କରୋନା କବଳରେ ଅଧିକ ଯୁବପିଢୀ । ଓଡିଶାରେ ୫୨ ପ୍ରତିଶତ ଆକ୍ରାନ୍ତଙ୍କ ବୟସ ୧୫ରୁ ୪୦ବର୍ଷ,  ମାତ୍ର ୫ଜଣ ଆକ୍ରାନ୍ତ ହେଉଛନ୍ତି ବୟସ୍କ ।

443

କନକ ବ୍ୟୁରୋ : ଓଡିଶାରେ ଯୁବପିଢୀ କରୋନାରେ ଅଧିକ ଆକ୍ରାନ୍ତ ହୋଇଛନ୍ତି । କରୋନା ଭୂତାଣୁ ଯୋଗୁଁ ବୟସ୍କ ଲୋକଙ୍କୁ ଅଧିକ ବିପଦ ରହିଛି । ହେଲେ ଓଡିଶାରେ ୬୦ବର୍ଷରୁ ଅଧିକ ବୟସର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୯ପ୍ରତିଶତ । ଆଉ ପ୍ରାୟ ୫୨% କରୋନା ଆକ୍ରାନ୍ତ ହେଉଛନ୍ତି ୧୫ରୁ ୪୦ବର୍ଷ ବୟସର ଯୁବପିଢୀ । ଏନେଇ ରିପୋର୍ଟ ଜାରି କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଓଡିଶାରେ କେରାନା ଆକ୍ରାନ୍ତଙ୍କ ସଂଖ୍ୟା ୫୪ ଛୁଇଁଛି । ଆଉ ଆକ୍ରାନ୍ତଙ୍କ ଭିତରେ ସବୁଠାରୁ ଅଧିକ ଅଛନ୍ତି ଯୁବପିଢୀ । ଓଡିଶାରେ ୧୫ରୁ ୪୦ବର୍ଷ ବୟସର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨୮ ଯାହା ମୋଟ ଆକ୍ରାନ୍ତଙ୍କର ୫୨% । ୨୪% ଅର୍ଥାତ ୧୩ଜଣ କରୋନା ଆକ୍ରାନ୍ତଙ୍କ ବୟସ ୪୧ରୁ ୬୦ବର୍ଷ ଭିତରେ ରହିଛି । କରୋନା ଆକ୍ରାନ୍ତଙ୍କ ଭିତରେ ୬୦ବର୍ଷ ବୟସରୁ ଅଧିକ ୯% ଅର୍ଥାତ ୫ଜଣ ବ୍ୟକ୍ତି ରହିଛନ୍ତି ।  ସେହିପରି ୧୪ବର୍ଷ ବୟସରୁ କମ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୮ ଯାହା ମୋଟ ଆକ୍ରାନ୍ତଙ୍କର ୧୫ପ୍ରତିଶତ ।

ରାଜ୍ୟ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜାରି କରିଥିବା ଟ୍ୱିଟ ସ୍ପଷ୍ଟ କରୁଛି ଯେ ଓଡିଶାରେ ଯୁବପିଢୀ ଅଧିକ ମାତ୍ରାରେ କରୋନା ଆକ୍ରାନ୍ତ ହୋଇଛନ୍ତି । ଏହା ସହ ଶିଶୁ ମାନେ ବି କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ବୃଦ୍ଧବୃଦ୍ଧାଙ୍କ ପ୍ରତି ଅଧିକ ବିପଦ ଥିଲେ ବି ବୟସ୍କ ଆକ୍ରାନ୍ତଙ୍କ ସଂଖ୍ୟା ଏଯାଏଁ ଦୁଇ ଅଙ୍କ ଛୁଇଁନି ।

ବର୍ତ୍ତମାନର ତଥ୍ୟ ଅନୁସାରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ଭିତରେ ମହିଳାଙ୍କ ତୁଳନାରେ ପୁରୁଷଙ୍କ ସଂଖ୍ୟା ଅଧିକ ରହିଛି । ଓଡିଶାରେ ମୋଟ ଆକ୍ରାନ୍ତଙ୍କର ୬୫ ପ୍ରତିଶତ ଅର୍ଥାତ ୩୫ଜଣ ହେଉଛନ୍ତି ପୁରୁଷ । ସେହିପରି ଆକ୍ରାନଙ୍କ ଭିତରୁ  ୩୫ପ୍ରତିଶତ ଅର୍ଥାତ ୧୯ଜଣ ହେଉଛନ୍ତି ମହିଳା । ଏସବୁ ଭିତରେ ୧୧ ଏପ୍ରିଲ ସୁଦ୍ଧା ୩ହଜାର ୮୬୨ଟି ନମୂନା ପରୀକ୍ଷା ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୫୪ ରହିଛି ।