ଭାରତରେ ଚାଇନା ଭାଇରସ । ୨ ଜଣଙ୍କ ଦେହରେ କରୋନା ଭୂତାଣୁ ଚିହ୍ନଟ । ଦିଲ୍ଲୀ ଏବଂ ତେଲେଙ୍ଗାନାରେ ଦୁଇ ରୋଗୀଙ୍କଠାରେ କରୋନା ଭାଇରସ ନେଇ ଆସିଲା ରିପୋର୍ଟ

ଉଭୟ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର

976

କେରଳରେ ୩ ଜଣଙ୍କଠାରେ ପଜିଟିଭି ମାମଲା ସାମନାକୁ ଆସିଥିଲା

ଚୀନରେ କରୋନା ଭାଇରସ୍ ଯୋଗୁଁ ମୃତ୍ୟୁ ସଂଖ୍ୟା ୨୮ ଶହ ଛୁଇଁଲା

କନକ ବ୍ୟୁରୋ: ଭାରତରେ ୨ ଜଣଙ୍କ ଦେହରେ କରୋନା ଭୁତାଣୁ ଥିବା ନେଇ ରିପୋର୍ଟ ଆସିଛି । ସେମାନଙ୍କ ମଧ୍ୟରୁ ଜଣେ ନୂଆ ଦିଲ୍ଲୀର ଆଉ ଜଣେ ତେଲେଙ୍ଗାନା ର । ଦିଲ୍ଲୀରେ ଚିହ୍ନଟ ହୋଇଥିବା ରୋଗୀ ଜଣକ ଇଟାଲୀରୁ ଆସିଥିଲେ । ଏବଂ ତେଲେଙ୍ଗାନାରେ ଚିହ୍ନଟ ହୋଇଥିବା ରୋଗୀ ଜଣକ ଦୁବାଇରୁ ଫେରିଥିଲେ । ସେମାନେ ଆଉ କେଉଁ କେଉଁ ଦେଶକୁ ଯାଇଥିଲେ ସେ ନେଇ ତଥ୍ୟ ସଂଗ୍ରହ କରାଯାଉଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ପ୍ରେସ ନୋଟରେ କୁହାଯାଇଛି, ଯେ ଉଭୟ ରୋଗୀ ସ୍ଥିର ଅଛନ୍ତି । ଏବଂ ସେମାନଙ୍କର ଚିକିତ୍ସା ଚାଲିଛି । ଏହାରି ଭିତରେ କରୋନାରେ ୩ ହଜାର ଜଣଙ୍କ ମୃତ୍ୟୁ ହୋଇସାରିଛି । ସେମାନଙ୍କ ମଧ୍ୟରେ ଅଧିକାଂଶ ଚୀନର । ଏଯାଏଁ କରୋନା ଭୂତାଣୁରେ ୬୦ଟି ଦେଶରେ ୮୮ ହଜାର ଲୋକ ଆକ୍ରାନ୍ତ ହୋଇଛନ୍ତି । ଗତକାଲି ଆମେରିକାରେ କରୋନା ଭୂତାଣୁ ପାଇଁ ପ୍ରଥମ ମୃତ୍ୟୁ ହୋଇଥିଲା ।

ସେହିପରି ଆଜି ତୁରନ୍ତ ସ୍ଥାନାନ୍ତର ପାଇଁ ନିବେଦନ କରି ଇଟାଲିରେ ଏକ ସପ୍ତାହ ହେବ ଅଟକି ରହିଥିବା ପ୍ରାୟ ୮୫ଜଣ ଭାରତୀୟ ଛାତ୍ର ସରକାରଙ୍କୁ ଜରୁରୀ ବାର୍ତ୍ତା ପଠାଇଛନ୍ତି। କରୋନାଭାଇରସ୍‌ ସଂକ୍ରମଣ ଘଟି ଉତ୍ତର ଇଟାଲିର ଲୋମ୍ବାର୍ଡି ଅଞ୍ଚଳର ବିଶ୍ୱବିଦ୍ୟାଳୟ ନଗରୀ ପାଭିଆ ଠାରେ ୧୭ଜଣଙ୍କର ମୃତ୍ୟୁ ଘଟିଛି। ପାଭିଆରେ ଅଟକିଥିବା ଏହି ଛାତ୍ରମାନଙ୍କ ମଧ୍ୟରୁ କେତେକ ଭାରତ ଫେରିବା ଲାଗି ବିମାନ ଟିକେଟ୍‌ କରିଥିଲେ। କିନ୍ତୁ, ଇଟାଲିରେ କରୋନାଭାଇରସ୍‌ ସଂକ୍ରମଣ ପରେ ସେଗୁଡ଼ିକୁ ବାତିଲ କରାଯାଇଛି।ଏହି ୮୫ଜଣଙ୍କ ମଧ୍ୟରେ ଅଛନ୍ତି ତେଲେଙ୍ଗାନାର ୨୫ଜଣ, କର୍ଣ୍ଣାଟକର ୨୦ଜଣ, ତାମିଲନାଡୁର ୧୫ଜଣ, କେରଳର ୪ଜଣ, ଦିଲ୍ଲୀର ୨ଜଣ, ରାଜସ୍ଥାନ, ଗୁରୁଗ୍ରାମ ଓ ଡେରାଡୁନ୍‌ର ଜଣେ ଲେଖାଏଁ ଭାରତୀୟ ଛାତ୍ର। ସେମାନଙ୍କ ମଧ୍ୟରୁ ପ୍ରାୟ ୬୫ଜଣ ଇଞ୍ଜିନିୟରିଙ୍ଗ୍‌ ପଢୁଛନ୍ତି।

ଏବେ ସୁଦ୍ଧା ଭାରତରେ ୩ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ସେମାନେ ସମସ୍ତେ କେରଳର ବୋଲି ଜାଣିବାକୁ ମିଳିଛି। କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି ବୋଲି ରିପୋର୍ଟ ଆସିବା ପରେ ସେମାନଙ୍କର ଚିକିତ୍ସା କରାଯାଇଥିଲା। ସେମାନେ ସମସ୍ତେ ଏବେ ଏହି ଭୟାବହ ଭାଇରସ୍‌ରୁ ମୁକ୍ତ ହୋଇ ସାରିଛନ୍ତି। ଚୀନର ଉହାନରୁ ସୃଷ୍ଟି ହୋଇଥିବା ଏହି ଭାଇରସ୍‌ ଦ୍ବାରା ଆକ୍ରାନ୍ତ ହୋଇଏବେ ସୁଦ୍ଧା ସେଠାରେ ୩୦୦୦ରୁ ଊର୍ଧ୍ବ ଲୋକଙ୍କ ମୃତ୍ୟୁ ଘଟି ସାରିଲାଣି।