କରୋନା ମୁକାବିଲା: ସପିଂ ମଲ୍ ପାଇଁ ଜାରି ହେଲା ଆଡଭାଇଜରୀ । ଗ୍ରାହକଙ୍କ ମଧ୍ୟରେ ୬ ଫୁଟ ଦୂରତା ରଖିବାକୁ ପରାମର୍ଶ, ମଲ୍ କର୍ମଚାରୀଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ । ଜାଣନ୍ତୁ…ମଲକୁ ନେଇ କେଉଁ କଟକଣା ଲଗାଇଲା କମିଶନରେଟ ପୋଲିସ

568

କନକ ବ୍ୟୁରୋ: ରାଜ୍ୟରେ କରୋନା ମୁକାବିଲା ପାଇଁ ଜୋରଦାର କସରତ ଆରମ୍ଭ କରି ଦେଇଛନ୍ତି ରାଜ୍ୟ ସରକାର । କରୋନାକୁ ଗତକାଲି ରାଜ୍ୟ ବିପତ୍ତି ଘୋଷଣା କରିବା ପରେ ସରକାରଙ୍କ ସବୁ ବିଭାଗ ଭାଇରସର ମୁକାବିଲା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରତିଶେଧମୂଳକ ପଦକ୍ଷେପ ନେଇ ଆସନ୍ତା ୩୧ ଯାଏଁ ସମସ୍ତ ସ୍କୁଲ, କଲେଜ, ସୁଇମିଂ ପୁଲ, ସିନେମା ହଲ ଏବଂ ଜିମ ବନ୍ଦ କରିଥିବା ବେଳେ ବଡ ବଡ ମଲ ବନ୍ଦ ରହିବ ନା ନାହିଁ ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଥିଲା ।

କାରଣ ଜନଗହଳିପୂର୍ଣ୍ଣ ସ୍ଥାନକୁ ଅଧିକ ନବାହାରିବା ପାଇଁ ପରାମର୍ଶ ଦିଆଯାଉଥିବା ବେଳେ ସପିଂ ମଲରେ ଅନେକ ଲୋକଙ୍କ ସମାଗମ ହୋଇଥାଏ ତେଣୁ ତାହା ବନ୍ଦ ରହିବ କି ନାହିଁ ସେ ପ୍ରଶ୍ନ ଉଠୁଥିବା ବେଳେ ଆଜି ସେନେଇ ସ୍ପଷ୍ଟ କରିଛନ୍ତି ଶିଳ୍ପ ସଚିବ ହେମନ୍ତ ଶର୍ମା । ସଚିବଙ୍କ କହିବା ଅନୁସାରେ ମଲ ବନ୍ଦ କରିବାକୁ କୌଣସି ନିଷ୍ପତ୍ତି ହୋଇନାହିଁ । ଜିଲ୍ଲାପାଳ ଏବଂ କମିଶନରେଟ ପୋଲିସ ଅନୁଧ୍ୟାନବ କରୁଛନ୍ତି । ରିପୋର୍ଟ ଦେଲେ ମଲ ବନ୍ଦ ନେଇ ନିଷ୍ପତ୍ତି ନିଆଯିବ ।

ସେପଟେ ମଲରେ କାରବାର ସମୟରେ କେତେକ ଆଡଭାଇଜରୀ ଜାରି କରାଯାଇଛି । ସପିଂ ମଲରେ ସ୍ୱଳ୍ପ ସଂଖ୍ୟକ ଲୋକ ପ୍ରବେଶ କରିପାରିବେ । ମଲ ଭିତରେ ଲୋକଙ୍କୁ ୬ ଫୁଟ ଦୂରରେ ରହି ଚଳପ୍ରଚଳ ହେବାକୁ ପରାମର୍ଶ ଦିଆଯାଇଛି । ସେହିଭଳି ମଲର ବିକ୍ରେତା ମୁହଁରେ ମାସ୍କ ବ୍ୟବହାର କରିବା ସହ ହାତକୁ ପରିଷ୍କାର ରଖନ୍ତୁ । ତାସହ ମଲର ସବୁ କାଉଣ୍ଟରରେ ଆଲକୋହଲ ଯୁକ୍ତ ସାନିଟାଇଜର ରଖିବାକୁ ବି ଆଡଭାଇଜରୀ ଜାରି କରାଯାଇଛି । ତେବେ ମଲକୁ ଯିବା ସମୟରେ ଏ ସମସ୍ତ ପରାମର୍ଶ ମାନନ୍ତୁ ଆଉ କରୋନାର ମୁକାବିଲା କରନ୍ତୁ ବୋଲି ପରାମର୍ଶ ଦିଆଯାଇଛି ।

Comments are closed.