିକ ।

ତେବେ କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ଛାତ୍ରଛାତ୍ରୀଙ୍କ ପାଇଁ ସଚେତନତା ପରାମର୍ଶ ଦିଆଯାଇଛି ।
– ବାରମ୍ବାର ହାତ ଧୁଅନ୍ତୁ
– କାଶ ଓ ଛିଙ୍କ ବେଳେ ନାକ ଓ ପାଟିକୁ ରୁମାଲରେ ବନ୍ଦ ରଖନ୍ତୁ
– ସର୍ବସାଧାରଣ ସ୍ଥଳ ତଥା ଗହଳି ସ୍ଥାନରୁ ଦୂରେଇ ରୁହନ୍ତୁ
– ପ୍ରଧାନ ଶିକ୍ଷକ ପିଲାଙ୍କୁ ସଚେତନ କରାନ୍ତୁ