କରୋନା ପାଇଁ ଫିକା ପଡିଲା ରଙ୍ଗ ବଜାର । ହୋଲି-ଅବିରର ପସରା ମେଲିଛି ହେଲେ ବିକ୍ରି ହେଉନି । ଭାଇରସ ଭୟରେ ରଙ୍ଗ ଦୋକାନରେ ଲୋକଙ୍କ ପାଦ ବି ପଡୁନି…

333

କନକ ବ୍ୟୁରୋ: କରୋନା ପାଇଁ କମିଲା ରଙ୍ଗ ବେପାର । ଭାଇରସ ଭୟରେ କିଣୁ ନାହାନ୍ତି ଲୋକେ । ଦୋକାନ ଆଗରେ ବସ୍ତା ବସ୍ତା ରଙ୍ଗ ଥୁଆ ହୋଇଛି । ହୋଲି ପାଇଁ ଭଳି କି ଭଳି ଅବିରର ପସରା ବି ମେଲିଛି । ଭିନ୍ନ ଭିନ୍ନ ରଙ୍ଗ, ପିଚକାରୀ ଆଉ ମାସ୍କ ଧରି ଗ୍ରାହକଙ୍କୁ ଚାହିଁଛନ୍ତି ବେପାରୀ । ହେଲେ ରଙ୍ଗ ଦୋକାନରେ ପଡୁନି ଲୋକଙ୍କ ପାଦ । ଗହଳି ହେଉନି କି ବିକ୍ରି ବି ହେଉନି । କରୋନାର କୋକୁଆ ଭୟ ପାଇଁ ଏଥର କେହି ରଙ୍ଗ କିଣିବାକୁ ରାଜ ହେଉ ନାହାନ୍ତି । ତେଣୁ ନୂଆ ପୁରୁଣା ରଙ୍ଗ ଧରି ଦିନ ସାରା ଦୋକାନ ଖୋଲି ବସୁଛନ୍ତି ରଙ୍ଗ ବ୍ୟବସାୟୀ ।

ରଙ୍ଗ ଦୋକାନରେ ଭଳିକି ଭଳି ରଙ୍ଗ କିନ୍ତୁ ରଙ୍ଗ ବଜାର ଫିକା । କରୋନା ସଂକ୍ରମଣର ଭୟ ଏମିତି ଘାରିଛି ଯେ ଲୋକେ ରଙ୍ଗର ପର୍ବ ହୋଲି ଖେଳିବାକୁ ଏତେଟା ଉତ୍ସାହ ଦେଖାଉନାହାନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୨ ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୋଲି ଖେଳିବାକୁ ଟୁଇଟ କରି ମନା କରି ଦେଇଥିଲେ । ଆଉ ଏବେ ସମାନ କଥା ଦେଖିବାକୁ ମିଳିଛି ଲୋକଙ୍କ ମଧ୍ୟରେ । ଲୋକେ ହର୍ବାଲ ରଙ୍ଗ, ଫଗୁ କିଣୁଥିବା ବେଳେ ଚାଇନା ରଙ୍ଗ ଛାଡି ଭାରତୀୟ ଉତ୍ପାଦକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ।

ବାଲେଶ୍ୱରରେ ବଜାରରେ ସ୍ଥିତି ଅନୁଧ୍ୟାନ କରିଥିଲା କନକ ନ୍ୟୁଜ ଟିମ । ଏଠାରେ ଦେଖିବାକୁ ମିଳିଥିଲା କରୋନାର ଭୟ । ଆଗ ଅପେକ୍ଷା ଏଥର ଅଳ୍ପ ଦୋକାନ ହୋଇଛି । ବେପାର ମାନ୍ଦା ବି ରହିଛି । ଗତଥର ଅପେକ୍ଷା ଚଳିତ ବର୍ଷ ୫୦ ପ୍ରତିଶତ ବେପାର ମାନ୍ଦା ହୋଇଛି । ଲୋକେ ଅନ୍ୟ ରଙ୍ଗ ଛାଡି ହର୍ବାଲ ରଙ୍ଗ କିଣୁଛନ୍ତି ।

ସେପଟେ ବ୍ରହ୍ମପୁରରେ ବି ସେହି ସମାନ ଅବସ୍ଥା । ରଙ୍ଗର ପର୍ବ ହୋଲି ଏଠି ବେରଙ୍ଗ ହୋଇଯାଇଛି । ଯେତିକି ଲୋକ ରଙ୍ଗ କିଣିବା କଥା କିଣୁନାହାନ୍ତି । ଦୋକାନ ସଂଖ୍ୟା ବି ପୂର୍ବ ବର୍ଷ ତୁଳନାରେ କମିଛି । କରୋନା ଆତଙ୍କ ବ୍ୟବସାୟକୁ ପୂରା ଠପ କରିଦେଇଛି ।

କେନ୍ଦ୍ରାପଡାରେ ବି ଅନୁରୁପ ଦୃଶ୍ୟ ଦେଖିବାକୁ ମିଳୁଛି । ଦୋକାନ ଅଛି, ଗ୍ରାହକ ନାହାନ୍ତି । କରୋନା ଏମିତି ଡରାଇଛି, ରଙ୍ଗ ବିକ୍ରି ହେଉନି । କରୋନାର ପ୍ରକୋପ ଲୋକଙ୍କ ଚିନ୍ତା ବଢାଇଛି । ଆଗ ଜୀବନ ତା ପରେ ପର୍ବ । କିଛି ଏମିତି ଚିନ୍ତାଧାରାର ସିଧା ପ୍ରଭାବ ପଡିଛି ହୋଲି ବେପାର ଉପରେ । କିଛି ଖେଳିବା ସପକ୍ଷରେ ନଥିବା ବେଳେ ଆଉ କିଛି ହର୍ବାଲ ରଙ୍ଗ ଏବଂ ଭାରତୀୟ ରଙ୍ଗକୁ ପସନ୍ଦ କରୁଛନ୍ତି ।