କରୋନା କାହାକୁ ମାରୁଛି କାହାକୁ ଛାଡୁଛି । ସେନେଇ ଆମେରିକା ବିଶ୍ୱବିଦ୍ୟାଳୟରୁ ଆସିଲା ଗବେଷଣାର ନୂଆ ତଥ୍ୟ । ସଂପୂର୍ଣ୍ଣ ସୁସ୍ଥ ଲୋକଙ୍କ ଦେହରେ ବି ବଂଶଜ ତୃଟିରୁ ହ୍ରାସ ପାଉଛି ରୋଗ ପ୍ରତିରୋଧକ ଶକ୍ତି ।

17,907
କନକ ବ୍ୟୁରୋ: କରୋନା ଭୂତାଣୁର ଗୁଣକୁ ନେଇ ଏବେ ଜାରି ରହିଛି ଗବେଷଣା । କାରଣ ଅସ୍ପଷ୍ଟ ରହିଛି ଏହାର ଚରିତ୍ର । କେତେବେଳେ ଏହି ଭୂତାଣୁ ସଂକ୍ରମଣରେ ଜଣକଙ୍କର ଜୀବନ ଚାଲିଯାଉଥିଲା ତ ଆଉ କେହି ସୁସ୍ଥ ହୋଇ ଫେରି ଆସୁଛି । ଗବେଷଣାରୁ ଜଣାପଡିଛି ଟାଇପ୍ ୱାନ୍ ଇଂଟରଫେରନ୍ ଭଳି ଏକ ପ୍ରୋଟିନ୍, ଯାହା ଶରୀରର ଇମ୍ୟୁନିଟି ସିଷ୍ଟମ ବା ରୋଗ ପ୍ରତିରୋଧ ଶକ୍ତିକୁ ନିୟନ୍ତ୍ରଣ କରିଥାଏ । ତାହାରି ପ୍ରଭାବ ହିଁ ଏହି ଭୂତାଣୁର ଭୟାବହତା କେତେ ହୋଇପାରେ ତାହା ନିର୍ଧାରଣ କରିଥାଏ ।
ପାଖାପାଖି ବୟସର ଦୁଇ ଭାଇଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଭଲ ହୋଇ ଘରକୁ ଫେରୁଛନ୍ତି । କାହିଁକି ଜଣଙ୍କ ପାଇଁ କରୋନା ଭୂତାଣୁ ମାରାତ୍ମକ ହେଉଛି, ଏ ନେଇ ହୋଇଥିବା ଗବେଷଣାରୁ ଜଣାପଡିଛି ଟାଇପ୍ ୱାନ୍ ଇଂଟରଫେରନ୍ ଅଭାବରୁ ଏପରି ସ୍ଥିତି ଉପୁଜୁଛି । ଟାଇପ୍ ୱାନ୍ ଇଂଟରଫେରନ୍ ହେଉଛି ଏକ ପ୍ରକାର ପ୍ରୋଟିନ୍ ଯାହା ଶରୀରର ଇମ୍ୟୁନିଟି ସିଷ୍ଟମ ବା ରୋଗ ପ୍ରତିରୋଧ ଶକ୍ତିକୁ ନିୟନ୍ତ୍ରଣ କରିଥାଏ ।
କରୋନା ଭୂତାଣୁ ଏପରି କିଛି ରୂପ ଦେଖାଉଛି, ଯାହାକୁ ସଂପୂର୍ଣ୍ଣ ରୂପେ ବୁଝିବା ପାଇଁ ସାରା ବିଶ୍ୱର ବିଶେଷଜ୍ଞମାନେ ଗବେଷଣା ଜାରି ରଖିଛନ୍ତି । ବୟସ୍କ ଓ ବିଭିନ୍ନ ରୋଗ ଥିବା ଲୋକଙ୍କ ରୋଗ ପ୍ରତିରୋଧ ଶକ୍ତି ହ୍ରାସ ହୋଇଥିବାରୁ ସେମାନଙ୍କ ପାଇଁ ଘାତକ ହେଉଛି । ଏପରି ମଧ୍ୟ ଅନେକ ଉଦାହରଣ ରହିଛି, ଯେଉଁଠି ୯୫ ବର୍ଷର ବୃଦ୍ଧ ଆରୋଗ୍ୟ ହେଉଥିବା ବେଳେ ୨୫ ବର୍ଷର ଯୁବକ ମୃତ୍ୟୁ ମୁଖରେ ପଡିଛନ୍ତି । ଜିନ୍ଗତ ବିଭେଦ ଓ ଟାଇପ୍ ୱାନ୍ ଇଂଟରଫେରନ୍ ଅଭାବ ଯୋଗୁଁ ଏହି ସ୍ଥିତି ଉପୁଜିଛି ବୋଲି ନୂଆ ଗବେଷଣାରୁ ଜଣାପଡିଛି । ସାରା ବିଶ୍ୱରେ ୩ କୋଟି ୨୦ ଲକ୍ଷରୁ ଅଧିକ ଲୋକଙ୍କୁ ଆକ୍ରାନ୍ତ ଓ ପ୍ରାୟ ୧୦ ଲକ୍ଷ ଲୋକଙ୍କ ଜୀବନ ନେଇଥିବା କରୋନା ଭୂତାଣୁ ଦିନକୁ ଦିନ ଆହୁରି ରହସ୍ୟମୟ ହୋଇ ଉଠୁଛି ।