ଦେଶରେ କରୋନାର ଦୈନିକ ସଂକ୍ରମଣ ବୃଦ୍ଧି: ୫ରାଜ୍ୟରେ ବିଗୁଡୁଛି ସ୍ଥିତି, ସବୁଠୁ ଆଗରେ ପଶ୍ଚିମବଙ୍ଗ

239

କନକ ବ୍ୟୁରୋ: ଦେଶରେ ଉପରାମୁହାଁ କରୋନା ସଂକ୍ରମିତ । କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ଦେଶରେ ୨୧ ହଜାର ୮୮ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ, ୨୧ ହଜାର ୨୧୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ୬୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ସହ ଦେଶରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୪୯ ହଜାର ୪୮୨ରେ ପହଂଚିଛି । କିଛି ଦିନର ବ୍ରେକ ପରେ ପୁଣି ଚିନ୍ତା ବଢାଇଛି ୯ ରାଜ୍ୟ ।

ଦେଶର ୯ଟି ରାଜ୍ୟରେ ଦ୍ରୁତଗତିରେ ବଢିଚାଲିଛି କରୋନା ସଂକ୍ରମିତ ମାମଲା । କେରଳ, ପଶ୍ଚିମବଙ୍ଗ. ମହାରାଷ୍ଟ୍ର,ଆସାମ, ଆନ୍ଧ୍ରପ୍ରଦେଶ, ହିମାଚଳ ପ୍ରଦେଶ, ମିଜୋରାମ, ଓ ଅରୁଣାଚଳପ୍ରଦେଶ ଏହି ସବୁ ରାଜ୍ୟମାନଙ୍କରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି ।

ମହାରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ଓଡିଶା ଭଳି ରାଜ୍ୟରେ ଯେଉଁଠି ୨୪ ଘଂଟାରେ ନୂଆ କେସ୍ ହଜାରେ ଉପରେ ରହିଛି । ନୂଆ ସଂକ୍ରମିତ ଚିହ୍ନଟରେ ଏବେ ସବୁଠୁ ଆଗରେ ରହିଛି ପଶ୍ଚିମବଙ୍ଗ । କେବଳ ପଶ୍ଚିମବଙ୍ଗରେ ଗତ ୨୪ ଘଂଟାରେ ୨ହଜାର ୪୮୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ରାଜ୍ୟରେ ୬ ଜଣଙ୍କ କରୋନାରେ ପ୍ରାଣ ହରାଇଛନ୍ତି ।

ଦେଶର ୬ ରାଜ୍ୟରେ ଏବେ ପଜିଟିଭିଟ ରେଟ ୧୦ ପ୍ରତିଶତରୁ ଅଧିକ ରହିଛି । ଏହି ରାଜ୍ୟ ଗୁଡିକ ହେଲା, ଆସାମ, ସିକିମ୍, ହିମାଚଳ ପ୍ରଦେଶ, ନାଗାଲାଣ୍ଡ, ମେଘାଳୟ ଓ ପଶ୍ଚିମବଙ୍ଗ । ସେପଟେ ମହାରାଷ୍ଟ୍ର ଏବେ ବି କରୋନାର ହଟ୍ ସ୍ପଟ୍ ପାଲଟିଛି । ଏଠାରେ ଦୈନିକ ୨ ହଜାରରୁ ଅଧିକ ମାମଲା ଚିହ୍ନଟ ହେଉଛନ୍ତି । ତାମିଲନାଡୁରେ କରୋନା କମିବାର ନାଁ ନେଉନି । ଗୋଟେ ପଟେ କରୋନା ସଂକ୍ରମଣ ବୃଦ୍ଧି ଅନ୍ୟପଟେ ଏହାର ମୁକାବିଲା ପାଇଁ ସରକାର ଦେଶରେ ମାଗଣା ବୁଷ୍ଟର ଡୋଜ ଡ୍ରାଇଭ ଆରମ୍ଭ କରିସାରିଛନ୍ତି