କରୋନା ଟିକା ନେଇ ମତ ରଖିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ । କହିଲେ, ଆସନ୍ତା ବର୍ଷ ପ୍ରଥମ ତିନିମାସରେ ଆସିପାରେ ଟିକା, ସୁରକ୍ଷାକୁ ଦିଆଯାଉଛି ପ୍ରାଥମିକତା ।

1,438

କନକ ବ୍ୟୁରୋ : ଆସନ୍ତା ବର୍ଷ ପ୍ରଥମ ତିନି ମାସ ମଧ୍ୟରେ କରୋନା ଟିକା ଆସିବା ସମ୍ଭାବନା ଅଛି । ଏଥି ନେଇ ନିର୍ଦ୍ଦିଷ୍ଟ ଦିନ କହିହେବ ନାହିଁ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ । ଆଜି ସୋସିଆଲ ମିଡିଆରେ ଆଲୋଚନା କରିବା ବେଳେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ । ଅକ୍ସଫୋର୍ଡ ସହାୟତାରେ ପରୀକ୍ଷଣ କରାଯାଉଥିବା ଆଷ୍ଟ୍ରାଜେନିକା ଟିକାର ପୁଣି ପରୀକ୍ଷଣ ଆରମ୍ଭ ଦିନକ ପରେ ଏହି କଥା କହିଛନ୍ତି ହର୍ଷବର୍ଦ୍ଧନ ।

ଏହି ଟିକାର ସହଯୋଗୀ ଭାରତୀୟ ସଂସ୍ଥା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଡିସିଆଇର କାରଣ ଦର୍ଶାଅ ନୋଟିସ ପରେ ଟିକାର ପରୀକ୍ଷଣ ବନ୍ଦ ରଖିଥିଲା । କାରଣ ବ୍ରିଟେନର ଜଣେ ବ୍ୟକ୍ତିଙ୍କ ନିକଟରେ ଏହି ଟିକାର ପାଶ୍ୱର୍ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହା ସହ କେନ୍ଦ୍ରମନ୍ତ୍ରୀ ସମସ୍ତ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଥିବା ନେଇ ସ୍ପଷ୍ଟ ଭାବେ ସୂଚନା ଦେଇଛନ୍ତି । ଟିକାର ସୁରକ୍ଷା, ମୂଲ୍ୟ, ଇକ୍ୱିଟି, କୋଲ୍ଡ-ଚେନ୍ ଆବଶ୍ୟକତା, ଉତ୍ପାଦନ ସମୟସୀମା ଆଦି ଉପରେ ନଜର ରଖିଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି । ଟିକା ପ୍ରସ୍ତୁତ ହେଲେ ସବୁଠୁ ବେଶୀ ଆବଶ୍ୟକ ହେଉଥିବା ବ୍ୟକ୍ତିଙ୍କୁ ପ୍ରାଥମିକତା ଆଧାରରେ ଟିକା ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।